ପାପଡାହାଣ୍ଡି,୨୯/୭ :  ଚଳିତ ବର୍ଷ ପ୍ରଥମ କରି ବଜାରରେ ଦେଖାଯାଇଥିଲା ଶ୍ରାବଣ ଛତୁ । ସାମର୍ଥ୍ୟ ଅନୁସାରେ  ପ୍ରାୟ ଅଧିକାଂଶ   ଲୋକେ  ଛତୁ କିଣି ନେଉଛନ୍ତି । ବର୍ଷା ଋତୁ ଆରମ୍ଭ ହେବା ପରେ ପାପଡ଼ାହାଣ୍ଡି ବଜାରରେ ବିଭିନ୍ନ ଛତୁ ଦେଖିବାକୁ ମିଳେ । ଏହି ଛତୁକୁ ସଂଗ୍ରହ କରିବା ସହ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରନ୍ତି ସ୍ଥାନୀୟ ଗ୍ରାମାଞ୍ଚଳର ଲୋକମାନେ ।  

ପାପଡାହାଣ୍ଡି ଅଞ୍ଚଳରେ ଜଙ୍ଗଲ ଅନେକ ରହିଥିବାରୁ ଛତୁ ପ୍ରଚୁର ପରିମାଣର   ମିଳିଥାଏ । ଚଳିତ ବର୍ଷ ଠିକ୍ ସମୟରେ  ବର୍ଷା ହୋଇ ନ ଥିବା ଯୋଗୁଁ ଛତୁ ମିଳିବକି ନାହିଁ ସାଧାରଣ ଲୋକ ଛତୁର ସ୍ୱାଦ ଚାଖିବେକି ନାହିଁ ବୋଲି ସନ୍ଦେହ ହେଉଥିଲା  । ବିଳମ୍ବରେ ହେଲେ ସୁଦ୍ଧା ବଜାରରେ ଛତୁର ପସରା ଦେଖିବାକୁ ମିଳିଛି । ବଜାରରେ ବ୍ୟବସାୟୀଙ୍କ ଠାରୁ କିଣିଲେ କିଲୋ ପିଛା ୧୦୦୦ଟଙ୍କା ଥିବାବେଳେ ଗାଁ ଗହଳିରୁ ବିକ୍ରି କରିବାକୁ ଆସୁଥିବା ଆଦିବାସୀ ଲୋକଙ୍କ ଠାରୁ କିଣିଲେ କିଲୋ ପିଛା ୭୦୦ରୁ ୮୦୦ଟଙ୍କା ମଧ୍ୟରେ   ମିଳିଯାଉଛି । ଏହାର ଅଧିକ ଚାହିଦା ରହିଥିବାରୁ ଶ୍ରାବଣ ଛତୁ ଆସୁ ଆସୁ ଲୋକେ କିଣି ନେଇଥାନ୍ତି । 

ଏହି ଅଞ୍ଚଳରେ ବସବାସ କରୁଥିବା ଉପକୂଳ ଜିଲ୍ଲାର ଲୋକେ ମଧ୍ୟ ଏହାକୁ ଅତି ଆଦରରେ କିଣି ନେଉଥିବା ଦେଖିବାକୁ ମିଳିଛି । ଶ୍ରାବଣ ଛତୁର ସ୍ଵାଦ ନିଆରା। ଅବଭିକ୍ତ କୋରାପୁଟ ଜିଲ୍ଲାରେ ଏହା ଏକ ସ୍ବାଦିଷ୍ଟ ଖାଦ୍ୟ ହୋଇଥିବାରୁ ଥରେ ଯିଏ ଏହାକୁ ଖାଇଛି ଭୁଲିପାରିନାହିଁ । ବର୍ତ୍ତମାନ ପାପଡ଼ାହାଣ୍ଡି ଆଖପାଖ ଅଞ୍ଚଳ ଗୁଡ଼ିକରେ ଶ୍ରାବଣ ଛତୁ ବହୁଳ ପରିମାଣରେ ମିଳୁଛି । ସ୍ଥାନୀୟ ଅଂଚଳର ଆଦିବାସୀ ମହିଳା ଓ ପୁରୁଷ ଏହାକୁ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଆଦିବାସୀଙ୍କ ବର୍ଷ ସାରା ଉପାର୍ଜନର ଏହା ଏକ ବୋନସ କହିଲେ ଅତ୍ୟୁକ୍ତି ହେବ ନାହିଁ।