ଭୁବନେଶ୍ୱର, ୨୮/୧୧ : ଦିନେ ସେ ତତ୍କାଳୀନ ମନ୍ତ୍ରୀ ତଥା ଏବେକାର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କର୍ମଚାରୀ(ଜମାଦାର) ଥିଲେ । ସକାଳୁ ରାତି ପର୍ଯ୍ୟନ୍ତ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ, କଣ ଖାଇବେ, କୁଆଡ଼େ ଯିବେ ସବୁକିଛି ବୁଝିବା ତାଙ୍କର ଦାୟିତ୍ୱ ଥିଲା । ସବୁବେଳେ ପାଖେପାଖେ ରହୁଥିଲେ । ହେଲେ ସମୟ ବଦଳିଛି, କାଲିର ମନ୍ତ୍ରୀ ଆଜି ଦେଶର ପ୍ରଥମ ନାଗରିକ । ତଥାପି ପୁରୁଣା କର୍ମଚାରୀଙ୍କୁ ସେ ଭୁଲି ନାହାନ୍ତି । ଦେଖୁଦେଖୁ ଚିହ୍ନିଲେ, ଡାକିଦେଇ ପଚାରିଲେ, ‘ଆରେ ଅନନ୍ତ କେମିତି ଅଛ, ଘରେ ସବୁ ଠିକ୍ଠାକ୍ ତ ?’ ବାସ୍, ରାଷ୍ଟ୍ରପତିଙ୍କ ମୁହଁରୁ ଦୁଇପଦ କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଥିଲେ ଜମାଦାର ଅନନ୍ତ ଚରଣ ବେହେରା।
ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଆସିଥିଲେ । ଏ ଅବସରରେ ତାଙ୍କର ନଜର ପଡ଼ିଥିଲା ଅନନ୍ତଙ୍କ ଉପରେ । ସାଧାସିଧା ଦିଶୁଥିବା ଅନନ୍ତ ୨୦୦୦-୨୦୦୪ ମସିହାରେ ତତ୍କାଳୀନ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତି ମୁର୍ମୁଙ୍କ ବ୍ୟକ୍ତିଗତ ଜମାଦାର ଥିଲେ । ଦିନତମାମ ଅନନ୍ତ ମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ । ଏହି ଘଟଣାକୁ ଇତିମଧ୍ୟରେ ୨୫ବର୍ଷ ବିତିଗଲାଣି । ଇତିମଧ୍ୟରେ ଅନନ୍ତ ଅନେକ ମନ୍ତ୍ରୀଙ୍କ ଜମାଦାର ଭାବେ କାମ କରିଛନ୍ତି । ଅବସର ପରେ ବି ସେ ମନ୍ତ୍ରୀଙ୍କ ଜମାଦାର ଭାବେ କାମ କରୁଛନ୍ତି । ଆଜି ରାଷ୍ଟ୍ରପତିଙ୍କ ଆଗମନ ଜାଣି ସେ ବିଧାନସଭାକୁ ଆସିଥିଲେ । ଅନନ୍ତ ସକାଳୁ ଅପେକ୍ଷା କରିଥିଲେ । ଗୃହରେ ଅଭିଭାଷଣ ପରେ ରାଷ୍ଟ୍ରପତି ବାହାରକୁ ଆସିବା ବେଳେ ହଠାତ୍ ଆଖି ଆଗରେ ପଡ଼ିଗଲେ ଅନନ୍ତ । ଦେଖୁଦେଖୁ, ସେ ଅନନ୍ତଙ୍କୁ ଡାକିବା ସହ ଭଲମନ୍ଦ ପଚାରିଥିଲେ ।