ଆମ ପଡ଼ିଶା ଘରର ଅବିନାଶ ବାବୁ ସେଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ତାଙ୍କ ପତ୍ନୀ ସୁମିତ୍ରା ଦେବୀଙ୍କ ଅନୁରୋଧ କ୍ରମେ ମୁଁ ତାଙ୍କୁ ଡାକ୍ତରଖାନା ଯିବାର ବ୍ୟବସ୍ଥା କରିବା ସହିତ ଅନ୍ୟାନ୍ୟ ସହଯୋଗ ବି ଯୋଗାଇଦେଲି । କେବଳ ସେଦିନ ନୁହେଁ, ଗତ କିଛି ମାସ ହେବ ଏମିତି ମଝିରେ ମଝିରେ ସେ ଅସୁସ୍ଥ ହେଉଥିବା ମୁଁ ଦେଖୁଛି । ଅବିନାଶ ବାବୁ ଜଣେ ଅତି ଭଦ୍ରଲୋକ । ଛୋଟକାଟର ସରକାରୀ ଚାକିରି ଖଣ୍ଡେ କରିଥିଲେ । ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର । ସମସ୍ତଙ୍କୁ ପାଠଶାଠ ପଢ଼ାଇ ଉଚ୍ଚଶିକ୍ଷିତ କରାଇଛନ୍ତି । ଝିଅମାନେ ବାହା ହୋଇ ଗଲେଣି । ପୁଅଟି ବାହାରେ କେଉଁଠି ଇଞ୍ଜିନିୟର ଭାବେ ଚାକିରି କରୁଛି । ନିଜ ସ୍ତ୍ରୀକୁ ନେଇ ପାଖରେ ରଖିଛି । ପେନସନ ଗଣ୍ଡାକ ଯାହା ମିଳେ ସେଥିରେ ଆପାତତଃ ଦୁଇ ପ୍ରାଣୀ ଚଳିଯାଆନ୍ତି । ନିହାତି ଅସୁବିଧା ନହେଲେ ଅବିନାଶ ବାବୁ କେବେ ବି କାହାରି ସାହାଯ୍ୟ ଲୋଡ଼ନ୍ତି ନାହିଁ । ସେଦିନ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ଅବିନାଶ ବାବୁ ତାଙ୍କ ଘରକୁ ମୋତେ ଡକାଇ ପଠାଇଲେ । ସାମାନ୍ୟ ଚାହା ପାନର ବିରତି ପରେ ଅବିନାଶ ବାବୁ ତାଙ୍କର ଏକମାତ୍ର ପୁଅର କାର୍ଯ୍ୟକଳାପ ମୋ ଆଗରେ ବଖାଣି ବସିଲେ ।
ବାହାଘର ପରେ ପୁଅ ଅନିମେଷ ଆଉ ଆଗପରି ସେମାନଙ୍କ ସହିତ ଭଲ ସମ୍ପର୍କ ରକ୍ଷା କରୁନି । ସେମାନଙ୍କ ପାଖକୁ ଟଙ୍କା ପଇସା ପଠାଇବା ତ ଦୂରର କଥା ତା'ଠାରୁ ଫୋନ କଲ୍ଟିଏ ପାଇବାକୁ ବି ମାସ ମାସ ଅପେକ୍ଷା କରିବାକୁ ପଡୁଛି । ତା' ଶଶୁର ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନଙ୍କ ଚଳିବା ଲାଗି ମାସକୁ ଟଙ୍କା ପଠାଉଛି । ଇତିମଧ୍ୟରେ ହାତରୁ ପଇସା ଖର୍ଚ୍ଚ କରି ତା'ର ଦୁଇ ଦୁଇଟି ଶାଳୀଙ୍କର ବାହାଘର ବି ସେ କରି ସାରିଲାଣି । ଶାଶୂ-ଶଶୁରଙ୍କୁ ତୀର୍ଥ ବୁଲାଇ ଆଣିବା ସହିତ ଏବେ ଶଶୁର ଘର ପାଖାପାଖି ଜାଗା ଖଣ୍ଡେ କିଣି ସେଠାରେ ଘର ତିଆରି କରୁଛି । ଆମର ଏଠି ଘର ଆଉ ଘର ପାଖକୁ ଲାଗି ଜାଗାଜମି ରହିଥିବା ବେଳେ ସ୍ତ୍ରୀ ବୁଦ୍ଧିରେ ପଡ଼ି ସେଠି ପୁଣି ଜାଗା କିଣି ଘର କରିବା କ'ଣ ଦରକାର କହିଲେ । ସତ କହିଲେ ଆଜ୍ଞା, ପୁଅ ଜନମ କରି ଆମେ କ'ଣ ପାପ କରିଛୁ । ମନରେ କେତେ ଆଶା ଭରସା ନେଇ ତାକୁ ପାଠ ପଢ଼େଇ ମଣିଷ କରିଥିଲୁ । ଶେଷରେ କ'ଣ ଏୟା ଦେଖିବା ପାଇଁ । ନାତିଟା ମୋର ପାଞ୍ଚ ବର୍ଷର ହେଲାଣି । ତାକୁ ପାଖରେ ରଖି ଟିକେ ଗେହ୍ଲ କରିବାକୁ ଆଉ ତା' ସାଙ୍ଗରେ ଟିକେ ଖୁସି ମଜାକି ହେବାକୁ ଆମ ଦୁହିଁଙ୍କର କେତେ ଇଚ୍ଛା ହେଉଛି । ହେଲେ କ'ଣ ଆଉ କରିବୁ ମନକୁ ମାରି ରହିବା କଥା । ଆମର ଦେହପା' ଖରାପ ହେଲେ ଝିଅ ଦୁଇଟା ଯେଉଁ ବ୍ୟସ୍ତ ହେଉଛନ୍ତି, ଯେଉଁ ଶ୍ରଦ୍ଧା ଓ ଆନ୍ତରିକତା ଦେଖାଉଛନ୍ତି ସେକଥା କୁହନ୍ତୁନି । ମଝିରେ ମଝିରେ ବି ଆସି ଆମର ସେବାଯତ୍ନ କରି ପୁଣି ଚାଲି ଯାଉଛନ୍ତି । ଅଥଚ ପୁଅଟାର ଚେତା ପଶୁନି । ବର୍ଷେ ଦୁଇ ବର୍ଷରେ ଥରେ ଯେବେ ବି ଆସୁଛି ଆଗେ ଶଶୁର ଘରକୁ ଆସୁଛି । ପରେ ଦିନେ ଦୁଇଦିନ ପାଇଁ ଏଠାକୁ ଆସି ବୁଲି ଯାଉଛି । ବୁଝିଲେ ଆଜ୍ଞା, ଆମେ ବେଶ୍ ଭଲଭାବେ ଜାଣି ସାରିଲୁଣି ପୁଅଟା ଆଉ ଜମାରୁ ଆମକୁ ଅମଳ ଦେବନି । ଏତିକିରେ ଅବିନାଶ ବାବୁଙ୍କ କଥାରେ ପୂର୍ଣ୍ଣଚ୍ଛେଦ ପକାଇ ମୁଁ କହିଲି ଆଜ୍ଞା, ଏହା କେବଳ ଆପଣଙ୍କ କ୍ଷେତ୍ରରେ ଘଟିନି ବରଂ ଅଧିକାଂଶ ପରିବାରରେ ଏମିତି ଘଟଣାମାନ ଘଟୁଛି ।
ନିଜ ବାପାବୋଉ, ଭାଇଭଉଣୀ ଓ ପ୍ରିୟ ପରିଜନଙ୍କୁ ପାଦରେ ଆଡ଼େଇ ଦେଇ ବିବାହିତ ପୁଅମାନେ ଏବେ ଶଶୁର ଘର ମାୟାରେ ପୂରାପୂରି ବାୟା ହୋଇଯାଇଛନ୍ତି । ନିଜ ବାପାବୋଉଙ୍କୁ ବୁଢ଼ାବୁଢ଼ୀ କହୁଥିବା ଏହି ଅକୃତଜ୍ଞ ପୁଅମାନେ ସେମାନଙ୍କ ଶାଶୂ ଶଶୁରଙ୍କୁ ବାପାବୋଉ ବୋଲି ସମ୍ଭୋଧନ କରୁଛନ୍ତି । ଯିଏ ଜନ୍ମଦେଲେ, ପାଳିପୋଷି କରି ସାନରୁ ବଡ଼ କଲେ ଆଉ ପାଠଶାଠ ପଢ଼ାଇ ମଣିଷ ବି କଲେ, ସେମାନେ ଶେଷରେ ପର ହୋଇଗଲେ । ଏ ହେଉଛି ଆଜିର ଦୁନିଆରେ ପୁଅମାନଙ୍କ କାର୍ଯ୍ୟକଳାପ । ଅବିନାଶ ବାବୁଙ୍କ ଠାରୁ ବିଦାୟ ନେଇ ଆସିଲି ସତ, ହେଲେ ବିବାହ ବନ୍ଧନରେ ଆବଦ୍ଧ ହୋଇନଥିବା ମୋର ଏକମାତ୍ର ପୁଅ କଥା ଭାବି ସେଦିନ ରାତିରେ ମୋତେ ଜମାରୁ ଭଲ ନିଦ ହେଲାନି । କିଛିଦିନ ପୂର୍ବରୁ ମୋର ଜଣେ ବନ୍ଧୁଙ୍କ ଭଲ ରୋଜଗାରିଆ ପୁଅର ବାହାଘର କଥା ମନେ ପଡ଼ିଲା । ବିଚରା ପୁଅ ବାହାଘର କରିବ ବୋଲି ବର୍ଷ ବର୍ଷ ଧରି ବୁଲିବା ପରେ ଶେଷରେ ଗୋଟିଏ ଜାଗାରେ ପ୍ରସ୍ତାବ ଲାଗିଲା । ପୁଅଝିଅ ଓ ପରିବାର ସଦସ୍ୟଙ୍କ ପକ୍ଷରୁ ପରସ୍ପରକୁ ଦେଖାଦେଖି କରିବା ପରେ ବାହାଘର ଫାଇନାଲ ହେଲା । ଝିଅର ପରିବାର ଆର୍ଥିକ ଦୃଷ୍ଟିରୁ ସେମିତି ସ୍ୱଚ୍ଛଳ ନୁହଁନ୍ତି । ବରଯାତ୍ରୀଙ୍କୁ ଭୋଜିଭାତରେ ଆପ୍ୟାୟିତ କରିବା, ଝିଅକୁ ସୁନାଗହଣା ଦେବା ତଥା ଆବଶ୍ୟକ ସାମଗ୍ରୀ ଦେବାରେ ଶଶୁର ଅସମର୍ଥ ଥିବା ଜାଣିବା ପରେ ମୋର ବନ୍ଧୁଙ୍କ ପୁଅ ଝିଅ ଆକଉଣ୍ଟକୁ ଆଗୁଆ ଦୁଇ ଲକ୍ଷ ଟଙ୍କା ପଠାଇ ଦେଲା । ତା'ପରେ ବାହାଘରର କର୍ମକାର୍ଯ୍ୟ ଯଥାରୀତି ସମ୍ପନ୍ନ ହେଲା । ଏକଥାଟା ଅବଶ୍ୟ ମୋର ବନ୍ଧୁ କିଛି ଦିନ ପରେ କୌଣସି ସୂତ୍ରରୁ ଜାଣିବା ପରେ ମୋ ଆଗରେ ପ୍ରକାଶ କରିଥିଲା । ବାହାଘର ପୂର୍ବରୁ ଯିଏ ଏତିକି କରିପାରେ, ବାହାଘର ପରେ ଶଶୁର ଘରର ସବୁକଥା ବୁଝିବାକୁ ସିଏ କ'ଣ କେବେ କୁଣ୍ଠାବୋଧ କରିପାରିବ! ଆଜିକାଲି ଅଧିକାଂଶ ବିବାହିତ ପୁଅ ଆବଶ୍ୟକତା ଠାରୁ ଅଧିକ ନିଜ ଶଶୁର ଘରର ଦାୟିତ୍ୱ ତୁଲାଉଛନ୍ତି । ଶାଶୂ-ଶଶୁରଙ୍କ ସେବା କରିବା ସହିତ ସେମାନଙ୍କ ଚଳିବାର ସମସ୍ତ ଖର୍ଚ୍ଚ ବହନ ବି କରୁଛନ୍ତି । ପରସ୍ପରକୁ ପ୍ରେମ କରି ବାହା ହେଉଥିବା ପୁଅଝିଅମାନଙ୍କ କ୍ଷେତ୍ରରେ କଥା ତ ଆହୁରି ଅଡୁଆ । କେତେକ ପୁଅ ତ ପ୍ରେମରେ ପଡ଼ି ସର୍ବସ୍ୱ ଅଜାଡ଼ି ଦେଉଛନ୍ତି । ଭାବୀ ପତ୍ନୀର ପାଠପଢ଼ା ଖର୍ଚ୍ଚଠାରୁ ତା'ର ଅନ୍ୟାନ୍ୟ ଯାବତୀୟ ଖର୍ଚ୍ଚ ବହନ କରିବାକୁ ସାମାନ୍ୟ କୁଣ୍ଠା ପ୍ରକାଶ କରୁନାହାଁନ୍ତି । ଭାବୀ ଶଳା-ଶାଳୀଙ୍କ ପଛରେ ବି ମୋଟା ଅଙ୍କରେ ଟଙ୍କା ଉଡ଼ାଇ ଦେଉଛନ୍ତି । ସେ କ୍ଷେତ୍ରରେ ନିଜ ଘର ଲୋକଙ୍କ କଥା ପଚାରେ କିଏ । ଆଗରୁ ଝିଅ ଜନମ ପର ଘରକୁ ବୋଲି କୁହାଯାଉଥିଲା । ଝିଅଟେ ବାହା ହୋଇଗଲା ପରେ ତା' ଶାଶୂଘର ପରିବାରକୁ ନେଇ ସେ ବ୍ୟସ୍ତ ରହିବ ।
ନିଜ ବାପଘର ତଥା ବୋପାବୋଉଙ୍କ ପ୍ରତି ସେତେଟା ଧ୍ୟାନ ଦେଇପାରିବ ନାହିଁ । ଏପରିସ୍ଥିତିରେ ଘରର ପୁଅମାନେ ଆଗକୁ ପରିବାରର ସବୁ ଦାୟିତ୍ୱ ମୁଣ୍ଡାଇବାକୁ ଯାଉଥିବାରୁ ସେମାନଙ୍କୁ ଝିଅମାନଙ୍କ ଅପେକ୍ଷା ସ୍ୱାଭାବିକ ଭାବେ ଟିକେ ଅଧିକ ସ୍ନେହଶ୍ରଦ୍ଧା କରାଯାଉଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ଅଧିକାଂଶ ପୁଅମାନେ ଆଜି ଶଶୁରଘର ବୋଲକରା ହୋଇଗଲେଣି । ସେମାନେ ନିଜ ବାପାବୋଉଙ୍କ ସୁବିଧା ଅସୁବିଧା କଥା ବୁଝିବା ଅପେକ୍ଷା ସେମାନଙ୍କ ଶାଶୂ-ଶଶୁରଙ୍କ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି । ବରଂ ଆଜିକାଲି ଝିଅମାନେ ବାପାବୋଉଙ୍କ ସମସ୍ୟା ପ୍ରତି ବେଶ୍ ସଚେତନ । ବାପାବୋଉଙ୍କ ଦେହ ସାମାନ୍ୟ ଖରାପ ହେଲେ ସାଙ୍ଗେସାଙ୍ଗେ ଆସି ହାଜର ହୋଇଯାଉଛନ୍ତି । ଫୁରୁସତ ପାଇଲେ ବାପାବୋଉ ଓ ପରିବାର ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝୁଛନ୍ତି । ସତରେ, ବାହାଘର ପରେ ବି ବାପାଭାଇଙ୍କ ପ୍ରତି ଝିଅଟିର ଯେଉଁ ଦରଦ ଟିକକ ଅଛି ସେତକ ପୁଅମାନଙ୍କର ନାହିଁ । ତେଣୁ ଶଶୁରଘର ପ୍ରତି ପୁଅମାନଙ୍କ ଏଭଳି ଅନୁଚିତ ଅନୁଗ୍ରହକୁ ଲକ୍ଷ୍ୟ କରି ‘ପୁଅ ଜନମ ପର ଘରକୁ’ ବୋଲି ମୋର ବନ୍ଧୁ ଯଦି ତାତ୍ସଲ୍ୟ କରି କହିଲେ, ସେଥିରେ ମୋର ଆପତ୍ତି କରିବାର କ'ଣ ଅଛି କହିଲେ!