ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ୨୩-୨୬ ଜୁଲାଇ ମଧ୍ୟରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ୨୩ ଜୁଲାଇରେ ୟୁକେ ପହଞ୍ଚିବେ ଏବଂ ଲଣ୍ଡନରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୨୪ ଜୁଲାଇରେ ୟୁକେ ପ୍ରଧାନମନ୍ତ୍ରୀ ସାର୍ କୀଏର ଷ୍ଟାର୍ମରଙ୍କୁ ଭେଟିବେ। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଭାରତ ଏବଂ ୟୁକେ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ମଧ୍ୟ ଘୋଷଣା ହୋଇପାରେ । ଭାରତ ଏବଂ ୟୁକେ ଉଭୟ ପାଇଁ FTAକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚତୁର୍ଥ ବ୍ରିଟେନ ଗସ୍ତ ହେବ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ୟୁକେ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗ ଉପରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହ ବ୍ୟାପକ ଆଲୋଚନା କରିବେ । ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁକେର ରାଜା ଚାର୍ଲସ୍ ତୃତୀୟଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । ଏହି ଗସ୍ତ ସମୟରେ, ଉଭୟ ପକ୍ଷ ବାଣିଜ୍ୟ ଏବଂ ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲୋକ ସମ୍ପର୍କ ଉପରେ ବିଶେଷ ଧ୍ୟାନ ଦେଇ ବ୍ୟାପକ ରଣନୈତିକ ସହଭାଗୀତା (CSP)ର ଅଗ୍ରଗତି ସମୀକ୍ଷା କରିବେ ।
ସେହିପରି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୫-୨୬ ଜୁଲାଇରେ ମାଳଦ୍ୱୀପ ଗସ୍ତରେ ଯିବେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ତୃତୀୟ ମାଳଦ୍ୱୀପ ଗସ୍ତ ଏବଂ ମହମ୍ମଦ ମୁଇଜୁଙ୍କ ରାଷ୍ଟ୍ରପତିତ୍ୱ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ମାଳଦ୍ୱୀପ ଗସ୍ତ ହେବ ।
ମାଳଦ୍ୱୀପରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତାର ୬୦ତମ ବାର୍ଷିକୀ ପାଳନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଗସ୍ତ ଭାରତ ତା’ର ସାମୁଦ୍ରିକ ପଡ଼ୋଶୀ ମାଳଦ୍ୱୀପକୁ କେତେ ଗୁରୁତ୍ୱ ଦେଉଛି ତାହା ପ୍ରତିଫଳିତ କରିବ । ଏହି ଗସ୍ତ ଉଭୟ ପକ୍ଷକୁ ସେମାନଙ୍କର ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର ଏବଂ ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିବ ।