ଭୁବନେଶ୍ବର,୧୯।୩ :  ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭର ଅପବ୍ୟବହାର କରାଯାଇଛି। ଏହାକୁ ଉପଯୁକ୍ତ ମର୍ଯ୍ୟାଦା ଦିଆଯାଉ ନଥିବାର ଅଭିଯୋଗ ଆଣି ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ବୁଧବାର ଉକ୍ତ ଆବେଦନର ପ୍ରାରାମ୍ଭିକ ଶୁଣାଣି କରି ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  

ଗଞ୍ଜାମର ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ଜାତୀୟ ଚିହ୍ନ ଭାବେ ଅଶୋକ ସ୍ତମ୍ଭ ବୋଲି ଘୋଷିତ ହୋଇଥିଲା। ଅଶୋକ ସ୍ତମ୍ଭର ଅଗ୍ରଭାଗରେ ସିଂହ ଥିବା ବେଳେ ତଳେ ସତ୍ୟମେବ ଜୟତେ ଲେଖା ଯାଇଥିଲା। ମୁଣ୍ଡକା ଉପନିଷଦରୁ ଆସିଥିବା ଏହି ଉକ୍ତିଟି ଦେବନାଗରୀ ଲିପିରେ ଲେଖାଯାଇଥିଲା। କିନ୍ତୁ ଏବେ ଅଧିକାଂଶ ସ୍ଥାନରେ ଏହି ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ରହୁ ନାହିଁ। ଯେଉଁଠି ରହୁଛି ତାହା ସଠିକ ଭାବେ ରହୁ ନାହିଁ। ଅଧିକାଂଶ ସ୍ଥାନରେ ସତ୍ୟମେବ ଜୟତେ ଲେଖା ରହୁ ନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏହା ସହିତ ଜାତୀୟ ଚିହ୍ନ ସମ୍ପର୍କରେ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ଦେବା ସହିତ ଏ ନେଇ ଜନସଚେତନତା କରାଯିବାକୁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି। ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି, ତା ପୂର୍ବରୁ  କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରିବାକୁ ନିର୍ଦେଶ ହୋଇଛି।