ନୂଆଦିଲ୍ଲୀ, ୧୧ /୧୨:  ଏଣିକି ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ସହ କରିପାରିବେ ପ୍ରାଇଭେଟ ଡିନର।  ରିପବ୍ଲିକାନ୍‌ ପାର୍ଟିର ଧନୀ ସମର୍ଥକମାନଙ୍କ ନିକଟରେ ବ୍ୟକ୍ତିଗତ ସମୟ ବିତାଇବାର ରହିଛି ଏକ ଅବସର । ଆଉ   ଏଥିଲାଗି ସେମାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଅର୍ଥ। ଏନେଇ ଇଚ୍ଛୁକ ବ୍ୟକ୍ତିଙ୍କୁ ପ୍ରାୟ ୨ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୭ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଜଣାପଡି଼ଛି । 

ଦ ନ୍ୟୁୟର୍କ ଟାଇମ୍ସ ମୁତାବକ, ‘ଟ୍ରମ୍ପ-ଭାନ୍ସ ଇନାଗୁରାଲ୍‌ କମିଟି ବେନିଫିଟ୍‌ସ’ ଶୀର୍ଷକ ଏକ ବିଜ୍ଞାପନ ଅନୁସାରେ, ଯେଉଁ ଦାନକର୍ତ୍ତା ଟ୍ରମ୍ପ-ଭାନ୍ସ ଅଭିଯାନ ଲାଗି ୧ ନିୟୁତ ଡଲାର ପଇଠ କରିବେ କିମ୍ବା ୨ ନିୟୁତ ଡଲାର ଯୋଗାଡ଼ କରିବେ ସେମାନଙ୍କୁ ଜାନୁଆରୀ ୧୯ରେ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ବିଶ୍ୱର ଏହି କ୍ଷମତାଶାଳୀ ଦମ୍ପତିଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବାର ସୁଯୋଗ ମିଳିବ । ସେହି ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଶପଥଗ୍ରହଣ ସମାରୋହର ୬ଟି ଟିକଟ ବି ଦିଆଯିବ । ସେପଟେ ସ୍ୱତନ୍ତ୍ର ଦାତାମାନଙ୍କୁ ଟ୍ରମ୍ପ କ୍ୟାବିନେଟ୍‌ର ଆଶାୟୀଙ୍କ ସହିତ ରିସେପସନ୍‌, ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚିତ ସିନେଟର ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଉଷାଙ୍କ ସହିତ ରାତ୍ରିଭୋଜନର ସୁଯୋଗ ବି ମିଳିପାରେ । ୫୦ ହଜାର ଡଲାରରୁ ୧ ନିୟୁତ ଡଲାର ମଧ୍ୟରେ ଅର୍ଥ ଯୋଗଦାନ କରିଥିବା ବ୍ୟକ୍ତିମାନଙ୍କୁ ଉଦ୍‌ଘାଟନୀ ଉତ୍ସବର ସନ୍ଧ୍ୟାରେ ଆୟୋଜିତ ‘ଷ୍ଟାରଲାଇଟ୍‌ ବଲ୍‌’ରେ ଭାଗ ନେବାର ଅବସର ମିଳିବ । 

ଆମେରିକାରେ ଉଦ୍‌ଘାଟନ ସମାରୋହ ଲାଗି ଅର୍ଥ ଯୋଗାଡ଼ କରିବା ରାଷ୍ଟ୍ରପତିମାନଙ୍କ ଲାଗି ଏକ ସାଧାରଣ କଥା । କାରଣ କରଦାତାମାନଙ୍କ ଅର୍ଥ ଶପଥ ଗ୍ରହଣ ଓ କ୍ୟାପିଟଲରେ ଉଦ୍‌ଘାଟନ ଲଞ୍ଚ ଭଳି ଆନୁଷ୍ଠାନିକ ସମାରୋହ ଲାଗି ହିଁ ନିର୍ଦ୍ଧାରିତ ହୋଇଥାଏ । ଘରୋଇ ଦାନ ଉଦ୍‌ଘାଟନୀ ପରେଡ୍‌, ସଙ୍ଗୀତ କାର୍ଯ୍ୟକ୍ରମର ବ୍ୟୟକୁ ଭରଣା କରିଥାଏ । ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁସାରେ, ୨୦୨୧ରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଉଦ୍‌ଘାଟନ କମିଟି ଲୋକଙ୍କ ନିକଟରୁ ୫ ଲକ୍ଷ ଡଲାର ଓ କର୍ପୋରେସନ୍‌ ନିକଟରୁ ୧ ନିୟୁତ ଡଲାର ଯାଏ ଦାନ ସ୍ୱୀକାର କରିଥିଲା । ୨୦୦୯ରେ ବାରାକ୍‌ ଓବାମା ତାଙ୍କର ପ୍ରଥମ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଲାଗି ୫୩ ନିୟୁତ ଡଲାର ସଂଗ୍ରହ କରିଥିଲେ ।