ବାଲେଶ୍ୱର, ୨୪/୦୨ (ଆଲୋକ କୁମାର ବାରିକ୍‌) : ୧୦ ମାସର ହୋଇଥିଲେ । ଡିବିରି ନିଆଁରେ ପୋଡ଼ିଗଲା ଶରୀର । ଦୀର୍ଘମାସର ଚିକିତ୍ସା ପରେ ସେ ବଞ୍ଚିଗଲେ କିନ୍ତୁ ଏହି ଦୁର୍ଘଟଣା ତାଙ୍କୁ ସଜାଇଦେଲା ଦିବ୍ୟାଙ୍ଗ । ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରୁ ମୁକୁଳି ଆସୁଥିବାବେଳେ ହାତ ଛାଡ଼ି ପରପାରିକୁ ଚାଲିଗଲେ ବାପା । ମାତ୍ର ୫ ବର୍ଷରେ ହୋଇଗଲେ ବାପ ଛେଉଣ୍ଡ । ଦିବ୍ୟାଙ୍ଗ ଶରୀର, ବାପା ନ ଥିବାର ଅଭାବବୋଧ ଭିତରେ ସଂଘର୍ଷମୟ ଜୀବନ । ଏହାପରେ ଆରମ୍ଭ ହୋଇଥିବା ଲଢ଼େଇରେ ସେ ହେଲେ ସଫଳ । ନିଜେ ସ୍ୱାବଲମ୍ବୀ ହେଲେ । ସ୍ଥାନୀୟ ଅଞ୍ଚଳର ୫୦୦ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ମାର୍ଗ ଦେଖାଇଲେ । 

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ବଡ଼ନୂଆଗାଁ ଅଞ୍ଚଳର ପ୍ରେମଲତା ବାରିକ (୬୮)ଙ୍କ ଏହି ସଂଘର୍ଷମୟ କାହାଣୀ ସମଗ୍ର ନାରୀ ସମାଜ ପାଇଁ ସାଜିଛି ପ୍ରେରଣାଦାୟୀ । ରାସ୍ତା କଠିନ ହୋଇପାରେ । ହେଲେ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚିତ । ଏହାକୁ ପ୍ରମାଣିତ କରିଛନ୍ତି ପ୍ରେମଲତା । ଅଗ୍ନିକାଣ୍ଡଜନିତ ଦୁର୍ଘଟଣା, ବାପାଙ୍କୁ ହରାଇବା ପରେ ତାଙ୍କ ସଂଘର୍ଷମୟ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ କେବେ ଭାଙ୍ଗି ପଡ଼ିନାହାନ୍ତି । ବରଂ ସମୟ ସହ ଆଗକୁ ବଢ଼ିବାର ଶପଥ ନେଇଥିଲେ । ବହୁ ପ୍ରତିବନ୍ଧକ ସତ୍ତ୍ଵେ ସେ ମାଟ୍ରିକ୍‌ ପାସ୍‌ କରିବା ସହ ହିନ୍ଦୀରେ ବିନୋଦ କରିଛନ୍ତି । ଏହାପରେ ରୋଜଗାର ଉଦ୍ଦେଶ୍ୟରେ ଟେଲରିଂ ଶିଖିଥିଲେ । ୧୯୮୦ରେ ଖୋର୍ଦ୍ଧାର କଳିଙ୍ଗ ଟାଇମ୍ସ (ଏଚ୍‌ଏମ୍‌ଟି ଘଣ୍ଟା କମ୍ପାନି)ରେ ଚାକିରି ମିଳିଥିଲା । ୨୦୦୦ ମସିହାରେ ଏହି କମ୍ପାନି ବନ୍ଦ ହୋଇଯାଇଥିଲା । ଚାକିରି ଯିବା ପରେ ପ୍ରେମଲତା ଭବିଷ୍ୟତ ନେଇ ସନ୍ଦିହାନ ହୋଇଯାଇଥିଲେ । ବଡ଼ ବ୍ୟବସାୟ କରିବା ପାଇଁ ତାଙ୍କ ନିକଟରେ ଆବଶ୍ୟକ ପୁଞ୍ଜି ନ ଥିଲା । ସ୍ୱଳ୍ପ ପୁଞ୍ଜିରେ ଟେଲରିଂ ଦୋକାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ୧୦ ହଜାର ଟଙ୍କାରେ ଟେଲରିଂ ଇନ୍‌ଷ୍ଟିଚ୍ୟୁଟ ଖୋଲିଥିଲେ । ତାଙ୍କର ଏହି ଟେଲରିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଏହା ଭିତରେ ୨୦ ବର୍ଷ ଅତିକ୍ରାନ୍ତ ହୋଇଯାଇଛି । 

