ପ୍ରେମ ଏକ ସହଜାତ ପ୍ରବୃତ୍ତି । ଅଧିକାଂଶ ଜୀବଜାତିର ବଂଶରକ୍ଷା ଲାଗି ଏହା ହେଉଛି ମାଧ୍ୟମ । କାରଣ, ଏଇ ପ୍ରବୃତ୍ତି ହିଁ ନାରୀ ଓ ପୁରୁଷଙ୍କୁ ପରସ୍ପର ପ୍ରତି ଆକର୍ଷଣ କରେ । ତେବେ ଏଥିରେ ପୁରୁଷ ହିଁ ପ୍ରଥମେ ପଦକ୍ଷେପ ଆରମ୍ଭ କରେ । ତାହା ଲକ୍ଷ୍ୟକରି ପ୍ରାଣୀବିଜ୍ଞାନର ଜନକ ଚାର୍ଲସ ଡାରଉଇନ୍ ୧୮୭୪ ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ ‘ଦ ଡିସେଣ୍ଟ ଅଫ୍ ମ୍ୟାନ୍’ରେ ଲେଖିଥିଲେ “ପୁରୁଷ ତା’ର ରମଣୀୟତାକୁ ଏତେ ଅଡମ୍ବର, ଶିଷ୍ଟତା ଏବଂ ସଂଭ୍ରମତା ସହ ପ୍ରକଟ କରିବା ମୂଳରେ କ’ଣ କିଛି ଉଦ୍ଦେଶ୍ୟ ନାହିଁ? ସାଥୀ ବାଛିବାରେ ନାରୀ ଯେ ତାର ପସନ୍ଦ ପ୍ରୟୋଗ କରେ ଏବଂ ତାକୁ ସର୍ବାଧିକ ସନ୍ତୁଷ୍ଟ କରୁଥିବା ପୁରୁଷର ଠିକଣା ଖୋଜିବସେ, ଏକଥା ବିଶ୍ୱାସ କରିବା କ’ଣ ଯୁକ୍ତଯୁକ୍ତ ନୁହେଁ? ହୁଏତ ସେ ଏହା ସଚେତନ ମନରେ ଉଦ୍ଦେଶ୍ୟମୂଳକ ଭାବେ କରେନାହିଁ । ତେବେ ସେ ନିଶ୍ଚିତ ରୂପେ ସବୁଠାରୁ ସୁନ୍ଦର ହୋଇଥିବା କିମ୍ବା ମଧୁର ଗାନ କରିପାରୁଥିବା କିମ୍ବା ଶକ୍ତିଶାଳୀ ଓ ସାହସୀ ହୋଇଥିବା ପୁରୁଷ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ” ।

ଏଥିପାଇଁ ପୁରୁଷପକ୍ଷୀ ମଧୁର ଗାନ କରେ, ସୁନ୍ଦର ନୀଡ଼ ରଚନା କରେ କିମ୍ବା ସୁନ୍ଦର ପକ୍ଷ ବିସ୍ତାର କରି ନୃତ୍ୟ କରେ । ସିଂହ ବା ବ୍ୟାଘ୍ର ଆଦି ପଶୁମାନେ ନିଜର ପରାକ୍ରମ ପ୍ରଦର୍ଶନ କରି ଅନ୍ୟ ପୁରୁଷମାନଙ୍କୁ ବିତାଡ଼ିତ କରନ୍ତି । ମନୁଷ୍ୟ କ୍ଷେତ୍ରରେ ଏହା ସଭ୍ୟତାଠାରୁ ପୁରାତନ । ଇତିହାସର ପ୍ରତିଟି ପୃଷ୍ଠା ଏଇ କାହାଣୀରେ ରୁଦ୍ଧିମନ୍ତ । ଦ୍ରୌପଦୀଙ୍କ ପାଇଁ ମହାଭାରତ ଯୁଦ୍ଧଠାରୁ ଆରମ୍ଭକରି ହେଲେନଙ୍କ ପାଇଁ ଟ୍ରଏ ନଗରୀ ବିଧ୍ୱଂସ ହେବା ପର୍ଯ୍ୟନ୍ତ ଏହାର ଗୋଟିଏ ଗୋଟିଏ ଉଦାହରଣ । ଅତଏବ ସଫଳ ପ୍ରେମିକଟିଏ ହେବାକୁ ହେଲେ ତା’ଠାରେ ସୁନ୍ଦରତା କର୍ମନିପୁଣତା ସଙ୍ଗେ ସଙ୍ଗେ ଦୁର୍ଦ୍ଧର୍ଷତା ଏବଂ ଅଧିକାର ସାବ୍ୟସ୍ତକାରୀ ଗୁଣ ରହିବା ଦରକାର । ଏପରିସ୍ଥଳେ ବିବର୍ତ୍ତନର ତାଳେ ତାଳେ ଯେଉଁ ଜୀବଟିଠାରେ ଏସବୁ ପ୍ରଦର୍ଶନ କରି ତା’ ପ୍ରଜାତିର ନାରୀକୁ ଆକର୍ଷଣ କରିବାର ଗୁଣ ପ୍ରଥମେ ପ୍ରକଟିତ ହେଲା, ସେ ହିଁ ହେଉଛି ଜୀବଜଗତର ପ୍ରଥମ ପ୍ରେମିକ ।

ଦୁଇଜଣ ବ୍ରିଟିଶ ବୈଜ୍ଞାନକଙ୍କ ମତରେ, ଏ ସମ୍ମାନର ଅଧିକାରୀ ହେଲା ‘ଟ୍ରାଇଲୋବାଇଟ୍’ । ଏହାର ଶରୀର ମୁଖ୍ୟତଃ ତିନିଖଣ୍ଡରେ ବିଭକ୍ତ ହୋଇଥିବାରୁ ଏହାକୁ ଏପରି ନାମ ଦିଆଯାଇଛି । ଇଂରାଜିରେ ‘ଟ୍ରାଇ’ ଶବ୍ଦର ଅର୍ଥ ହେଲା ତିନି ଏବଂ ‘ଲୋବ୍’ ହେଲା ଖଣ୍ଡ । ଆଜିକୁ ପ୍ରାୟ ୬୦୦ରୁ ୫୦୦ ନିୟୁତ ବର୍ଷ ପୂର୍ବେ ଏ ଜୀବଟି ସମୁଦ୍ରର ଜଳରାଶିରେ ବିଚରଣ କରୁଥିଲା । ଏହାର ଲମ୍ବ ଥିଲା ପ୍ରାୟ ୬ରୁ ୭ ସେଣ୍ଟିମିଟର । ତେବେ ସେତେବେଳର ପୃଥିବୀରେ ସେ ଥିଲା ସର୍ବବୃହତ୍ ଜୀବ । ସମ୍ଭବତଃ ନିଜ ପ୍ରଜାତିର ପ୍ରତିଦ୍ୱନ୍ଦ୍ୱୀ ପୁରୁଷଙ୍କୁ ପରାଜିତ କରି ଏବଂ ନାରୀକୁ ଆକର୍ଷଣ କରି ନିଜର ପ୍ରେମ ଅଧିକାର ସାବ୍ୟସ୍ତ କରିବାରେ ଏ ଜୀବଟି ପ୍ରଥମ ଥିଲା ବୋଲି ୨୦୧୫ ମସିହାରେ ‘ନିଉ ସାଇଣ୍ଟିଷ୍ଟ’ ପତ୍ରିକାରେ ଏକ ନିବନ୍ଧ ମାଧ୍ୟମରେ ପ୍ରକାଶ କରିଛନ୍ତି ଲଣ୍ଡନ ସ୍ଥିତ କୁଇନ୍ ମେରୀ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନୀ ରବ୍ କ୍ନେଲ ଏବଂ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ରିଚାର୍ଡ ଫୋର୍ଟେ । ‘ଓର୍ଡୋଭିସିୟାନ୍’ ଭୂତାତ୍ତ୍ୱିକ କାଳରେ ଧରାପୃଷ୍ଠରେ ଆବିର୍ଭୂତ ହୋଇଥିବା ‘ରାଫିଓଫେରିଡସ୍’ ବଂଶ ଉପରେ ବ୍ୟାପକ ଗବେଷଣା କରି ସେମାନେ ଏଇ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଟ୍ରାଇଲୋବାଇଟ୍ ଏହାରି ଅନ୍ତର୍ଭୁକ୍ତ ।

ପ୍ରେମ ଭଳି ଭାବପ୍ରବଣତାର ସର୍ବଶ୍ରେଷ୍ଠ ଅଧିକାରୀ ମନୁଷ୍ୟ କ୍ଷେତ୍ରରେ ହୃଦୟ ବା ହୃତ୍‌ପିଣ୍ଡକୁ ଦୀର୍ଘଦିନ ଧରି ଏଥିସହିତ ସଂପୃକ୍ତ କରାଯାଉଥିଲା । ତେବେ ଆଧୁନିକ ବିଜ୍ଞାନ ପ୍ରମାଣ କରିଛି ଯେ, ପ୍ରକୃତରେ ମସ୍ତିଷ୍କ ହିଁ ଏହାର ପ୍ରାଣକେନ୍ଦ୍ର । ପ୍ରଥମ ପ୍ରେମାନୁଭୂତି କାଳରେ ହଠାତ୍ ବୃଦ୍ଧିପ୍ରାପ୍ତ ହେଉଥିବା ଏହାର ସ୍ନାୟବିକ ସକ୍ରିୟତାକୁ ମାପି ଆମେରିକାର ନ୍ୟୁୟର୍କ ଏବଂ ନିଉଜର୍‌ସେର କିଛି ସ୍ନାୟୁବିଜ୍ଞାନୀ ଏଇ ସଂପର୍କରେ ଏକ ପ୍ରତିଚ୍ଛବି ପ୍ରସ୍ତୁତ କରିବାକୁ ସମର୍ଥ ହୋଇଛନ୍ତି । ‘ଦ ଜର୍ଣ୍ଣାଲ ଅଫ୍ ନିଉରୋଫିଜୋଲୋଜି’ରେ ୨୦୧୫ ମସିହାରେ ପ୍ରକାଶିତ ଏହି ଗବେଷଣାର ଫଳାଫଳରେ ସେମାନେ ଦର୍ଶାଇଛନ୍ତି ଯେ, ଏଭଳି ଏକ ଜୈବିକ ପ୍ରବୃତ୍ତିର କାମବାସନା ସହିତ କୌଣସି ସଂପର୍କ ନଥାଏ । ବରଂ ଏ ସମୟର ସ୍ନାୟବିକ ମାନଚିତ୍ରର କ୍ଷୁଧା, ତୃଷା କିମ୍ବା ନିଶାଦ୍ରବ୍ୟ ପ୍ରତି ଆସକ୍ତି ସହିତ ଅନେକ ସାମଞ୍ଜସ୍ୟ ରହିଛି । କିନ୍ତୁ ଏ ସଂପର୍କ ଧୀରେ ଧୀରେ ପ୍ରତିଷ୍ଠିତ ହୋଇଗଲେ ସ୍ନାୟବିକ କ୍ରିୟାକଳାପ ବଦଳିବାକୁ ଲାଗେ ଏବଂ ତାହା କାମବାସନାକୁ ରୂପାନ୍ତରିତ ହୁଏ ।

ଟ୍ରାଇଲୋବାଇଟ୍‌ମାନେ ନାନା ଶ୍ରେଣୀର ଥିଲେ । କଙ୍କଡ଼ା, ଲୋବଷ୍ଟର, କ୍ରେଫିସ୍ ଆଦି ହେଲେ ଏଇ ପ୍ରାଗ୍ ଐତିହାସିକ ଜୀବଜାତିର ଆଧୁନିକ ବଂଶଧର। ସମୁଦ୍ର ତଟବର୍ତ୍ତୀ ଅଗଭୀର ଜଳରେ ଏମାନେ ବାସ କରୁଥିଲେ ଏବଂ ଚିଙ୍ଗୁଡ଼ି ବା କଙ୍କଡ଼ାଙ୍କ ଭଳି ତାଙ୍କ ସନ୍ଧିଳ ପାଦ ସାହାଯ୍ୟରେ ସମୁଦ୍ରର ଚଟାଣ ଉପରେ ଯାତାୟାତ କରୁଥିଲେ । ସେମାନଙ୍କର ପର ସଦୃଶ ଗାଲିସି ଥିଲା । ତାହା ତାଙ୍କୁ ପହଁରିବାରେ ତଥା ଶ୍ୱାସକ୍ରିୟା ସଂପାଦନ କରିବାରେ ସହାୟତା କରୁଥିଲା । ଛୋଟ ଛୋଟ ଜଳଜ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ସେମାନେ ଖାଦ୍ୟ ରୂପେ ଗ୍ରହଣ କରୁଥିଲେ । ସୁଦୀର୍ଘ ଶୁଣ୍ଢ ଓ ଯୌଗିକ ଚକ୍ଷୁ ସେମାନଙ୍କୁ ଖାଦ୍ୟ ଅନ୍ୱେଷଣରେ ସାହାଯ୍ୟ କରୁଥିଲା ।

ଆଜିକାଲିର ଉଚ୍ଚ ଶ୍ରେଣୀର ଜୀବଙ୍କ ସହିତ ତୁଳନା କଲେ ଟ୍ରାଇଲୋବାଇଟ୍ ଅତି ସରଳ ମନେହୁଏ । ତେବେ ସେ ସମୟରେ ସେମାନେ ଥିଲେ ପୃଥିବୀର ଶ୍ରେଷ୍ଠ ଜୀବ । ଶରୀରର ଆକାର ଏବଂ ସଂଖ୍ୟା ଦୃଷ୍ଟିରୁ ତଥା ଜୀବନ ଧାରଣର ପଦ୍ଧତିରୁ ସେଗୁଡ଼ିକ ଥିଲେ ସବୁଠାରୁ ଆଗୁଆ । ତେଣୁ ଦୀର୍ଘକାଳ ଧରି ସେମାନଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ ଏବଂ ୧୦୦ ନିୟୁତରୁ ଅଧିକ ବର୍ଷ ଧରି ସେମାନେ ପୃଥିବୀର ସବୁଠାରୁ ଉନ୍ନତ ଜୀବ ରୂପେ ବିଦ୍ୟମାନ ଥିବାର ମନେ କରାଯାଏ । ଏହାପରେ ଜନ୍ମନେଲେ ବିଶାଳକାୟ ‘ସେଫାଲୋପଡ୍’ ବା କପାଳପାଦୀମାନେ । ପ୍ରାୟ ୨୦ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥିବା ଏଇ ପ୍ରାଣୀଗୁଡ଼ିକ ଟ୍ରାଇଲୋବାଇଟ୍‌ମାନଙ୍କୁ ଭୋଜନ କରିବାକୁ ଲାଗିଲେ । ପୁନଶ୍ଚ, ଜଳବାୟୁ ମଧ୍ୟ ବଦଳିବାକୁ ଲାଗିଲା । ଫଳରେ ଆଜିକୁ ପ୍ରାୟ ୨୦୦ ନିୟୁତ ବର୍ଷ ପୂର୍ବେ ସେମାନେ ଧରାପୃଷ୍ଠରୁ ବିଲୁପ୍ତ ହୋଇଗଲେ ।

ପ୍ରାଗ୍ ଐତିହାସିକ ଯୁଗରୁ ଆଜି ମଧ୍ୟରେ ମହାଦେଶୀୟ ଭୂଚଳନ ହେତୁ ପୃଥିବୀର ଭୌତିକ ମାନଚିତ୍ରରେ ଘୋର ପରିବର୍ତ୍ତନ ଆସିଛି । ଦିନେ ଯେଉଁଠି ସୁଗଭୀର ସମୁଦ୍ର ଥିଲା, ଏବେ ସେଠାରେ ମୁଣ୍ଡ ଟେକିଛି ସୁଉଚ୍ଚ ପର୍ବତମାଳା । ଖନନ କଲେ ସେହିଭଳି ସ୍ଥାନରୁ ଟ୍ରାଇଲୋବାଇଟ୍‌ମାନଙ୍କ ଜୀବାଶ୍ମ ମିଳୁଛି । ଆମ ହିମାଳୟର ପାଦଦେଶ ସେହିଭଳି ଏକ ସ୍ଥାନ ।