ନୂଆଦିଲ୍ଲୀ,୪।୮: ଭାରତ ସରକାର ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସାମିଲ କରିବା ପାଇଁ ବିଚାର କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସରକାରୀ କମ୍ପାନୀଗୁଡ଼ିକ ପରମାଣୁ ଶକ୍ତି କ୍ଷେତ୍ରରେ କାମ କରୁଥିଲେ। ଏବେ ଘରୋଇ କମ୍ପାନୀଗୁଡ଼ିକୁ ସୁଯୋଗ ଦେବା ପାଇଁ, ସରକାର ଆଇନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ସହିତ ଏକ ନୂତନ ଆଇନ ଆଣି ପାରନ୍ତି।
ସୂତ୍ର ଅନୁସାରେ, ସରକାର କିଛି ଆଇନରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛନ୍ତି ଯାହା ଦ୍ଵାରା ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ପରମାଣୁ ଶକ୍ତି କ୍ଷେତ୍ରରେ ସୁଯୋଗ ମିଳିପାରିବ। ଭାରତ ସରକାର ଏପରି କମ୍ପାନୀଗୁଡ଼ିକୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଯେଉଁମାନେ ପୂର୍ବରୁ ଅଛନ୍ତି ଏବଂ ବଡ଼ ପ୍ରୋଜେକ୍ଟରେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏହି କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ଅଛି କି ନାହିଁ ସରକାର ତାହା ମଧ୍ୟ ଧ୍ୟାନରେ ରଖିବେ।
ଘରୋଇ କ୍ଷେତ୍ର ସହ ସକ୍ରିୟ ଭାଗିଦାରୀ ପାଇଁ ବଜେଟ୍ରେ ପରମାଣୁ ଶକ୍ତି ଅଧିନିୟମ ଓ ପରମାରୁ କ୍ଷତି ପାଇଁ ନାଗରିକ ଦାୟିତ୍ବ ଅଧିନିୟମରେ ସଂଶୋଧନର ପ୍ରସ୍ତାବ ଦିଆଯାଇଥିଲା। ଯେକୌଣସି ପରମାଣୁ ଦୁର୍ଘଟଣା ପରେ ହେଉଥିବା କ୍ଷତିରୁ ସୁରକ୍ଷା ପାଇଁ ଏହି ଉତ୍ତର ଦାୟିତ୍ବ ଆଇନ ତିଆରି କରାଯାଇଛି। ପୂର୍ବରୁ କମ୍ପାନୀଗୁଡ଼ିକ ଭୟ କରୁଥିଲେ ଯେ ପରମାଣୁ ଦୁର୍ଘଟଣା ହେଲେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦେବାକୁ ପଡିବ ସେଥିପାଇଁ ସେମାନେ ନିବେଶ କରୁନଥିଲେ। ସୂଚନା ଅନୁଯାୟୀ, ସରକାର ଆଟମିକ୍ ଏନର୍ଜି ଆଇନ ଏବଂ ନାଗରିକ ଦାୟିତ୍ବ ପରମାଣୁ କ୍ଷତି ଆଇନରେ ପରିବର୍ତ୍ତନ ଆଣିପାରେ। ଏହି କମ୍ପାନୀଗୁଡ଼ିକର ମୂଲ୍ୟାଙ୍କନ ସରକାର କିମ୍ବା ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ସଂସ୍ଥା ଦ୍ୱାରା କରାଯିବ। ଯାହାକି ଆର୍ଥିକ, ବୈଷୟିକ କ୍ଷମତା, ଅଭିଜ୍ଞତା ଏବଂ ଅତୀତର ରେକର୍ଡ ସମେତ ଅନେକ ମାନଦଣ୍ଡକୁ ଧ୍ୟାନ ଦେବ। ସରକାରଙ୍କ ଦ୍ୱାରା ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।