ଏହି ସମୟ ଭିତରେ ସେ ୭୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଟେଲରିଂ ପ୍ରଶିକ୍ଷଣ ଦେଇସାରିଛନ୍ତି । ଏଥିପାଇଁ ୮ଟି ମେସିନ୍‌ ପକାଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳା ନିଜେ ଟେଲରିଂ ଦୋକାନ ଖୋଲି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ କିଏ ଟେଲରିଂ ଇନ୍‌ଷ୍ଟିଚ୍ୟୁଟ୍‌ ବି ଖୋଲି ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ରୋଜଗାର କରୁଛନ୍ତି । ପ୍ରେମଲତା ବିଭିନ୍ନ ସରକାରୀ କାମ ଯଥା ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ, ତ୍ରିରଙ୍ଗା ପତାକା ତିଆରି କିମ୍ବା ଚାନ୍ଦୁଆ କାମକୁ ଅଗ୍ରାଧିକାର ଦେଇଥାନ୍ତି । ଦୀର୍ଘବର୍ଷ ଧରି ପ୍ରେମଲତା ସିଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଚଳାଉଛନ୍ତି । ଏଠାକୁ ଆସୁଥିବା ପ୍ରଶିକ୍ଷାର୍ଥୀଙ୍କୁ ସେ କେବେ ଟଙ୍କା ଦାବି କରନ୍ତିନି । ଯାହା ଖୁସିରେ ଦିଅନ୍ତି ତାହାକୁ ସେ ରଖନ୍ତି । ଏହି ବୟସରେ ବି ପ୍ରେମଲତା ନିଜର ଇନ୍‌ଷ୍ଟିଚ୍ୟୁଟକୁ ଚଳାଇଛନ୍ତି । ବହୁ ମହିଳା, ଯୁବତୀ ଟେଲରିଂ ଶିଖିବାକୁ ଆସୁଛନ୍ତି । ଏହାକୁ ଚଳାଇ ରଖିବା ପାଇଁ ସେ ବହୁ ବଧାବିଘ୍ନକୁ ସାମ୍ନା କରିଛନ୍ତି । ଏହା ସତ୍ତ୍ଵେ ସେ ହାରି ନାହାନ୍ତି । 

ନିଜ ସଂଘର୍ଷମୟ ଜୀବନକୁ ନେଇ ପ୍ରେମଲତା କହନ୍ତି ଦୁନିଆ କ’ଣ ଜାଣିବା ଆଗରୁ ମୁଁ ୬୦ ପ୍ରତିଶତ ପୋଡ଼ିଯାଇଥିଲି । ପାଞ୍ଚ ବର୍ଷରେ ବାପାଙ୍କୁ ହରାଇଥିଲି । ଯୌବନରେ ପାଦ ଦେବା ବେଳକୁ ନିଜେ ଦିବ୍ୟାଙ୍ଗ ବୋଲି ଜାଣି ସାରିଥିଲି । ତଥାପି କାହାରି ଦୟାର ପାତ୍ର ନ ହୋଇ ବଞ୍ଚିବାକୁ ଶପଥ ନେଇଥିଲି । ଏଥିପାଇଁ ଖୋର୍ଦ୍ଧାର କଳିଙ୍ଗ ଟାଇମ୍ସରେ ଚାକିରି କରିଥିଲି । ସେଠାରୁ ଚାକିରି ଛାଡ଼ିବା ପରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ଟେଲରିଂ ଇନ୍‌ଷ୍ଟିଚ୍ୟୁଟ କରିଛି । ଏଥିରୁ ଯାହା ମିଳୁଛି ସେଥିରେ ଚଳିଯାଉଛି । ପରିଣତ ବୟସରେ ମାଆଙ୍କ ସେବା ବି କରିପାରୁଛି ବୋଲି ସେ କହିଛନ୍ତି । ଖଇରା ବ୍ଲକ୍‌ ଚେୟାରମ୍ୟାନ୍‌ ଅଭିଲିପ୍ସା ସାହୁ କହନ୍ତି, ପ୍ରେମଲତା ଦୀର୍ଘ ବର୍ଷ ଧରି ନିଜ ଉଦ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି । ବାଲେଶ୍ୱର ପୂର୍ବତନ ଦୁଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ସେହି ସମୟରେ ପ୍ରେମଲତାଙ୍କୁ ଭେଟି ଉତ୍ସାହିତ କରିଥିଲେ । ତାଙ୍କୁ ସରକାରୀ ଯୋଜନାରେ କିଛି କାମ ମଧ୍ୟ ଦେଇଥିଲେ । ପ୍ରେମଲତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ମିଳିଲେ ସେ ଟେଲରିଂ ଦ୍ୱାରା ଆହୁରି ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରନ୍ତେ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ପରିବାରକୁ ରାହା ଦେଖାଇଲେ ମିତାଲି : ବାର୍ଷିକ ରୋଜଗାର ୧୨ ଲକ୍ଷ, ୭ ପରିବାରକୁ ଯୋଗାଇଛନ୍ତି କାମ