ଭୁବନେଶ୍ୱର,୦୨/୦୧:  ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗର ଅସଜଡ଼ା ଚିତ୍ର । ଦନ୍ତ ବିଭାଗ ନବକଳେବର ପାଇଁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମାଗିଛି। ବିଭାଗରେ ରୋଗୀଙ୍କୁ ନିୟମିତ ହେଉଥିବା ଦୁର୍ବ୍ୟବହାର ଉପରେ ତଦନ୍ତ ହେବ । ବରିଷ୍ଠ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରାଯିବ । ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବ। ଏନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମାଗିଛି ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲ ଦାନ୍ତ ବିଭାଗରେ ଚିକିତ୍ସା ସୁବିଧା ଉପଲବ୍ଧ ଥାଇ କାହିଁକି ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯାଉଛି, ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ବିଭାଗ ତଦନ୍ତ ରିପୋର୍ଟ ପାଇଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଖବର ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଦୁର୍ବ୍ୟବହାର ଓ ବିଭାଗର ଅବ୍ୟବସ୍ଥା ନେଇ ଏକ ଖବର ପ୍ରମେୟରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାରକୁ ନେଇ ଦାଖଲ ହୋଇଥିବା ଲିଖିତ ଅଭିଯୋଗର ଖୋଳତାଡ଼ କରାଯାଇଥିଲା । ରୋଗୀଙ୍କ ପକ୍ଷରୁ ପୁଳା ପୁଳା ଅଭିଯୋଗ ପାଇଥିଲେ ହେଁ କର୍ତ୍ତୃପକ୍ଷ କାହିଁକି ନିରବ ରହୁଛନ୍ତି ସେନେଇ ମଧ୍ୟ କୈଫିୟତ ମଗାଯାଇଥିବା ଜଣାପଡ଼ିଛି । ଏହାବାଦ ବିଭାଗରେ କିପରି ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିପାରିବ । ଆବଶ୍ୟକ ଖାଲି ପଦବି ପୂରଣ ଏବଂ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି କିପରି ରୋଗୀଙ୍କ ସେବାରେ ଲାଗିବ ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି ।

କ୍ୟାପିଟାଲ ହସ୍ପିଟାଲ ରାଜଧାନୀର ସବୁଠାରୁ ବଡ଼ ଅତ୍ୟାଧୁନିକ ଓ ଗୁଣାତ୍ମକ ଚିକିତ୍ସା ମିଳୁଥିବା ହସ୍ପିଟାଲ । ରୋଗୀ ଭରସା କରି ହସ୍ପିଟାଲକୁ ଦୌଡ଼ୁଛନ୍ତି । ହେଲେ ଦାନ୍ତ ବିଭାଗ ଦୟନୀୟ ସ୍ଥିତି ସେମାନଙ୍କୁ ବିଚଳିତ କରୁଛି । ବିଭାଗରେ ଚିକିତ୍ସା ପାଇଁ ଉପଲବ୍ଧ ଯନ୍ତ୍ରପାତି ରୋଗୀଙ୍କ କାମରେ ଲାଗୁନି । ସାମାନ୍ୟ ଦାନ୍ତ ରୁଟ୍ କେନାଲ କିମ୍ବା ଦାନ୍ତ ଫିଲିଂ ମଧ୍ୟ ହୋଇପାରୁନି ବୋଲି ଅଭିଯୋଗ ହୋଇଆସୁଛି ।