ଭୁବନେଶ୍ୱର,୦୭/୦୭: ଦିନେ ତାଙ୍କୁ ଆମେ ଛୋଟ ପରଦାରେ ଦେଖିଥିଲେ । ଖତରନାକ୍‌ ଚେହେରା ସହ ବଳିଷ୍ଠ ସ୍ୱର । ତାଙ୍କର ଗୋଟିଏ ସଂଳାପ ଛାତି ଥରାଇଦେଉଥିଲା ।  ୮୦ଦଶକର ଲୋକପ୍ରିୟ ପୌରାଣିକ  ହିନ୍ଦୀ ଧାରାବାହିକ ‘ମହାଭାରତ’ରେ  ଦୁର୍ଯ୍ୟୋଧନ ଭୂମିକାରେ ଆସି ସମସ୍ତଙ୍କ ପସନ୍ଦର ଖଳନାୟକ ପାଲଟିଥିଲେ । ବହୁ  ହିନ୍ଦୀ, ତେଲୁଗୁ, ତାମିଲ ସହ ଭୋଜପୁରୀ  ଫିଲ୍ମରେ ଅଭିନୟ କରିବା ପରେ ଏବେ  ଓଡ଼ିଆ ଫିଲ୍ମରେ ନଜର ଆସିବେ  ଅଭିନେତା ପୁନିତ ଇସର୍‌ ।  




ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ  ଆଗାମୀ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ରେ ପୁନିତ ଦମ୍‌ଦାର ଭୂମିକାରେ ଅଭିନୟ  କରିବାକୁ ଯାଉଛନ୍ତି । ଓଡ଼ିଶା ଆସି  ନିଜେ ପୁନିତ ଏହି ସୂଚନା ଦେଇଛନ୍ତି ।  ପ୍ରଥମ ଥର ପାଇଁ ପୁନିତ ଏକ ଓଡ଼ିଆ  ଫିଲ୍ମ କରିବାକୁ ଯାଉଥିବାରୁ ତାଙ୍କର  ଶୁଭେଚ୍ଛୁମାନେ ଉତ୍ସାହିତ ହୋଇପଡ଼ିଛନ୍ତି ।  ନିକଟରେ ଚ୍ୟାଲେଞ୍ଜର ଫାଷ୍ଟଲୁକ୍‌ ପୋଷ୍ଟର  ମଧ୍ୟ ରିଲିଜ୍‌ ହୋଇଛି । ପୋଷ୍ଟରରେ  କେବଳ ପୁନିତ ରହିଛନ୍ତି । ପାଟିରେ ଏକ  ଜ୍ୱଳନ୍ତ ସିଗାରେଟ୍‌ ସହ ମୁହଁରେ ରକ୍ତ  ଲାଗିଥିବା ପୁନିତଙ୍କ ଲୁକ୍‌ ମଧ୍ୟ ଭୟଙ୍କର  ଲାଗୁଛି । ଓଡ଼ିଆ ଦର୍ଶକମାନେ ଏହାକୁ  ଖୁବ୍‌ ପସନ୍ଦ କରିଛନ୍ତି । 

ପ୍ରକାଶ ଥାଉକି,  ଆଗାମୀ ଦଶହରାକୁ ଆଖିଆଗରେ ରଖି  ‘ଚ୍ୟାଲେଞ୍ଜ’ ପ୍ରସ୍ତୁତ କରାଯାଉଛି । ଏହାର  ପ୍ରଯୋଜକ ଆଦିକନ୍ଦ ସାହୁ ରହିଥିବା  ବେଳେ ସାଇକିରଣ ମଙ୍ଗରାଜ ନିର୍ଦ୍ଦେଶନା  ଦେଇଛନ୍ତି । ସେହିପରି ପୁନିତଙ୍କ ପୂର୍ବରୁ  ବଲିଉଡ୍‌ର ବ୍ୟାଡ୍‌ମ୍ୟାନ୍‌ ରଣଜିତ୍‌, ରଜା  ମୁରଦ, ଜ୍ୟାକି ସ୍ରଫ୍‌, ଶକ୍ତି କାପୁର,  ସଦାଶିବ ଅମ୍ରାପୁର୍କର, ରାହୁଲ ଦେବ,  ଆଶିଷ ବିଦ୍ୟାର୍ଥୀ, ପ୍ରଦୀପ ରାୱତ, ମୁକେଶ ରିଶିଙ୍କ ଭଳି ଅଭିନେତା ଓଡ଼ିଆ ଫିଲ୍ମରେ  ଖଳ ଭୂମିକାରେ ନଜର ଆସି ସଫଳତା ଓ  ଭଲ ପାଇବା ସାଉଁଟିଛନ୍ତି ।