ବ୍ରହ୍ମପୁର,୨୩/୦୫(ସ୍ୱାଧୀନ ସାହୁ): କଇଁଛ । ପରିବେଶ ସ୍ୱାସ୍ଥ୍ୟର ସୂଚକ, ସ୍ୱଚ୍ଛ ଜଳର ବାର୍ତ୍ତାବହ । ମୃତ ଜୀବ ଓ ଜୈବ ଅବଶେଷ ଖାଇ ଜଳାଶୟ ସ୍ୱଚ୍ଛ ରଖେ । ଖାଦ୍ୟ ଶୃଙ୍ଖଳାର ସନ୍ତୁଳନ ବଜାୟ ରଖି ଜୈବ ବିବିଧତାକୁ ସୁରକ୍ଷିତ କରେ କଇଁଛ । ଏହାର ଅଣ୍ଡା ଓ ଜୈବ ଅବଶେଷ ମାଟିକୁ ପୋଷକ ତତ୍ତ୍ୱ ଯୋଗାଏ । ଗହୀରମଥା ଓ ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ବିଶାଳ ସମାବେଶ ବିଶ୍ୱ ଜୈବ ବିବିଧତାକୁ ସମୃଦ୍ଧ କରେ । ବିଭିନ୍ନ କାରଣରୁ ଏହି ବିରଳ ପ୍ରାଣୀ ଏବେ ବିଲୁପ୍ତ ହେବାକୁ ବସିଛି । କଇଁଛଙ୍କୁ ବଞ୍ଚାଇବା ଅର୍ଥ ଆମ ପରିବେଶ ଓ ଭବିଷ୍ୟତ ପିଢ଼ି ପାଇଁ ପୃଥିବୀକୁ ବଞ୍ଚାଇବା । ଆଜି ବିଶ୍ୱ କଇଁଛ ଦିବସରେ ଏହି ଅମୂଲ୍ୟ ପ୍ରାଣୀ ସମ୍ପଦକୁ ରକ୍ଷା କରିବାକୁ ଶପଥ ନେବା ।
ଗଞ୍ଜାମ ଉପକୂଳ ଋଷିକୁଲ୍ୟା ମୁହାଣକୁ ପ୍ରତିବର୍ଷ ହଜାର ହଜାର ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେ ଆସନ୍ତି । ମିଳନ ପରେ ଗଣ ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାନ୍ତି । କିନ୍ତୁ ଅଣ୍ଡାରୁ ଶାବକ ଜନ୍ମ ପରେ ସେମାନେ ଜଳରାଶିକୁ ଫେରିବା ବାଟରେ ବିଭିନ୍ନ କାରଣରୁ ମୁତ୍ୟୁ ମୁଖରେ ପଡୁଛନ୍ତି । ଏହାର ଏକ ପ୍ରମୁଖ କାରଣ ହେଉଛି ସମୁଦ୍ର ତଟବର୍ତ୍ତୀ ଗ୍ରାମରେ ଅତ୍ୟାଧୁନିକ ଆଲୋକୀକରଣ ବ୍ୟବସ୍ଥା । ଡେରାଡୁନ୍ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ଗବେଷକ ଡ. ବିଭାସ ପାଣ୍ଡବ କହିଛନ୍ତି, ଅଣ୍ଡାରୁ ବାହାରିବା ପରେ କଇଁଛ ଶାବକ ଆଲୋକ ପ୍ରତି ଆକୃଷ୍ଟ ହୁଅନ୍ତି । ଫଳରେ ସମୁଦ୍ରମୁହାଁ ହେବା ପରିବର୍ତ୍ତେ ନିଜର ଗତିପଥ ପରିବର୍ତ୍ତନ କରି ସ୍ଥଳଭାଗମୁହାଁ ହେଉଛନ୍ତି । ଏହାଦ୍ୱାରା ଅଧିକ ଶାବକଙ୍କ ମୁତ୍ୟୁ ହେଉଛି । ଏ ଦିଗକୁ ଦୃଷ୍ଟି ଦେଇ ଋଷିକୁଲ୍ୟା ମୁହାଣ ଠାରୁ ପ୍ରାୟ ୮ କିଲୋମିଟର ଅଞ୍ଚଳରେ କଇଁଛ ଶାବକଙ୍କୁ ସୁହାଇବା ଭଳି ଆଲୋକ ବ୍ୟବସ୍ଥା (ଟର୍ଟଲ ଫ୍ରେଣ୍ଡ୍ଲି ଲାଇଟିଂ) କରିବାର ଅବଶ୍ୟକତା ରହିଛି ।
ଋଷିକୁଲ୍ୟା ମୁହାଣରେ ଗତ ବର୍ଷ ଗଣ ଅଣ୍ଡାଦାନ ବିଶ୍ୱ ରେକର୍ଡ କରିଥିଲା । କିନ୍ତୁ ଚଳିତ ବର୍ଷ ଅପେକ୍ଷାକୃତ ବହୁ କମ୍ ସଂଖ୍ୟକ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୨୫ରେ ୯ ଲକ୍ଷ ୪ ହଜାର କଇଁଛ ଦୁଇଟି ପର୍ଯ୍ୟାୟରେ ଗଣ ଅଣ୍ଡାଦାନ କରିଥିଲେ । କିନ୍ତୁ ୨୦୨୬ରେ ମାତ୍ର ୨ ଲକ୍ଷ ୧୫ ହଜାର କଇଁଛ ଏଥିରେ ସାମିଲ ହୋଇଥିଲେ । ଚଳିତ ଥର ଡାଇନାମିକ୍ ବିଚ୍ରେ ଅଣ୍ଡାଦାନ ହୋଇଥିଲା । ବାହାରୁ ଆସିଥିବା ପ୍ରେଡିଏଟର (କଇଁଛ)ଙ୍କ ପାଇଁ ଅଣ୍ଡା ସୁରକ୍ଷା ଚିନ୍ତା ନଥିଲା । କିନ୍ତୁ ଅଣ୍ଡାରୁ ଶାବକ ଜନ୍ମ ନେବା ପରେ ଜଳରାଶିକୁ ଫେରିବା ଥିଲା ଏକ ଚ୍ୟାଲେଞ୍ଜ୍ । ଏଥର ମଧ୍ୟ ଶାବକ ବାହାରିବା ସମୟରେ ଭୁଲ ଦିଗରେ ଯାଇ ମୁତ୍ୟୁର ଶିକାର ହୋଇଛନ୍ତି । ଅନେକ କଇଁଛ ଶାବକ ବେଳାଭୂମିରେ ଥିବା ଜାଲରେ ଲାଗି ଛଟପଟ ହୋଇ ମରିଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ବାଡ଼ରେ ଲାଖିଯାଇ ଓ କେତେକ କ୍ଷେତ୍ରରେ ତାହାକୁ ଅତିକ୍ରମ କରି ବାହାରକୁ ଯାଇ ମଧ୍ୟ ମରିଛନ୍ତି ।
ସେମାନଙ୍କ ପାଇଁ ପ୍ରତିକୂଳ ସ୍ଥଳଭାଗ, ସେଠାରେ ବିଚରଣ କରୁଥିବା କୁକୁର ଓ ଅନ୍ୟ ଜନ୍ତୁ ତଥା ପକ୍ଷୀମାନଙ୍କ ଆହାର ପାଲଟି ଯାଇଛନ୍ତି । ଏହା ପଛରେ କଇଁଛ ଶାବକଙ୍କୁ ପଥଭ୍ରଷ୍ଟ କରୁଥିବା ଆଧୁନିକ ଆଲୋକୀକରଣ ବ୍ୟବସ୍ଥା ପ୍ରମୁଖ କାରଣ ବୋଲି କହନ୍ତି ଗବେଷକ । ପ୍ରାୟ ତିନି ଦଶନ୍ଧି ଧରି ଋଷିକୁଲ୍ୟା ଉପକୂଳରେ କଇଁଛ ସମ୍ପର୍କିତ ଗବେଷଣାରେ ନିୟୋଜିତ ବିଭାସ ପାଣ୍ଡବଙ୍କ ମତରେ କଇଁଛଙ୍କ ପାଇଁ ବଡ଼ ଶତ୍ରୁ ସାଜିଛି ଅତି ଉଜ୍ଜ୍ୱଳ ଆଲୋକ । କଇଁଛମାନେ ସାଧାରଣତଃ ଚନ୍ଦ୍ରାଲୋକକୁ ନେଇ ନିଜର ଗତିପଥ ଧାର୍ଯ୍ୟ କରନ୍ତି । ହାଇମାଷ୍ଟ୍ ହେଉ କିମ୍ଭା ଏଲ୍ଇଡି ଲାଇଟ୍ ଚନ୍ଦ୍ରର ଭ୍ରମ ସୃଷ୍ଟି କରୁଛି । ଫଳରେ ସେମାନେ ନିଜର ଗତିପଥ ବଦଳାଇ ସ୍ଥଳ ଭାଗ ଆଡ଼କୁ ଚାଲି ଯାଉଛନ୍ତି । ତାଙ୍କ ପାଖରେ ସ୍ଥଳ ଭାଗରେ ଚାଲିବା ପାଇଁ ଥିବା ଶକ୍ତି ନଷ୍ଟ ହେଉଛି ଓ ସେମାନେ ଜଳରାଶିକୁ ଫେରି ପାରୁ ନାହାନ୍ତି । ହିଂସ୍ରଜନ୍ତୁ, ପକ୍ଷୀଙ୍କ ଶିକାର ସାଜୁଛନ୍ତି । ଜାଲ ଏବଂ ବିଭିନ୍ନ ସ୍ଥାନରେ ଲାଖିଯାଇ ପ୍ରାଣ ହରାଉଛନ୍ତି । ଏବେ ସମୁଦ୍ର ତଟବର୍ତ୍ତୀ ଗ୍ରାମାଞ୍ଚଳରେ ବି ଏଲ୍ଇଡି ଲାଇଟ୍ ସାଙ୍ଗକୁ ହାଇମାଷ୍ଟ, ମିନି ହାଇମାଷ୍ଟ ଦେଖିବାକୁ ମିଳୁଛି । ଉପକୂଳରୁ ପ୍ରାୟ ୭ରୁ ୮ କିମି ପର୍ଯ୍ୟନ୍ତ ଅଞ୍ଚଳରେ ଧଳା ବଦଳରେ ହଳଦିଆ ଓ ଲାଲ ରଙ୍ଗର ମାତ୍ରା ଅଧିକ ରହିଥିବା ଆଲୋକ (ଟର୍ଟଲ ଫ୍ରେଣ୍ଡଲି ଲାଇଟ୍) ଲଗାଇବାର ଆବଶ୍ୟକତା ରହିଛି । ଫଳରେ କଇଁଛ ଶାବକ ଦିଗଭ୍ରଷ୍ଟ ନହୋଇ ସୁରକ୍ଷିତ ଜଳରାଶିକୁ ଫେରି ପାରିବେ ବୋଲି ସେ କହିଛନ୍ତି ।
ଶାବକଙ୍କ ଫେରିବା ସହଜ
ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛ ଗଞ୍ଜାମର ଅତିଥି । ଏମାନଙ୍କ ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ । ଜିଲ୍ଲାର ଉପକୂଳରେ ୭ ମାସ ଧରି ଏମାନଙ୍କ ଗତିବିଧି ରହିଥାଏ । କ୍ରମଶଃ ଏମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ତଫସିଲ-୧ରେ ରଖାଯାଇଛି । ଅଲିଭ୍ ରିଡ୍ଲେ ଗତିବିଧିରେ ଗଣଅଣ୍ଡାଦାନ ଏକ ପ୍ରମୁଖ ଅଂଶ । ତେବେ ବେଳାଭୂମି କ୍ଷୟ ଗଣଅଣ୍ଡାଦାନରେ ପ୍ରଭାବ ପକାଉଛି । ୧୯୯୪ ମସିହାରୁ ନିୟମିତ ଗଞ୍ଜାମ ଉପକୂଳରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇ ଆସୁଛି । ପ୍ରତିକୂଳ ପାଣିପାଗ କାରଣରୁ ୨୦୧୬, ୨୦୧୯, ୨୦୨୧ ଓ ୨୦୨୪ରେ ଗଣ ଅଣ୍ଡାଦାନ ହୋଇ ନାହିଁ । ଏପରି ସ୍ଥିତିରେ ସୁରକ୍ଷିତ ସ୍ଥଳ ଭାବେ ଦୁଇ ଥର ଆଇଲାଣ୍ଡ୍ ବିଚ୍ (ଡାଇନାମିକ୍ ବିଚ୍) କୁ ବାଛିଛନ୍ତି କଇଁଛ । ଉତ୍କୃଷ୍ଟ ଜଳବାୟୁ ଓ ପରିବେଶ କାରଣରୁ ଋଷିକୁଲ୍ୟା ମୁହାଣ ସାମୁଦ୍ରିକ କଇଁଛଙ୍କ ପ୍ରଜନନର ଏନ୍ତୁଡ଼ିଶାଳ ସାଜିଛି । ସେମାନଙ୍କ ସଂରକ୍ଷଣ ପାଇଁ ପ୍ରତିବର୍ଷ ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ସମୁଦ୍ରରେ ମାଛମରା ଉପରେ କଟକଣା ଜାରି କରିବା ସହିତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଯୋଗାଉଛି । ବନ ବିଭାଗ ସମ୍ଭାବ୍ୟ ଅଣ୍ଡାଦାନ ଅଞ୍ଚଳ ଓ ମିଳନ ସ୍ଥଳରେ ମତ୍ସ୍ୟଜୀବୀଙ୍କ ପ୍ରବେଶ କଟକଣା ଜାରି କରିଛି । ପ୍ରତିବର୍ଷ ନଭେମ୍ବର ୧ରୁ ପରବର୍ଷ ମେ ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରୁହେବ । ଋଷିକୁଲ୍ୟା ମୁହାଣରେ ବେଳାଭୂମି କ୍ଷୟ କ୍ରମଶଃ ଜାରି ରହିଛି । ଏପରି ସ୍ଥିତିରେ କଇଁଛଙ୍କ ପାଇଁ ସୁରକ୍ଷିତ ସ୍ଥଳ ପାଲଟୁଛି ସମୁଦ୍ର ଓ ନଦୀ ମଧ୍ୟରେ ଥିବା ବାଲୁକା ଶଯ୍ୟା । ଗୋଖରକୁଦା ନିକଟରେ ଋଷିକୁଲ୍ୟା ନଦୀ ଓ ବଙ୍ଗୋପସାଗର ମଧ୍ୟରେ ପ୍ରାକୃତିକ ଭାବେ ପ୍ରସ୍ତୁତ ବାଲିଶଯ୍ୟା ଚଳିତ ବର୍ଷ ବି କଇଁଛଙ୍କ ପସନ୍ଦ ହୋଇଥିଲା । ଏଠାରେ ୪ ଦିନ ଧରି ଗଣଅଣ୍ଡାଦାନ ହୋଇଥିବା ବେଳେ ୨ ଲକ୍ଷ ୧୪ ହଜାର କଇଁଛ ଏଥିରେ ସାମିଲ ହୋଇଥିଲେ ।
ପୂର୍ବରୁ ୨୦୨୩ରେ ଉକ୍ତ ଡାଇନାମିକ୍ ବିଚରେ ଗଣ ଅଣ୍ଡାଦାନ ହୋଇଥିଲା । ୨୦୨୩ରେ ୬ ଲକ୍ଷ ୩୪ହଜାର କଇଁଛ ଅଣ୍ଡାଦାନ କରିଥିଲେ । ୩ ବର୍ଷ ବ୍ୟବଧାନରେ ପୁଣି ସେଠାରେ ଚଳିତ ବର୍ଷ ଅଣ୍ଡାଦାନ ହୋଇଥିଲା । ପ୍ରତିବର୍ଷ ଋଷିକୁଲ୍ୟା ମୁହାଣକୁ କଇଁଛଙ୍କ ଆଗମନ ସଂଖ୍ୟା ବଢ଼ିବାରେ ଲାଗିଛି । ଗହୀରମଥାରେ କଇଁଛଙ୍କ ଆଗମନ କମିଥିବା ବେଳେ ଚଳିତ ବର୍ଷ ଗଣଅଣ୍ଡାଦାନ ହୋଇ ନାହିଁ । ଏପରି ସ୍ଥିତିରେ ବିଗତ ବର୍ଷ ଗଣ ଅଣ୍ଡାଦାନରେ ଋଷିକୁଲ୍ୟା ମୁହାଣରେ ୯ ଲକ୍ଷ ୪ ହଜାର କଇଁଛ ସାମିଲ ହେବା ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଏବେ ସମସ୍ତ ଦିଗକୁ ଦେଖିଲେ ଗଞ୍ଜାମ ଉପକୂଳ କଇଁଛଙ୍କ ପାଇଁ ଉତ୍କୃଷ୍ଟ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି ।
ଗୋଲିଆରେ ଇଣ୍ଡିଆନ୍ ଫ୍ଲାପ୍ସେଲ୍ ଟର୍ଟଲ
ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବୈଭବ ଓ ସମ୍ପଦରେ ଭରପୂର । ସେଥିରୁ ଅନ୍ୟତମ ହେଉଛି କଇଁଛ । ଜିଲ୍ଲାକୁ ପ୍ରତିବର୍ଷ ସାମୁଦ୍ରିକ ଅତିଥି ତଥା ବିରଳ ପ୍ରଜାତିର କଇଁଛ ଅଲିଭ୍ ରିଡ୍ଲେଙ୍କ ଆଗମନ ହେଉଛି । ସେମାନଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଜିଲ୍ଲାର କିଛି ସ୍ଥାନରେ ବର୍ଷ ବର୍ଷ ଧରି ହଜାର ହଜାର କଇଁଛ ବସବାସ କରୁଛନ୍ତି । କିନ୍ତୁ ସେମାନଙ୍କ ସଂରକ୍ଷଣ ପ୍ରତି କୌଣସି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି । ସେହିପରି ଏକ ସ୍ଥାନ ହେଉଛି ବୁଗୁଡ଼ା ବ୍ଲକ୍ର ଗୋଲିଆ । ଏହି ଗ୍ରାମର ଜଳାଶୟରେ ଏକ ବିରଳ ପ୍ରଜାତିର କୂର୍ମଙ୍କୁ (କଇଁଛ) ଦେଖିବାକୁ ମିଳିଥାଏ । ପାଖାପାଖି ହଜାରେରୁ ଅଧିକ କୂର୍ମ ରହିଥିଲେ ହେଁ ସୁରକ୍ଷା ଅଭାବରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳରେ ଥିବା ଗୋଲିଆ ଗ୍ରାମର ଲଙ୍ଗଳେଶ୍ୱର ମହାଦେବଙ୍କ ମନ୍ଦିର ପାଶ୍ୱର୍ବର୍ତ୍ତୀ ପୋଖରୀରେ ଅଛନ୍ତି ସହସ୍ରାଧିକ କୂର୍ମ । ଏହା ହେଉଛି ପାଣି କଇଁଛ (ଇଣ୍ଡିଆନ୍ ଫ୍ଲାପ୍ସେଲ ଟର୍ଟଲ) ର ଏକ ପ୍ରଜାତି ।
ସାଧାରଣ କଇଁଛଙ୍କ ଠାରୁ ଏମାନଙ୍କ ମୁଣ୍ଡ ଟିକିଏ ବଡ଼ ଓ ସାମାନ୍ୟ ତୀକ୍ଷ୍ଣ । କିମ୍ବଦନ୍ତୀ ଅନୁଯାୟୀ, ଶତାଧିକ ବର୍ଷ ତଳେ ଗୋଲିଆର ହାତୀରାମ ଦୋରା ପୁରୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ପ୍ରଥମେ ଦୁଇଟି କଇଁଛଙ୍କୁ ଆଣି ଏହି ସ୍ଥାନରେ ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ପୋଖରୀରେ ପର୍ଯ୍ୟାୟକ୍ରମେ ସେମାନଙ୍କ ବଂଶବିସ୍ତାର ହୋଇଥିଲା । ୧୦ ଏକରରେ ଥିବା ଏହି ପୋଖରୀରେ ବର୍ତ୍ତମାନ ପାଖାପାଖି ହଜାରେ କଇଁଛ ରହୁଛନ୍ତି । ଗ୍ରାମବାସୀମାନେ କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ପୋଖରୀରୁ ଦୀର୍ଘ ସମୟ ହେଲା ମାଛ ଧରା ବନ୍ଦ କରି ଦେଇଛନ୍ତି । ସ୍ଥାନୀୟ ବାସିନ୍ଦା ହରିଶ ପାଢ଼ୀ କହନ୍ତି, ପୂର୍ବରୁ ଏହି ସ୍ଥାନରେ ୨୫୦୦ରୁ ୩ ହଜାର କଇଁଛଙ୍କୁ ଦେଖିବାକୁ ମିଳୁଥିଲା । କୋଭିଡ୍ ପୂର୍ବରୁ ଏହାର ସଂରକ୍ଷଣ ଦାୟିତ୍ୱ ବନ ବିଭାଗ ନେଇଥିଲା । ପୋଖରୀ ଚାରିପଟେ ତାର ବାଡ଼ ତିଆରି କରିବା ସହ ସେମାନଙ୍କ ବଂଶବିସ୍ତାରକୁ ଗୁରୁତ୍ୱ ଦେଇ ଗ୍ରାମ ଶେଷରେ ଆଉ ଏକ ପୋଖରୀ ଖୋଳାଯାଇଥିଲା । ସୁରକ୍ଷା ପାଇଁ ଦୁଇ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । କିନ୍ତୁ ଗତ ୩ ବର୍ଷ ହେଲା କେହି ଆସୁନାହାନ୍ତି । କୂର୍ମ ସଂରକ୍ଷଣ କାର୍ଯ୍ୟ ଅଧାରେ ଅଟକି ଯାଇଛି ।
ସୁରକ୍ଷା ଓ ଇକୋ ଟୁରିଜିମ୍ ପାଇଁ ପ୍ରସ୍ତାବ ଯାଇଛି
ଅଞ୍ଚଳର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ପରିବେଶବିତ୍ ସ୍ଥିତଧୀ ରଥଙ୍କ କହିବା ମୁତାବକ, ଏବେ କୂର୍ମମାନେ ରହୁଥିବା ପୋଖରୀରେ ଖାଦ୍ୟ ଅଭାବ ହେଲାଣି । ଆମେ ପୂର୍ବରୁ ଧାର୍ମିକ ଭାବନା ସହ ବୁଗୁଡ଼ାରୁ ମୁଢ଼ି ଧରି ସେଠାକୁ ନେଇ ଖାଇବାକୁ ଦେଉଥିଲୁ । କିଛି କାରଣରୁ କ୍ରମଶଃ ଲୋକଙ୍କ ଯିବା କମିଗଲା । କୂର୍ମମାନେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସିବା ସମୟରେ ଅସାଧୁ ବ୍ୟକ୍ତି ସେମାନଙ୍କୁ ମାରି ଖାଇ ଦେଉଥିଲେ । ଫଳରେ ସେମାନଙ୍କ ସଂଖ୍ୟା କମି ଯାଇଛି । ସେମାନଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ବାସିନ୍ଦା ଓ ବନ ବିଭାଗର ମିଳିତ ପ୍ରୟାସ ଜରୁରି । ବୁଗୁଡ଼ା ରେଞ୍ଜର୍ ମାନସ ରଞ୍ଜନ ସାହୁ କହିଛନ୍ତି, ଗୋଲିଆର ଉକ୍ତ ପୋଖରୀକୁ ଇକୋ ଟୁରିଜମ୍ ପ୍ରକଳ୍ପରେ ସ୍ଥାନିତ କରିବାକୁ ପ୍ରସ୍ତାବ ଦିଆଯାଇଛି । କଇଁଛଙ୍କ ସୁରକ୍ଷା ପାଇଁ ଦୁଇ ଜଣ କର୍ମଚାରୀ ନିୟୋଜନ, ସୋଲାର ଲାଇଟିଂ, ସେମାନେ ଅଣ୍ଡାଦାନ କରିବାକୁ ବାଲି ର୍ୟାମ୍ପ୍ ଆଦି ପ୍ରସ୍ତୁତ କରିବାକୁ ଆବଶ୍ୟକ ପାଣ୍ଠି ପ୍ରଦାନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ । ବିଭାଗୀୟ ଅନୁମୋଦନ ପରେ ସଂରକ୍ଷଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ।