ଚଣ୍ଡିଗଡ଼, ୧୨।୧: ସାଧାରଣତଃ ଗାଁରେ ଯେଉଁ ବିବାହ ସମାରୋହରେ ମଦ ପରଷାଯାଏ ଓ ଡିଜେରେ ଉଚ୍ଚ ସ୍ୱରରେ ଗୀତ ବାଜେ । ଏଭଳି ଉତ୍ସବରେ ମଦ୍ୟପାନ ଏବଂ ଡିଜେ ତାଳେ ତଳେ ଝୁମିବା ଏକ ସାଧାରଣ କଥା । କିନ୍ତୁ, ଅନେକ ସ୍ଥାନରେ ଏହା ସାମାଜିକ ଦୃଷ୍ଟିକୋଣରୁ ଭଲ ନୁହେଁ । କିନ୍ତୁ, ଏକ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ବିବାହ କାର୍ଯ୍ୟକ୍ରମରେ ଡିଜେ-ମଦ ନଥିଲେ ପୁରସ୍କାର ରାଶି ରହିଛି । ବିବାହ ସମାରୋହରେ ଯେଉଁ ପରିବାର ଡିଜେ ବଜାଇବେ ନାହିଁ ଓ ମଦ ବାଣ୍ଟିବେ ନାହିଁ ସେହି ପରିବାରଗୁଡ଼ିକୁ ନଗଦ ୨୧ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଏଥିଲାଗି ଗାଁ ପଞ୍ଚାୟତରେ ଏକ ପ୍ରସ୍ତାବ ପାସ୍‌ ହୋଇଛି । ପଞ୍ଜାବ ଭଟିଣ୍ଡା ଜିଲ୍ଲା ବଲ୍ଲୋ ଗାଁର ଗ୍ରାମ ପଞ୍ଚାୟତ ବିବାହ ସମାରୋହକୁ ନେଇ ଏଭଳି ନିଆରା ନିଷ୍ପତ୍ତି ନେଇଛନ୍ତି । 

ବଲ୍ଲୋ ଗାଁର ସରପଞ୍ଚ ଅମରଜିତ୍ କୌରଙ୍କ ଅନୁସାରେ, ଗାଁର ମଙ୍ଗଳ ଓ ନିଶା ବିରୋଧରେ ଏକ ଅଭିଯାନ ଭାବେ ଏହି ନିଷ୍କତ୍ତି ନିଆଯାଇଛି । ଏହାଦ୍ୱାରା କେବଳ ଯେ ବିବାହ ସମାରୋହରେ ଅନାବଶ୍ୟକ ଖର୍ଚ୍ଚ କମିବ ତା’ ନୁହେଁ, ମଦ୍ୟପାନ ଉପରେ ବି ଲଗାମ ଲାଗିବ । ଗାଁରେ ସାମାଜିକ ସୁଧାର ଆଣିବା ସହିତ ପ୍ରାୟ ୫୦୦୦ ଜନସଂଖ୍ୟା ବିଶିଷ୍ଟ ବଲ୍ଲୋର ଜନତାଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବଲ୍ଲୋର ଜନତା ମଧ୍ୟ ଏ ସମ୍ପର୍କରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ବିବାହ ସମାରୋହରେ ଉଚ୍ଚ ସ୍ୱରରେ ଗୀତ ଓ ଡିଜେ ବାଜିବାରୁ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବାଧା ଉପୁଜେ । ଏହାକୁ ଏଡ଼ାଇବାକୁ ଗାଁରେ ଏଭଳି ପଦକ୍ଷେପ ନିଆଯାଇଛି ।