ନୂଆଦିଲ୍ଲୀ,୨୮ \୭ : ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ନେଇ ବଡ଼ ବୟାନ ଦେଇଛନ୍ତି ବ୍ରିଟେନର ପୂର୍ବତନ ଗୃହ ମନ୍ତ୍ରୀ ପ୍ରୀତି ପଟେଲ୍ । ନିଜ ଦେଶର ସରକାର ଏବଂ ଆଇନଗତ ପ୍ରକ୍ରିୟା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ବିଳମ୍ବ ପାଇଁ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଖରାପ ହେଉଛି । ଦୀର୍ଘ ସମୟର ବିଳମ୍ବ ପାଇଁ ଭାରତର ବିଶ୍ବାସ କମିବାରେ ଲାଗିଛି ।
ଡେଲି ଟେଲିଗ୍ରାଫର ପୋଡକାଷ୍ଟ, ଦି ଡାଇମଣ୍ଡ କିଙ୍ଗର ଏକ ସାକ୍ଷାତକାର ବେଳେ ପ୍ରିତି ପଟେଲ କହିଛନ୍ତି ଯେ, ପ୍ରତ୍ୟର୍ପଣ ନିର୍ଦ୍ଦେଶ ସ୍ୱାକ୍ଷରିତ ହେବାର ବର୍ଷ ବର୍ଷ ପରେ ମଧ୍ୟ ନୀରବ ମୋଦି ବ୍ରିଟେନରେ ଥିବା ଦେଖି ସେ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଛନ୍ତି ।
୨୦୨୧ ରେ ପ୍ରତ୍ୟର୍ପଣ ଆଦେଶରେ କରିଥିଲେ ସ୍ୱାକ୍ଷର
ପ୍ରୀତି ପଟେଲ ଏପ୍ରିଲ ୨୦୨୧ ମସିହାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଆଦେଶରେ ସ୍ୱାକ୍ଷର କରିଥିଲେ । ଏହା ପୂର୍ବରୁ, ବ୍ରିଟେନର କୋର୍ଟ କହିଥିଲେ ଯେ, ଭାରତରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ପର୍ଯ୍ୟାପ୍ତ କାରଣ ଅଛି । ପଟେଲ କହିଥିଲେ ନୀରବ ମୋଦି ଏବେ ବି ୟୁକେରେ ଅଛନ୍ତି ବୋଲି ସେ "ଚକିତ ଏବଂ ଦୁଃଖିତ"।
ବ୍ରିଟେନ ସିଷ୍ଟମ ଉପରେ ଉଠାଇଲେ ପ୍ରଶ୍ନ
ସେ କହିଥିଲେ ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ୨ ବିଲିୟନ ଡଲାର ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ପ୍ରତ୍ୟର୍ପଣ କରିବାରେ ୟୁକେ ସରକାର ଅସମର୍ଥ ହେବା କାରଣରୁ ଭାରତ ସରକାର ରାଗିଥିଲେ । ସେ କହିଥିଲେ ଯେ, ଯଦି ଆମର ସିଷ୍ଟମ ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରିଥାନ୍ତା ଏବଂ କୌଣସି ବାହାନା ନକରି ସଠିକ୍ ପଦକ୍ଷେପ ନେଇଥାନ୍ତା, ତେବେ ମୋଦି ଏହି ଦେଶରେ ନଥାନ୍ତେ ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଭାରତ ପଠାଇ ଦିଆ ଯାଇଥାନ୍ତା । ଏହି ବିଳମ୍ବ ଯୋଗୁଁ ଭାରତ ଆମ ସହିତ କାମ କରିବାକୁ ନିରାଶ ପ୍ରକାଶ କରୁଛି ।
ଏବେ ଭାରତର ଜେଲରେ ଥାଆନ୍ତେ ନୀରବ
ପ୍ରିତି ପଟେଲ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ନିରବ ମୋଦି ଭାରତରେ ତାଙ୍କ ସଜା କାଟିବା ଆରମ୍ଭ କରିଦେଇଥାନ୍ତେ । ତାଙ୍କୁ ଜେଲରେ ସଜା କାଟିବା ଉଚିତ ଥିଲା, ଏବଂ ଏହା ଆଇନଗତ ପ୍ରକ୍ରିୟା ଅନୁସାରେ କରାଯିବା ଉଚିତ । ଏହା ହିଁ ୟୁକେ ପ୍ରତ୍ୟର୍ପଣ ଆଇନ ଏବଂ ଚୁକ୍ତିନାମାର ଉଦ୍ଦେଶ୍ୟ । ସେ ଏହି ଦୀର୍ଘ ବିଳମ୍ବକୁ ୟୁକେ ବ୍ୟବସ୍ଥାର ଏକ ସ୍ପଷ୍ଟ ଅପବ୍ୟବହାର ଏବଂ ବ୍ରିଟିଶ କରଦାତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।
ଭାରତ-ବ୍ରିଟେନ ସମ୍ବନ୍ଧ ଉପରେ ପଡ଼ିଲା ପ୍ରଭାବ
ପ୍ରିତି ପଟେଲ୍ ଦାବି କରିଥିଲେ ଯେ ୨୦୧୯ ରୁ ୨୦୨୨ ମଧ୍ୟରେ ଗୃହ ସଚିବ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଏହି ପ୍ରସଙ୍ଗ ଅନେକ କୂଟନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ସେ କହିଥିଲେ ଯେପର୍ଯ୍ୟନ୍ତ ପ୍ରତ୍ୟର୍ପଣ ସମସ୍ୟାର ସମାଧାନ ହୋଇନି ସେଯାଏଁ ଭାରତ ସେମାନଙ୍କୁ ଫେରାଇ ନେବାରେ ସହଯୋଗ କରିବାକୁ ଇଛୁକ ନଥିଲା । ଯେଉଁମାନଙ୍କର ଶରଣ ଆବେଦନ ପ୍ରତ୍ୟାଖ୍ୟାନ କରା ଯାଇ ନଥିଲା ।
ସେ ଆହୁରି ବି କହିଥିଲେ, "ଯେଉଁମାନଙ୍କର ଶରଣ ଆବେଦନ ଖାରଜ କରାଯାଇଥିଲା ସେମାନଙ୍କୁ ଫେରାଇ ନେବା ପାଇଁ ଭାରତକୁ ରାଜି କରାଇବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଏବଂ ମୁଁ ବିଶ୍ୱାସ କରେ ଯେ ଏହା ଏଥିପାଇଁ ହୋଇଥିଲା କାରଣ ଆମ ପାଖରେ ଏହି ହାଇ-ପ୍ରୋଫାଇଲ୍ ମାମଲା (ନିରବ ମୋଦିଙ୍କ) ଏବଂ ସେହି ସମୟରେ ଆଉ ଏକ ହାଇ-ପ୍ରୋଫାଇଲ୍ ମାମଲା ଥିଲା । ଯେପର୍ଯ୍ୟନ୍ତ ସେମାନେ (ଭାରତ) ସେହି ମାମଲାଗୁଡ଼ିକରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଅଗ୍ରଗତି ଦେଖିନଥିଲେ, ସେମାନଙ୍କ ପାଖରେ ଆମକୁ ଚାପ ପକାଇବାର ଏକ ଜରିଆ ଥିଲା, ଯାହା ବହୁତ ନିରାଶଜନକ ଥିଲା।"
ନୀରବ ମୋଦିଙ୍କ ଶେଷ ଆବେଦନ ଖାରଜ
ନୀରବ ମୋଦି ୟୁକେରେ ତାଙ୍କର ସମସ୍ତ ଆଇନଗତ ବିକଳ୍ପ ଶେଷ କରି ସାରିଛନ୍ତି । ଏବଂ ୟୁରୋପୀୟ ମାନବାଧିକାର ଅଦାଲତରେ ତାଙ୍କର ଶେଷ ଆବେଦନ ଖାରଜ ହୋଇଥିବା ଜଣା ପଡ଼ିଛି। ମାନବାଧିକାର ଆଧାରରେ ଆବେଦନ ଏବଂ ଏକ ଗୋପନୀୟ ଆଶ୍ରୟ ଦାବି ସମେତ ବର୍ଷ ବର୍ଷ ଧରି ଆଇନଗତ ଚ୍ୟାଲେଞ୍ଜ ପରେ, ତାଙ୍କର ଭାରତକୁ ପ୍ରତ୍ୟର୍ପଣ ଏବେ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।
ଲଣ୍ଡନର ପେଣ୍ଟନଭିଲ୍ ଜେଲରେ ବନ୍ଦୀ ଅଛନ୍ତି ନୀରବ ମୋଦି
୫୫ ବର୍ଷୀୟ ନୀରବ ମୋଦି ବର୍ତ୍ତମାନ ଲଣ୍ଡନର ପେଣ୍ଟନଭିଲ୍ ଜେଲରେ ବନ୍ଦୀ ଅଛନ୍ତି । ଭାରତରେ ତାଙ୍କ ବିରୁଦ୍ଧରେ ତିନୋଟି ଅପରାଧିକ ଅଭିଯୋଗ ରହିଛି । ଏଥିରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (PNB) ରୁ ପ୍ରାୟ ୨ ବିଲିୟନ ଡଲାର ଠକେଇ ସହିତ ଜଡିତ CBI ମାମଲା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ମନି ଲଣ୍ଡରିଂ ମାମଲା ଏବଂ ପ୍ରମାଣ ଏବଂ ସାକ୍ଷୀମାନଙ୍କ ସହିତ ହେରଫେର ଜଡିତ ମାମଲା ଅନ୍ତର୍ଭୁକ୍ତ ।