ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନର ଫଳାଫଳ ଆଜି (ଶୁକ୍ରବାର) ସାମ୍ନାକୁ ଆସିଛି। ଏହି ନିର୍ବାଚନ ଅନେକ ଦୃଷ୍ଟିକୋଣରୁ ବେସ୍ ଗୁରୁତ୍ବପୂର୍ଣ୍ଣ ଥିଲା, କାହିଁକି ନାଁ ଏହି ନିର୍ବାଚନ ଗୁଡ଼ିକରେ କିଛି ଏମିତି ସମୀକରଣ ଦେଖିବାକୁ ମିଳିଥିଲା, ଯାହା ବିଷୟରେ ଲୋକମାନେ ପୂର୍ବରୁ ହିଁ ଚିନ୍ତା କରିବା ବନ୍ଦ କରିଦେଇଥିଲେ। ଏଇ ଯେମିତି… ଉଦ୍ଧବ ଠାକରେଙ୍କ ଶିବସେନା (UBT) ଏବଂ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମଧ୍ୟରେ ମେଣ୍ଟ। ଅଜିତ ପାୱାରଙ୍କ NCP ଏବଂ ଶରଦ ପାୱାରଙ୍କ NCP(SC) ମଧ୍ୟରେ ମଧ୍ୟ ସମାନ ମେଣ୍ଟ ଦେଖାଯାଇଥିଲା, ଯାହା କେବଳ ପୁଣେ ନଗର ନିଗମ ପାଇଁ ଗଠିତ ହୋଇଥିଲା। ଆଜି, ଆମେ ଏଠାରେ ପୁଣେ ନଗର ନିଗମ ନିର୍ବାଚନ ଉପରେ ଧ୍ୟାନ ଦେବା, କାରଣ ଏନସିପି ଦୁଇ ଭାଗ ହେବାର କିଛି ଦିନ ନହେଉଣୁ ଏମାନେ ଦୁଇ ଗୋଷ୍ଠୀ ପୁଣି ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ମେଣ୍ଟ ପୁଣେ ନଗର ନିଗମରେ ହିଁ ସୀମିତ ଥିଲା । ଅନ୍ୟ ନଗର ନିଗମରେ ଏହି ଦୁଇ ଦଳ ପରସ୍ପର ବିରୁଦ୍ଧରେ ପ୍ରବଳ ସଂଘର୍ଷ କରିଥିଲେ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବିଜେପି ଏବଂ ଶିବସେନା ସହିତ ମହାମେଣ୍ଟରେ ଥିବା ବେଳେ, ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ NCP(SC) ସହିତ ମେଣ୍ଟ ଗଠନ କରିଥିଲେ, ଯିଏ ବିରୋଧୀ ମହା ବିକାଶ ଆଗାଡିର ସଦସ୍ୟ ଥିଲେ। ଏହା କାହିଁକି ହେଲା, ଏବଂ ଏହି ନିର୍ବାଚନରୁ କିଏ କ'ଣ ପାଇଲା ? ଏବେ ଆସନ୍ତୁ ଜାଣିବା…

ଜୁଲାଇ ୨୦୨୩ ରେ ଦଳରୁ ଅଲଗା ହୋଇଥିବା ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ଦଳ ସହିତ ମେଣ୍ଟ ଗଠନ କରିବାର କିଛି ବାଧ୍ୟବାଧକତା ନିଶ୍ଚୟ ଥିଲା। ପ୍ରତିଦ୍ୱନ୍ଦ୍ୱିତା ଏତେ ତୀବ୍ର ଥିଲା ଯେ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ଠାରୁ ଦଳ ଏବଂ ଏହାର ନିର୍ବାଚନ ଚିହ୍ନ ହଡ଼ପ କରି ନେଇଥିଲେ, ଯାହାକୁ ସେ ନିଜ ରକ୍ତ ଏବଂ ଝାଳ ଦେଇ ପାଳନ କରିଥିଲେ। ଏକ ଆଇନଗତ ଲଢ଼େଇ ପରେ, ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବରେ ମାନ୍ୟତା ଦିଆଯାଇଥିଲା, ଏବଂ ଶରଦ ପାୱାରଙ୍କୁ ତାଙ୍କ ଦଳ ଏନସିପି (ଏସସି) ନାମ ବଦଳାଇବାକୁ ବାଧ୍ୟ କରାଯାଇଥିଲା। ଶରଦ ପାୱାରଙ୍କୁ ଏକ ନୂତନ ନିର୍ବାଚନ ଚିହ୍ନ ମଧ୍ୟ ସୃଷ୍ଟି କରିବାକୁ ପଡିଥିଲା। ଆଉ ଏଭଳି ସମୟରେ ପ୍ରଶ୍ନ ଉଠୁଛି କି, ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସମୟରେ ଅଜିତ ପାୱାରଙ୍କୁ ଏପରି କେଉଁ ବାଧ୍ୟବାଧକତାର ସମ୍ମୁଖୀନ ହେବାକୁ ପଡିଥିଲା, ଯାହା ତାଙ୍କୁ ବିଭାଜନର ମାତ୍ର ଅଢ଼େଇ ବର୍ଷ ପରେ ତାଙ୍କ ଦାଦାଙ୍କ ଦଳ ସହିତ ମେଣ୍ଟ ଗଠନ କରିବାକୁ ବାଧ୍ୟ କରିଥିଲା। ଶରଦ ପାୱାରଙ୍କୁ ନେଇ ମଧ୍ୟ ସମାନ ପ୍ରଶ୍ନ ଉଠୁଛି…

