ନୂଆଦିଲ୍ଲୀ: ପଞ୍ଜାବରେ ନିରନ୍ତର ବର୍ଷା ଏବଂ ବନ୍ୟା ପ୍ରବଳ କ୍ଷୟକ୍ଷତି ଘଟାଇଛି। ମୁଷଳଧାରାରେ ବର୍ଷା ହେତୁ ରାଜ୍ୟର ସମସ୍ତ ୨୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ପରିସ୍ଥିତି ବହୁତ ଖରାପ ହୋଇଛି। ଏଥିପାଇଁ ପଞ୍ଜାବ ସରକାର ସମଗ୍ର ରାଜ୍ୟକୁ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଏହା ସହିତ, ବନ୍ୟା ଯୋଗୁଁ ପଞ୍ଜାବର ସମସ୍ତ ଶିକ୍ଷାନୁଷ୍ଠାନକୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଏବଂ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୩୭ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ପଞ୍ଜାବର ୨୩ଟି ଜିଲ୍ଲାର ୧୪୦୦ ଗ୍ରାମ ଏବେ ବନ୍ୟା କବଳରେ ଅଛି। ପଞ୍ଜାବର ମୁଖ୍ୟ ସଚିବ କେ.ଏ.ପି. ସିହ୍ନା ରାଜ୍ୟର ସମସ୍ତ ୨୩ଟି ଜିଲ୍ଲାକୁ ବନ୍ୟା ପ୍ରଭାବିତ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ସମୟରେ ଆଇନର ଧାରା ୩୪ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବାକୁ ସେ ଜିଲ୍ଲା କମିଶନର ମାନଙ୍କୁ ଅଧିକାର ଦେଇଛନ୍ତି, ସେମାନଙ୍କୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାର ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାର ଅଧିକାର ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ବୁଧବାର ଦିନ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ସମ୍ପର୍କରେ ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବୈନ୍ସ ଏହି ଘୋଷଣା କରିଛନ୍ତି। ବାନ୍ସ କହିଛନ୍ତି,"ସମସ୍ତଙ୍କୁ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ। ପୂର୍ବରୁ ସରକାର ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରିଥିଲେ।