ମୁମ୍ବାଇ ୧୫/୦୨: ପଞ୍ଜାବୀ ଅଭିନେତ୍ରୀ ଓ ‘ବିଗ୍ ବସ୍’ର ପୂର୍ବତନ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କୁ ଧମକ । ଗ୍ୟାଙ୍ଗ୍‌ଷ୍ଟର ଜିଶାନ ଅଖ୍‌ତର ତାଙ୍କୁ ୧୦ କୋଟି ଟଙ୍କା ବଟି ମାଗିଛି । ଇ-ମେଲ୍ ମାଧ୍ୟମରେ ସେ ଧମକ ଦେଇଛି । ମୋହାଲି ଏସ୍‌ପି ସୌରଭ ଜିନ୍ଦଲ କହିଛନ୍ତି, ସୋହାନା ଥାନାରେ ଏ ନେଇ ଧାରା ୩୦୮(୪), ୩୫୧(୩) ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଅଭୁଯୁକ୍ତ ରୂପେ ଗ୍ୟାଙ୍ଗ୍‌ଷ୍ଟର ଜିଶାନ ଅଖତର ନାଁ ମାମଲାରେ ଉଲ୍ଲେଖ ହୋଇଛି, ଯିଏ ବିଦେଶରେ ରହି ଧମକ ଦେଇଛି । ହିମାଂଶୀ ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏକାଧିକ ଫିଲ୍ମ, ଧାରାବାହିକରେ ସେ କାମ କରିଛନ୍ତି । ମଡେଲିଂରେ ମଧ୍ୟ ସେ ଜଣେ ପରିଚିତ ଚେହେରା ।

ରିୟଲିଟି ଶୋ’ ‘ବିଗ୍ ବସ୍’ର ସିଜନ୍-୧୩ରେ ସେ ପ୍ରତିଯୋଗୀ ଥିଲେ । ଶୋ’ରେ ଆସିମଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୨୩, ଡିସେମ୍ବର ଯାଏ ଦୁହେଁ ଏକାଠି ଥିଲେ, ପରେ ଅଲଗା ହେଲେ । ବେଶ କିଛି ଦିନ ହେଲା ବଲିଉଡ୍ ଷ୍ଟାର୍‌ଙ୍କୁ ଧମକ ମିଳୁଛି । ଲରେନ୍ସ ଗ୍ୟାଙ୍ଗ୍‌ର ସଦସ୍ୟ ହ୍ୟାରି ବକ୍ସର ବିଦେଶରୁ ଧମକ ଦେଉଛି । ଜାନୁଆରୀରେ ଗାୟକ ବି-ପ୍ରାକ୍‌ଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ନିକଟରେ ରଣବୀର ସିଂହଙ୍କୁ ହ୍ୱାଟ୍‌ସଆ୍‌ରେ ଧମକପୂର୍ଣ୍ଣ ଭଏସ୍ ମେସେଜ୍ ମିଳିଥିଲା । ଏହି ସ୍ୱର ହ୍ୟାରି ବକ୍ସର୍‌ର ବୋଲି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ସ୍ପଷ୍ଟ କରିଥିଲା । ଏହା ପୂର୍ବରୁ ସିନେ ନିର୍ମାତା ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘରକୁ ଗୁଳିମାଡ଼ ହୋଇଥିଲା । ସେତେବେଳେ ରୋହିତ ଘରେ ଥିଲେ । ଲରେନ୍ସ ଗ୍ୟାଙ୍ଗ୍‌ର ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲେ ।