ବାଲିପାଟଣା, ୨୯/୦୭: ବୃଦ୍ଧା ମା’ଙ୍କ ଚାରିପୁଅ ।  ତିନିପୁଅ ପିଲାଛୁଆଙ୍କ ସହ ବାହାରେ ରହୁଛନ୍ତି  । ସବା ସାନପୁଅ ସପରିବାର ଗାଁରେ । ବୃଦ୍ଧାଙ୍କ ଏକମାତ୍ର ଝିଅ  ଶାଶୂଘରେ । ବୃଦ୍ଧା ମା’ଙ୍କୁ ଅଶୀ ଛୁଇଁବ । ଅଣ୍ଟା ସଳଖି ଛିଡା  ହୋଇପାରୁନାହାନ୍ତି । ଏପରି ସମୟରେ ସିଏ ବିଶ୍ରାମ ନେବା  କଥା । ହେଲେ ବିଶ୍ରାମ ନେବେ କେଉଁଠି ? ବୃଦ୍ଧାଶ୍ରମ, ଜରାଶ୍ରମ ନାଁ ପୁଅମାନଙ୍କ ପାଖରେ? ଚାରିପୁଅ ଥାଇ ବି  ବୃଦ୍ଧା ମା'ଙ୍କୁ ଆଶ୍ରା ମିଳୁନାହିଁ । 

କୌଣସି ପୁଅ ମା’ର ଦୁଃଖ ବୁଝୁନାହାନ୍ତି । ବଡ଼ କି ମଝିଆଁ କେହି ତାଙ୍କୁ ନେଇ ପାଖରେ ରଖିବାକୁ ଚାହୁଁନାହାଁନ୍ତି । ସମ୍ପତ୍ତି ଭାଗ ବଣ୍ଟୁରା ପାଇଁ ବୃଦ୍ଧା ମା’କୁ ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ମା’କୁ ପାଳିବା ପାଇଁ ୪ ପୁଅ, ଝିଅଙ୍କ ମଧ୍ୟରେ ଟଣାଓଟରା ଚାଲିଛି ।  ସାନ ପୁଅ ପାଖରେ ବୃଦ୍ଧା ମା’ ବର୍ଷେ ରହିଥିଲେ । ଆଉ ସେ ରଖିପାରିବେ ନି ବୋଲି ରୋକଠୋକ୍‌ ଶୁଣାଇ ଦେବା ପରେ ମାଆଙ୍କୁ ବହୁ ବର୍ଷ ପାଖରେ ରଖିଥିଲେ ଝିଅ  । ଶାଶୁଘରେ ରଖିବାରେ ଅସୁବିଧା ହେବାରୁ ବୃଦ୍ଧା  ମା’ଙ୍କୁ ନୂଆ ଗାଁ ସ୍ଥିତ ବାପ ଘରକୁ ନେଇ ଆସିଥିଲେ ।  ହେଲେ ମା’କୁ ରଖି ପାରିବେ ନାହିଁ ବୋଲି ଭାଇମାନେ  ଭଉଣୀକୁ ରୋକଠାକ ଶୁଣେଇ ଦେଇଥିଲେ । ଫଳରେ  ଗତ ୬ ତାରିଖରେ ବୃଦ୍ଧାମା’ଙ୍କ  ଝିଅ ଥାନାରେ ଲିଖିତ ଅଭିଯୋଗ  କରିଥିଲେ । 

ଘଟଣାର ସମାଧାନ  ଲାଗି ୪ ପୁଅ, ଝିଅଙ୍କୁ ଥାନାକୁ  ଡକାଇଥିଲା ପୁଲିସ । ବୃଦ୍ଧାମା’ଙ୍କ ମା’ ଯତ୍ନ ନେବା ପାଇଁ  ପୁଲିସ ପିଲାମାନଙ୍କୁ ତାଗିଦ୍‌ କରିଥିଲା । ମାତ୍ର ଥାନାରୁ ଆସିବା ପରେ ପୁଅ ମାନେ ନିଜ ନିଜ ଘରକୁ ଚାଲି  ଯାଇଥିଲେ । ଝିଅ ମା’କୁ ସାଥିରେ ନେଇ ଅପରାହ୍ନ  ପ୍ରାୟ ୫ଟାରେ ନୂଆଗାଁ ସ୍ଥିତ ଘରେ ପହଁଞ୍ଚି ଥିଲା । ଗାଁ  ରେ ରହୁଥିବା ସାନ ପୁଅ ମା’କୁ ଘରେ ରଖି ନ ଥିଲା ।  ଫଳରେ ବୃଦ୍ଧାମା’ ଗାଁ ମନ୍ଦିରରେ ପ୍ରାୟ ଅଢେଇ ଘଣ୍ଟା  ଆଶ୍ରୟ ନେଇଥିଲା । ଗାଁର କିଛି ଯୁବକ ବୃଦ୍ଧାମା’ଙ୍କ  ସାନପୁଅ ପାଖକୁ ଯାଇ ଘଟଣାବାବଦରେ ବୁଝି ଥିଲେ ।  ସାନ ପୁଅକୁ ତାଗିଦ୍‌ କରିବା ପରେ ସେ ମା’କୁ  ଘରେ ଆଶ୍ରୟ ଦେଇଛନ୍ତି । ଘଟଣାଟି ବାଲିପାଟଣା  ଥାନା ନୂଆଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।