ନୂଆଦିଲ୍ଲୀ ୦୨/୦୬ : ପ୍ରେସ୍ ସ୍ୱାଧୀନତାରେ ବୈଶ୍ୱିକ ସ୍ଥିତି ୨୫ ବର୍ଷର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି । ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ (ଆର୍‌ଏସ୍‌ଏଫ୍)ର ସଦ୍ୟତମ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରୁ ଏହା ସ୍ପଷ୍ଟ ହୋଇଛି । ୫ ସଙ୍କେତ ଯଥା- ରାଜନୈତିକ ଦିଗ, ନ୍ୟାୟିକ ଢାଞ୍ଚା, ଆର୍ଥିକ ସନ୍ଦର୍ଭ, ସାମାଜିକସାଂସ୍କୃତିକ ସନ୍ଦର୍ଭ ଓ ସାମ୍ବାଦିକ ସୁରକ୍ଷା ଆଧାରରେ ୧୮୦ ଦେଶ ଓ ଅଞ୍ଚଳକୁ ଏହା ସ୍ଥାନୀତ କରିଛି । ବିଶ୍ୱ ମାନଚିତ୍ର-୨୦୨୬ରେ ଏହା ବିଶ୍ୱର ପ୍ରେସ୍ ସ୍ୱାଧୀନତାର ଅଙ୍କକୁ ଦର୍ଶାଇଛି । ୟୁରୋପ ଏକମାତ୍ର କ୍ଷେତ୍ର, ଯେଉଁଠି ପ୍ରେସ୍ ସ୍ୱାଧୀନତା ମାମଲାରେ ରାଷ୍ଟ୍ରମାନେ ଶୀର୍ଷରେ ଅଛନ୍ତି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରେସ୍ ସ୍ୱାଧୀନତାରେ ପତନ ଅତ୍ୟନ୍ତ ନାଟକୀୟ ହୋଇଛି । ୨୦୦୨ରେ ମାତ୍ର ୧୩.୭% ଦେଶ ଓ ଅଞ୍ଚଳକୁ ‘ଜଟିଳ’ କିମ୍ବା ‘ଅତ୍ୟନ୍ତ ଗମ୍ଭୀର’ ସ୍ଥିତିରେ ବର୍ଗୀକୃତ କରାଯାଇଥିଲା । ୨୦୨୬ ସୁଦ୍ଧା ଏହି ହାର ୪ ଗୁଣ ବଢ଼ି ୫୨.୨% ହୋଇଗଲା । ଏହାର ଅର୍ଥ ଅଧିକାଂଶ ଦେଶ ଏବେ ସ୍ୱାଧୀନ ସାମ୍ବାଦିକତା ମାର୍ଗରେ ବ୍ୟାପକ ବାଧକର ସମ୍ମୁଖୀନ ହେଉଛନ୍ତି ।

ସରକାର ସୂଚନା ଉପଲବ୍ଧତାକୁ କ୍ରମାଗତ ଭାବେ ସୀମିତ କରୁଥିବାରୁ, ସାମ୍ବାଦିକତାର ଅପରାଧୀକରଣ ଏବଂ ସ୍ୱତନ୍ତ୍ର ଗଣମାଧ୍ୟମ ଉପରେ ଚାପ ପକାଉ ଥିବାରୁ ଏହି ଅବନତି ବୈଶ୍ୱିକ ସ୍ୱାଧୀନତାରେ ବ୍ୟାପକ ପତନକୁ ଦର୍ଶାଉଛି । ଉତ୍ତମ ପ୍ରେସ୍ ସ୍ୱାଧୀନତା ହାସଲ କରୁଥିବା ଦେଶଙ୍କ ତାଲିକାରେ ୯୨.୭ ଅଙ୍କ ସହିତ ଶୀର୍ଷରେ ଅଛି ନରୱେ । ୮୮.୯ ପ୍ରତିଶତ ସହିତ ୨ୟ ସ୍ଥାନରେ ଅଛି ନେଦରଲାଣ୍ଡସ । ୩ୟରେ ଏଷ୍ଟୋନିଆ (୮୮.୫%), ଡେନ୍‌ମାର୍କ ୪ର୍ଥ (୮୮.୫%) ଏବଂ ୫ମ ସ୍ଥାନରେ ଅଛି ସ୍ୱିଡେନ୍ (୮୭.୬%) । ଅନେକ ୟୁରୋପୀୟ ଦେଶ ଲଗାତାର ଉଚ୍ଚ ଅଙ୍କ ହାସଲ କରିଥିଲେ ହେଁ, ବିଶ୍ୱ ଜନସଂଖ୍ୟାର ଏମାନେ ଅତି ଛୋଟ ଅଂଶ । ଏହି ତାଲିକା ଆଧାରରେ ଆର୍‌ଏସ୍‌ଏଫ୍ ଆକଳନ କରିଛି, ବିଶ୍ୱରେ ୧ ପ୍ରତିଶତରୁ କମ୍ ଲୋକ ଉତ୍ତମ ପ୍ରେସ୍ ସ୍ୱାଧୀନତା ଶ୍ରେଣୀରେ ବର୍ଗୀକୃତ ଦେଶରେ ବାସ କରୁଛନ୍ତି । ବିଶ୍ୱସ୍ତରରେ ପ୍ରେସ୍ ସ୍ୱାଧୀନତା କେତେ ଦୁର୍ଲଭ ହୋଇଛି, ଏହି ରିପୋର୍ଟରୁ ଜଣାପଡୁଛି ।

ପ୍ରେସ୍ ସ୍ୱାଧୀନତା ମାମଲାରେ ଭାରତର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ୩୨.୦ ଅଙ୍କ ସହିତ ଏହା ୧୫୬ତମ ସ୍ଥାନରେ ରହିଛି । ଅନ୍ୟପକ୍ଷେ, ୩୨.୬ ଅଙ୍କ ସହିତ ୧୫୨ତମ ସ୍ଥାନରେ ଅଛି ପାକିସ୍ତାନ । ଇରିଟ୍ରିୟା ୧୦.୭ ଅଙ୍କ ହାସଲ କରି ତାଲିକାର ନିମ୍ନରେ ଅଛି । ଉତ୍ତର କୋରିଆ ୧୨.୭ ଏବଂ ଚୀନ୍ ୧୩.୯ ଅଙ୍କ ହାସଲ କରିଛି । ଯୁଦ୍ଧଗ୍ରସ୍ତ ଇରାନ ୧୭.୫ ଓ ସାଉଦି ଆରବ ୧୯.୧ ଅଙ୍କ ହାସଲ କରିଛି । ରୁଷ ୨୩.୨ ଅଙ୍କ ସହିତ ନିମ୍ନରୁ ୯ମ ସ୍ଥାନରେ ଅଛି । ଚଳିତ ବର୍ଷ ଆମେରିକା ୭ ସ୍ଥାନ ଖସି ୬୨.୬% ସହିତ ୬୪ତମ ସ୍ଥାନରେ ଅଛି ।

ଆହୁରି ପଢ଼ନ୍ତୁ...ଫ୍ଲୋରିଡ଼ାରେ ୩.୨ କୋଟି ମଶା ଛାଡ଼ିବ ଗୁଗଲ୍, ଜାଣନ୍ତୁ କ’ଣ ରହିଛି କାରଣ