ଭୁବନେଶ୍ୱର,୨୦/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ପୁଲିସ ତତ୍ପର ହୋଇଛି । ରାଜଧାନୀ ସମେତ ମୟୂରଭଞ୍ଜ ଓ ପୁରୀରେ  ରାଷ୍ଟ୍ରପତି ଯୋଗ ଦେବାକୁ ଥିବା କାର୍ଯ୍ୟକ୍ରମସ୍ଥଳକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମସ୍ଥଳରେ ଡ୍ରୋନ୍‌ ଉଡ଼ାଇଲେ, ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ।  

ଆସନ୍ତା ୨୩ରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର  କଲାଇକୁଣ୍ଡା ବିମାନବନ୍ଦରରୁ ବାହାରି ବାଙ୍ଗିରିପୋଷି  ହେଲିପ୍ୟାଡ୍‌ରେ ଓହ୍ଲାଇବେ । ମୟୂରଭଞ୍ଜରେ ୬ଟି  ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ ପରଦିନ  ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ  ଭୁବନେଶ୍ୱରରେ ୨ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ।  ୨୫ ତାରିଖ ସକାଳେ ନିଳାଦ୍ରୀବିହାରରେ ପ୍ରତିମୂର୍ତ୍ତି  ଉନ୍ମୋଚନ ପରେ ଛତିଶଗଡ଼ ରାୟପୁର ଅଭିମୁଖେ  ବାହାରିଯିବେ । ଏହି ସବୁ କାର୍ଯ୍ୟକ୍ରମ ପ୍ରସାରଣ ବେଳେ  ଡ୍ରୋନ ବ୍ୟବହାର ନ କରିବାକୁ ଗଣମାଧ୍ୟମ ସଂସ୍ଥାକୁ  ଅବଗତ କରାଯାଇଛି ।