ପୁଣେ ନିର୍ବାଚନରୁ ପୁତୁରା ଅଜିତଙ୍କ ଆଶା…

ପୁଣେରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଏକାଠି ହେବା କୌଣସି ସଂଯୋଗ ନଥିଲା, ବରଂ ଏକ ସୁଚିନ୍ତିତ ରଣନୀତି ଥିଲା। ଯଦିଓ ଅଜିତ ପାୱାର ମହାରାଷ୍ଟ୍ରର ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ, ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଅନ୍ୟ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (ଶିବସେନା) ଅପେକ୍ଷା କମ୍ ପ୍ରଭାବଶାଳୀ ମନେ ହୁଅନ୍ତି। ଅଜିତ ପାୱାରଙ୍କ ଉଦ୍ଦେଶ୍ୟ ହୁଏତ ତାଙ୍କ ଦାଦା ଶରଦ ପାୱାରଙ୍କ ସହିତ ପୁଣେରେ ଏକ ବଡ଼ ବିଜୟ ହାସଲ କରି ମହାୟୁତିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଥିଲା। ଏହା ବ୍ୟତୀତ, ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଅଧିକ ଆସନ ଦାବି କରିପାରିବେ କିମ୍ବା ମହାବିକାଶ ଅଗାଡିରେ ନିଜ ପାଇଁ ସ୍ଥାନ ପାଇପାରିବେ। ଏହା ସୂଚନାଥାଉକି ଯେ, ଅଜିତ ପାୱାର ମୂଳ ଏନସିପିରେ ଥିବା ସମୟରେ ପୂର୍ବରୁ ବିଜେପିକୁ ସମର୍ଥନ କରିଥିଲେ ଏବଂ ରାତାରାତି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ତାଙ୍କ ଦାଦା ଶରଦ ପାୱାରଙ୍କୁ ଏ ବିଷୟରେ ଅନ୍ଧାରରେ ରଖିଥିଲେ। ତଥାପି, ଶରଦ ପାୱାର ପରେ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେଲେ, ଏବଂ ମହା ବିକାଶ ଅଗାଡି ସରକାର ଗଠନ ହେଲା, ଯେଉଁଥିରେ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଗଲା।

ପୁଣେ ନିର୍ବାଚନରୁ ଦାଦା ଶରଦଙ୍କ ଆଶା…

ଅନ୍ୟପକ୍ଷରେ, ଶରଦ ପାୱାର ମଧ୍ୟ ପୁଣେ ନିର୍ବାଚନରେ କିଛି ହାସଲ କରିପାରି ନାହାନ୍ତି। ଯଦି ଦୁଇ ଏନସିପିର ମେଣ୍ଟ ପୁଣେରେ କିଛି ବିଶେଷ ହାସଲ କରିଥାନ୍ତା, ତେବେ ମହାବିକାଶ ଅଗାଡିରେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ପାଇଥାନ୍ତା। ଶରଦ ପାୱାର ପ୍ରାୟତଃ ବିଜେପିକୁ ପ୍ରଶଂସା କରୁଥିବା ଦେଖାଯାଏ, ଏବଂ ବିଜେପି ତାଙ୍କୁ ଆକ୍ରମଣ କରିବାରୁ ନିବୃତ୍ତ ରହିଛି। ଏପରି ପରିସ୍ଥିତିରେ, ଶରଦ ପାୱାର ଏବଂ ତାଙ୍କ ଦଳ ମହାୟୁତି ମେଣ୍ଟରେ ସ୍ଥାନ ପାଇପାରିଥାନ୍ତେ, ଏବଂ ଦୁଇଟି ଏନସିପି ପୁନର୍ବାର ଏକାଠି ହୋଇପାରିଥାନ୍ତେ, କିନ୍ତୁ ଏହା ହୋଇନଥିଲା।

ଏହା ସହ ପଢନ୍ତୁ : ଭାଙ୍ଗିଲା ଶିବସେନାର ଅଢେଇ ଦଶନ୍ଧିର ଗଡ଼, ମୁମ୍ବାଇରେ ପ୍ରଥମଥର ପାଇଁ ମେୟର ଆସନରେ ବସିବ ବିଜେପି…​​​​​​​