ନୂଆଦିଲ୍ଲୀ,୩୦/୦୪: ମହାରାଷ୍ଟ୍ରର ପୁଣେରେ ଅଘଟଣ। ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବବାରୁ ଅଗ୍ନିଶମବାହିନୀଙ୍କ ସମେତ ୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, କୋନ୍ଧୱା ଜିଲ୍ଲାର ଗଙ୍ଗାଧାମ ଅଞ୍ଚଳରେ ଥିବା ଏକ ଅଚଳ ଜଳ ବିଶୋଧନ ପ୍ଲାଣ୍ଟର ଏକ ଗୋଦାମରୁ ଏହି ଲିକ୍ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ଏକ ପୁରୁଣା କ୍ଲୋରିନ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇ ଗ୍ୟାସ୍ ଚାରିଆଡେ ବ୍ୟାପି ଯାଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା, ତେଣୁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।

ଆହୁରି ପଢନ୍ତୁ-ECC in Delhi: ଦିଲ୍ଲୀରେ ପଶିଲେ କଟିବ ୪୦୦୦ ଟଙ୍କାର ରସିଦ୍, ପ୍ରଦୂଷଣ ରୋକିବାକୁ ବ୍ୟବସାୟିକ ଗାଡ଼ି ଉପରେ ଲାଗିଲା ଭାରୀ ଶୁଳ୍କ

ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଖପାଖରେ ଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସୁରକ୍ଷା ଉପକରଣ ବ୍ୟବହାର କରି ଅଗ୍ନିଶମ କର୍ମଚାରୀମାନେ ଲିକ୍ ହେଉଥିବା ଟାଙ୍କିକୁ ସିଲ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣା ସମୟରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବା ପରେ ମୋଟ ୨୨ ଜଣ ସ୍ଥାନୀୟ ବାସିନ୍ଦା ଏବଂ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ପ୍ରଭାବିତ ବ୍ୟକ୍ତି ଏବେ ବିପଦମୁକ୍ତ ଅଛନ୍ତି।