ପୁଣେ,୧୩।୧୧:  ପୁଣେର ନାଭାଲେ ବ୍ରିଜରେ ଭୟଙ୍କର ସଡ଼କ ଦୁର୍ଘଟଣା। ଗୁରୁବାର ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରାୟ ୨୦ ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।  ଦୁଇଟି ଟ୍ରକ୍ ଏବଂ ଗୋଟିଏ କାରରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ବେଙ୍ଗାଲୁର-ମୁମ୍ବାଇ ହାଇଓ୍ବେ ନମ୍ବର ୪ରେ ଘଟିଛି`

ରିପୋର୍ଟ ଅନୁସାରେ, ସତାରାରୁ ମୁମ୍ବାଇ ଯାଉଥିବା ରାଜସ୍ଥାନ ନମ୍ବର ପ୍ଲେଟ ଥିବା ଏକ ଟ୍ରକ ହଠାତ୍ ନିୟନ୍ତ୍ରଣ ହରାଇଲା। ଟ୍ରକଟି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ନିୟନ୍ତ୍ରଣ ହରାଇ ଚାଲିବା ସହ କଣ୍ଟେନର, ଟେମ୍ପୋ, ମିନିବସ୍, କାର, ଦୁଇଚକିଆ ଯାନ ଏବଂ ଅନେକ ଛୋଟ ଯାନକୁ ଧକ୍କା ଦେଇଥିଲା। କୁହାଯାଉଛି ଯେ, ଦ୍ରୁତ ଗତିରେ ଯାଉଥିବା ଟ୍ରକର ବ୍ରେକ୍ ଫେଲ୍ ହୋଇଯାଇଥିଲା, ଯାହା ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

ଟ୍ରକଟି ଆଗରେ ଥିବା ଏକ କଣ୍ଟେନରକୁ ମଧ୍ୟ ଧକ୍କା ଦେଇଥିଲା।  ଧକ୍କା ଏତେ ଜୋରରେ ଥିଲା ଯେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦୁର୍ଭାଗ୍ୟବଶତଃ, ଦୁଇଟି ଗାଡ଼ି ମଧ୍ୟରେ ଏକ କାର ମଧ୍ୟ ଫସି ଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଟ୍ରକର ବ୍ରେକ୍ ଫେଲ୍ ହୋଇଥିବା ଡ୍ରାଇଭରଙ୍କ ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ପାଇବା ମାତ୍ରେ ପୁଣେ ପୋଲିସ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳକୁ ପହଞ୍ଚିଥିଲା। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର, ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ଟ୍ରକର ବ୍ରେକ୍ ଫେଲ୍ ହୋଇଯାଇଥିଲା ଏବଂ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ବ୍ରିଜ୍‌ରେ ଜୋରଦାର ଜାମ୍ ଲାଗି ରହିଥିଲା। ଟ୍ରାଫିକ୍ ପୋଲିସ ସତାରାରୁ ମୁମ୍ବାଇ ଯାଉଥିବା ଲେନ୍‌କୁ ପୁରା ବନ୍ଦ କରିଦେଇଛନ୍ତି।