ଧର୍ମଶାଳା,୧୧/୦୫: ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ପରାସ୍ତ କରିଛି। ଆଶୁତୋଷ ଶର୍ମା ଏବଂ ମାଧବ ତିୱାରୀ ଡେଥ୍ ଓଭରରେ ବିପର୍ଯ୍ୟୟ ଘଟାଇ ଦିଲ୍ଲୀ ପାଇଁ ବିଜୟ ସୁନିଶ୍ଚିତ କରିଥିଲେ ଏବଂ ସେମାନଙ୍କର ପ୍ଲେଅଫ୍ ଆଶାକୁ ଉଜ୍ଜୀବିତ ରଖିଥିଲେ। ଅନ୍ୟପକ୍ଷରେ, ପଞ୍ଜାବ କିଙ୍ଗସ ଦଳ ଲଗାତାର ଚତୁର୍ଥ ପରାଜୟ ଭୋଗିଛି। ଦିଲ୍ଲୀ ଦଳ ୧୯ ଓଭରରେ ୨୧୧ ରନର ଟାର୍ଗେଟକୁ ସଫଳତାର ସହ ହାସଲ କରିଛି।
ଗୋଟିଏ ସମୟରେ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ସମ୍ଭାବନା ମାତ୍ର ୯ ପ୍ରତିଶତ ଥିଲା। ମାର୍କସ୍ ଷ୍ଟୋଇନିସ୍ଙ୍କ ୱିକେଟ୍ ପତନ ପରେ, ଦିଲ୍ଲୀ ହଠାତ୍ ପରାଜୟ ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳିଥିଲା। ମାର୍କସ ଷ୍ଟୋଇନିସ୍ ୩୦ ବଲ୍ରେ ୫୬ ରନ୍ କରି ଆଉଟ୍ ହେବା ପରେ, ଦିଲ୍ଲୀର ସ୍କୋର ୧୪ ଓଭରରେ ୫ ଓ୍ବିକେଟ ବିନିମୟରେ ୧୩୮ ରନ ଥିଲା। କିନ୍ତୁ ଶେଷ ୫ ଓଭରରେ, ଡିସି ଦଳକୁ ବିଜୟ ପାଇଁ ୬୮ ରନର ଆବଶ୍ୟକତା ଥିଲା।
ମ୍ୟାଚ୍କୁ ବଦଳାଇ ଦେଲେ ମିଲର୍ ଏବଂ ଆଶୁତୋଷ:
ଶେଷ ପାଞ୍ଚ ଓଭରରେ ଦିଲ୍ଲୀକୁ ୬୮ ରନ କରିବାକୁ ଥିବା ବେଳେ ଡେଭିଡ ମିଲର ଏବଂ ଆଶୁତୋଷ ଶର୍ମାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମେ, ଡେଭିଡ ମିଲର ଗୋଟିଏ ସମୟରେ, ୨୦ ବଲରୁ ୨୮ ରନ କରି ଖେଳୁଥିଲେ, କିନ୍ତୁ ଏହା ପରେ ମାତ୍ର ସାତଟି ବଲ ପରେ ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ମିଲର ୫୧ ରନ କରିବା ପରେ ଆଉଟ ହୋଇଥିଲେ, ତଥାପି ଦିଲ୍ଲୀର ସମସ୍ୟା ଦୂର ହୋଇନଥିଲା। ଶେଷରେ ଆଶୁତୋଷ ଶର୍ମାଙ୍କ ୧୦ ବଲରେ ୨୪ ରନର ଇନିଂସ ଦଳକୁ ବିଜୟ ଅଭିମୁଖେ ନେଇଥିଲା। ଫଳରେ ଦଳ ୧୯ ଓଭରରେ ପଞ୍ଜାବ କିଙ୍ଗସକୁ ହରାଇବାରେ ସଫଳ ହୋଇଛି।