ନୂଆଦିଲ୍ଲୀ: ପୁଡୁଚେରୀ ସରକାର ଶ୍ରୀଲଙ୍କା ନୌସେନା ଦ୍ୱାରା ଅଟକ ରଖାଯାଇଥିବା ମତ୍ସ୍ୟଜୀବୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରତିଦିନ ୫୦୦ ଟଙ୍କା ହାରରେ ଏହି ସହାୟତା ରାଶି ଦିଆଯିବ ବୋଲି ପୁଡୁଚେରୀର ଜନସାଧାରଣ କାର୍ଯ୍ୟ ବିଭାଗ ମନ୍ତ୍ରୀ କେ. ଲକ୍ଷ୍ମୀନାରାୟଣନ ବିଧାନସଭାରେ ଘୋଷଣା କରିଛନ୍ତି। ଏହି ରାଶି ଅଟକ ରହିଥିବା ମତ୍ସ୍ୟଜୀବୀମାନେ ଘରକୁ ଫେରି ନ ଆସିବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପ୍ରଦାନ କରାଯିବ। 

ଏହା ସହିତ, ସରକାର କାରୈକାଲ ଅଞ୍ଚଳରୁ ଜଣେ ମତ୍ସ୍ୟଜୀବୀଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସୂଚନା ମୁତାବକ ଉକ୍ତ ମତ୍ସ୍ୟଜୀବିଙ୍କ ଦ୍ୱାରା ଯାନ୍ତ୍ରିକ ନୌକା ଶ୍ରୀଲଙ୍କା କର୍ତ୍ତୃପକ୍ଷ ଦ୍ୱାରା ଜବତ କରାଯାଇଥିଲା। ମନ୍ତ୍ରୀ ଲକ୍ଷ୍ମୀନାରାୟଣନ କହିଛନ୍ତି ଯେ, ଯେତେବେଳେ ପୁଡୁଚେରୀର ମତ୍ସ୍ୟ ଓ ମତ୍ସ୍ୟଜୀବୀ କଲ୍ୟାଣ ବିଭାଗରେ ପଞ୍ଜୀକୃତ ଏକ ଯାନ୍ତ୍ରିକ ନୌକା ଜବତ ହୁଏ। ତାହା ମତ୍ସ୍ୟଜୀବୀଙ୍କ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ସେମାନେ ଓ ତାଙ୍କ ପରିବାର ଗୁରୁତର ଅର୍ଥନୈତିକ ସଙ୍କଟରେ ପଡିଥାନ୍ତି। ଏହି ସଙ୍କଟକୁ କମ କରିବା ପାଇଁ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଯାହା ପଡୋଶୀ ରାଜ୍ୟ ତାମିଲନାଡୁରେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପକୁ ଅନୁସରଣ କରି ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ଶ୍ରୀଲଙ୍କା ଜଳସୀମାରେ ମାଛ ଧରିବା ଅଭିଯୋଗରେ ପୁଡୁଚେରୀ ଏବଂ ତାମିଲନାଡୁର ମତ୍ସ୍ୟଜୀବୀମାନଙ୍କୁ ଶ୍ରୀଲଙ୍କା ନୌସେନା ବାରମ୍ବାର ଅଟକ ରଖୁଛି। ଏହି ଘଟଣା ବାରମ୍ୱାର ଘଟୁଥିବାରୁ ମତ୍ସ୍ୟଜୀବୀ ସମୁଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ସ୍ଥାନୀୟ ସରକାରଙ୍କୁ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।