ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନବନିର୍ମିତ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି। ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକାଠି କରାଯାଇ କର୍ତ୍ତବ୍ୟ ଭବନକୁ ସ୍ଥାନାନ୍ତରିତ କରାଯିବ। ଏଥିରେ ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, MSME ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ (DoPT), ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ/ବିଭାଗ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (PSA)ଙ୍କ କାର୍ଯ୍ୟାଳୟ ରହିବ।
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପାଇଁ ମୋଟ ୧୦ଟି ଏପରି କୋଠା ନିର୍ମାଣ କରାଯିବାର ଅଛି। ଏଥିମଧ୍ୟରୁ, କାର୍ତ୍ତବ୍ୟ ଭବନ-୩ ସମ୍ପୂର୍ଣ୍ଣ ହୋଇଛି, ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ସନ୍ଧ୍ୟା ୬ଟାରେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରକଳ୍ପ ସମାପ୍ତ ହେବା ପରେ, ଭଡା ବାବଦକୁ ଖର୍ଚ୍ଚ ହେଉଥିବା ୧୫୦୦ କୋଟି ଟଙ୍କା ସଞ୍ଚୟ ହେବ।
ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ, ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ କମ୍ପ୍ଲେକ୍ସରେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା (ଭୂତଳ ମହଲା ସହ ୬ ମହଲା) ଅଛି। ବର୍ତ୍ତମାନ, ଅନେକ ପ୍ରମୁଖ ମନ୍ତ୍ରଣାଳୟ ୧୯୫୦ ରୁ ୧୯୭୦ ଦଶକ ମଧ୍ୟରେ ନିର୍ମିତ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଏବଂ ନିର୍ମାଣ ଭବନ ଭଳି ପୁରୁଣା କୋଠାରୁ କାର୍ଯ୍ୟ କରୁଛି। ଏହି ବିଲ୍ଡିରେ ସୁରକ୍ଷିତ ଏବଂ ଆଇଟି-ସକ୍ଷମ କାର୍ଯ୍ୟସ୍ଥଳ, ସ୍ମାର୍ଟ ଏଣ୍ଟ୍ରି ସିଷ୍ଟମ, ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ଏବଂ କମାଣ୍ଡ ସେଣ୍ଟର, ସୌର ପ୍ୟାନେଲ, ସୌର ଜଳ ହିଟର ଏବଂ ଇ-ଯାନ ଚାର୍ଜିଂ ଷ୍ଟେସନ ଭଳି ବୈଶିଷ୍ଟ୍ୟ ରହିଛି। ଏହା ପରିବେଶ ଅନୁକୂଳ ନିର୍ମାଣକୁ ମଧ୍ୟ ପ୍ରୋତ୍ସାହିତ କରେ, ଯେଉଁଥିରେ ବର୍ଜ୍ୟଜଳ ପୁନଃବ୍ୟବହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ବିଲ୍ଡିଂକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି।