ଭୁବନେଶ୍ୱର,୨୭/୦୨: ରାସ୍ତା କଡ଼ରେ ବଡ଼ ବଡ଼ ହୋର୍ଡିଂ ଝୁଲୁଛି । ଜିଆଇଏସ୍(ଜିଓଗ୍ରାଫିକାଲ ଇନଫର୍ମେସନ ସିଷ୍ଟମ) ସର୍ଭେ ସତ ଧରିଲା । ଏହି ରିପୋର୍ଟକୁ ମିଳିମିଶି ଚାପି ଦେଲେ । ଏବେ ବିଏମ୍ସି ଅଧା ପଇସା ଦେବାକୁ ଡିମାଣ୍ଡ ନୋଟିସ କରିବ । ଫଳରେ ବିଏମ୍ସି କୋଟି କୋଟି ଟଙ୍କା ରାଜସ୍ୱ ହରାଇବ । ଏହି ପ୍ରସ୍ତାବକୁ ଗତକାଲି କର୍ପୋରେସନ ବୈଠକରେ ବି ପାରିତ କରାଇନେଲେ ।
ବିଏମ୍ସି ପକ୍ଷରୁ ସହର ସାରା ଲାଗିଥିବା ହୋର୍ଡିଂକୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏନେଇ ବିଏମ୍ସି ଜିଆଇଏସ୍ ସର୍ଭେ କରିଥିଲା । ଅଧିକାଂଶ ଘରୋଇ ସଂସ୍ଥା ବଡ଼ ବଡ଼ ହୋର୍ଡିଂ ମାରିଥିଲେ ବି ଏହାକୁ ଛୋଟ ଦର୍ଶାଇଥିଲେ । ହେଲେ ସର୍ଭେ ସତ ଧରିବା ପରେ ଆଉ କେହି ଧରାଛୁଆଁ ଦେଇନଥିଲେ । ବିଏମ୍ସି ପକ୍ଷରୁ ଏହି ସବୁ ଘରୋଇ ସଂସ୍ଥାକୁ ନୋଟିସ ଜାରି କରାଯାଇଥିଲା । ନିଜର ହୋର୍ଡିଂ ଚିହ୍ନାଇବାକୁ କୁହାଯାଇଥିଲା । ସେଥିମଧ୍ୟରୁ ଅଧା ଆସି ବିଏମ୍ସିରେ ହାଜିରା ଦେଲେ । ହେଲେ ପାଲଟା ଅଭିଯୋଗ କଲେ ଯେ ଯାଞ୍ଚ କରାଯାଇଥିବା ହୋର୍ଡିଂ ସର୍ଭେରେ ସତ୍ୟତା ନାହିଁ । ପ୍ରଥମେ ବିଏମ୍ସି ହୋର୍ଡିଂର ଆକାର ହିସାବରେ ସଂସ୍ଥାକୁ ଅର୍ଥ ପଇଠ କରିବାକୁ ଦାବି କଲା । ଏହାକୁ ନେଇ କସରତ ଚାଲିଲା । ହେଲେ ଗତକାଲି କର୍ପୋରେସନ ବୈଠକରେ ଯେଉଁ ବିଲ୍ ପାରିତ ହେଲା, ତାକୁ ନେଇ ଏବେ ସନ୍ଦେହ ଉପୁଜିବା ସ୍ୱାଭାବିକ ।
ଅଧିକ ପଢ଼ନ୍ତୁ :-ମହାନଦୀ ଜଳ ବିବାଦ ପ୍ରସଙ୍ଗ: ସମ୍ବଲପୁରରେ ଟ୍ରିବ୍ୟୁନାଲ୍ ଟିମ୍, ସ୍ପିଲ୍ୱେ, ପାୱାର ହାଉସ ଏବଂ କମାଣ୍ଡ ଏରିଆ ବୁଲି ଦେଖିବେ
ହୋର୍ଡିଂ ବିଲ୍ ବାବଦକୁ ବିଏମ୍ସି ୩୨ରୁ ଅଧିକ ସଂସ୍ଥାକୁ ଡିମାଣ୍ଡ ନୋଟିସ୍ ପଠାଇବ । ତାହା ପୁଣି ଘରୋଇ ସଂସ୍ଥା ଯେଉଁ ଆକାର କହିବ ସେ ଅନୁସାରେ ଡିମାଣ୍ଡ ନୋଟିସ ପଠାଯିବ । ତେବେ ହୋର୍ଡିଂର ଆକାର ଜିଆଏସ୍ ସର୍ଭେ ଦର୍ଶାଇଥିବାବେଳେ ପୁଣି ହୋର୍ଡିଂ ଲଗାଇଥିବା ସଂସ୍ଥାର ଡାଟା ଅନୁସାରେ କାହିଁକି ଅର୍ଥ ଆଦାୟ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଘରୋଇ ସଂସ୍ଥା ପ୍ରୀତି ରହିଛି, ତାହେଲେ ଜିଆଇଏସ୍ ଭେଳିକି କାହିଁକି ବୋଲି ପ୍ରଶ୍ନ ଉଠିଛି । ବିଏମ୍ସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି କହିଛନ୍ତି, ବିଏମ୍ସି ପକ୍ଷରୁ ପ୍ରାଥମିକ ଭାବେ ଡିମାଣ୍ଡ ନୋଟିସ ଜାରି ହୋଇଛି । ବିଏମ୍ସି ଏକ କମିଟି ଗଠନ କରିଛି । ଏହି କମିଟି ହୋର୍ଡିଂର ସାଇଜ୍ ତର୍ଜମା କରିବ । ଅଧିକ ହେଲେ ବକେୟା ଟଙ୍କା ସେହି ସଂସ୍ଥା ଦେବ ।