ଦଶମନ୍ତପୁର,୧୧/୧୧: ଶୌଚାଳୟ  କି ପାନୀୟଜଳ ସୁବିଧା ନାହିଁ । ଏଥିଯୋଗୁ ବହୁ ଅସୁବିଧା ଭୋଗୁଛନ୍ତି ପର୍ଯ୍ୟଟକ ।  ପର୍ଯ୍ୟଟକମାନେ ଜଳକ୍ରୀଡ଼ାରେ ମସଗୁଲ୍‌ ଥିବା ବେଳେ ସେମାନଙ୍କ ବହୁ ସାମଗ୍ରୀ ଚୋରି ହୋଇଯାଉଛି । ପ୍ରଶାସନର ଅଣଦେଖା ଏବଂ ରାଜନେତାଙ୍କ ଆନ୍ତରିକତା ଅଭାବରୁ ଅବ୍ୟବସ୍ଥାରେ ରହିଛି କୋରାପୁଟ  ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ମୁଜାଙ୍ଗ ପଞ୍ଚାୟତର ପୁଞ୍ଜିସିଲ୍‌ ଜଳପ୍ରପାତ । ଏହି କାରଣରୁ  ଏଠାକୁ ଆସିବା ଲାଗି ମୁହଁ ମୋଡୁଛନ୍ତି  ପର୍ଯ୍ୟଟକ ।   

ମୁଜାଙ୍ଗ ପଞ୍ଚାୟତ ପୁଞ୍ଜିସିଲ୍‌  ଗାଁ ନିକଟରେ ରହିଛି ଏହି ସୌନ୍ଦର୍ଯ୍ୟ  ଭରା ପର୍ଯ୍ୟଟନସ୍ଥଳୀ । ବିରାଟ ପଥର  ଉପରଦେଇ ପାଣି ପ୍ରବାହିତ ହେଉଛି ।  ଏଠାରେ ପର୍ଯ୍ୟଟକମାନେ ଜଳକ୍ରୀଡ଼ା କରିବା  ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟକୁ  ମନଭରି ଉପଭୋଗ କରିବା ଲାଗି ପର୍ଯ୍ୟାପ୍ତ  ଭିତ୍ତିଭୂମି ରହିଛି । ବର୍ତ୍ତମାନ ଜିଲ୍ଲାରେ ଶୀତ  ଆରମ୍ଭ ହୋଇଥିବାରୁ ଅବିଭକ୍ତ କୋରାପୁଟ  ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟର  ଶତାଧିକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ।  ଜିଲ୍ଲା ଖଣିଜ ପାଣ୍ଠିରୁ ଲକ୍ଷାଧିକ ଟଙ୍କା  ବ୍ୟୟରେ ଏଠାରେ ଗୋଷ୍ଠୀ ଶୌଚାଳୟ  ଏବଂ ବିଶ୍ରାମଗୃହ ନିର୍ମାଣ କରାଯାଇଛି ।  ଅଥଚ ଶୌଚାଳୟ ବ୍ୟବହାର ପାଇଁ ପାଣି  ସୁବିଧା ନାହିଁ । ଗୃହଗୁଡିକର ରକ୍ଷଣାବେକ୍ଷଣ  କରାଯାଉନଥିବାରୁ ସେଠାରେ ତାଲା  ଝୁଲି ରହୁଛି । ବର୍ତ୍ତମାନ କୋଠାଗୁଡିକ  ଭୂତକୋଠୀରେ ପରିଣତ ହୋଇଛି । ଏଠାରେ ଦୁଇଟି ପିଣ୍ଡି କରାଯାଇଛି । ସେଥିରେ ଖଲିପତ୍ର, ଅନ୍ୟାନ୍ୟ ଆବର୍ଜନା  ଓ ମଦବୋତଲ କାଚ ଭର୍ତ୍ତି ହୋଇଛି ।  ପାରିପାର୍ଶ୍ବିକ ଅଞ୍ଚଳରେ ଭୋଜିଭାତର  ଆସର ଜମୁଛି । ଲୋକେ ଏଣେତେଣେ  ମଳତ୍ୟାଗ କରୁଛନ୍ତି । ଏଥିଯୋଗୁ  ଜଳପ୍ରପାତ ନିକଟରେ ଅସ୍ୱାସ୍ଥ୍ୟକର  ପରିବେଶ ସୃଷ୍ଟି ହେଉଛି । ଏଠାରେ  ଗୋଟିଏ ନଳକୂଅ ଥିଲେବି ସେଥିରୁ  ବାହାରୁଥିବା ପାଣି ପିଇବା ଉପଯୋଗୀ  ନୁହେଁ । ରୋଷେଇ କଲେ ଭାତ କଳା  ହୋଇଯାଉଛି । ଲୋକେ ଗାଁକୁ ଯାଇ ପାଣି  ଆଣୁଛନ୍ତି । ଏହି କାରଣରୁ ପର୍ଯ୍ୟଟକମାନେ  ଏଠାକୁ ଆସିବାକୁ ମୁଁହ ମୋଡୁଥିବା ଗାଁର  ବିନ୍ଦା ବଡ଼ନାୟକ, ଗରିଆ ବଡ଼ନାୟକ, ଦରା  ବଡ଼ନାୟକ, ଲୋଚନ ବଡ଼ନାୟକ, ଭୀମ  ବଡ଼ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି ।   

ଗ୍ରାମବାସୀ କହିଛନ୍ତି, ଏହି  ପର୍ଯ୍ୟଟନସ୍ଥଳୀର ବିକାଶ କରିବା ଲାଗି  ସେମାନଙ୍କୁ ନେଇ ଏକ କମିଟି ଗଢାଯାଉ ।  କମିଟିକୁ ପ୍ରଶାସନ ପକ୍ଷରୁ ଦାୟିତ୍ୱ  ଦିଆଗଲେ ଘରଗୁଡ଼ିକ ସଫାସୁତୁରା ରହିବ ।  ପର୍ଯ୍ୟଟନମାନେ ସୁବିଧା ଓ ନିର୍ଭୟରେ ମଜା  ନେଇପାରିବେ । ଏଠାରେ ପର୍ଯ୍ୟଟକମାନେ  ଜଳକ୍ରୀଡ଼ାରେ ମସ୍‌ଗୁଲ ଥିବା ବେଳେ ଦିନ  ଦ୍ୱିପହରରେ ଚୋରି ହେଉଛି । ଏଥିଯୋଗୁ  ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।  

ଜଗିବା ଲୋକ ନଥିବାରୁ ଦୁବୃର୍ତ୍ତମାନେ  ପର୍ଯ୍ୟଟକଙ୍କ ମୋବାଇଲ ଫୋନ୍‌ ଏବଂ  ଅନ୍ୟାନ୍ୟ ଜିନିଷପତ୍ର ଚୋରି କରି  ନେଉଛନ୍ତି । ଏଠାରେ ବିଦ୍ୟୁତ୍‌ଖୁଣ୍ଟ ଏବଂ  ତାର ଅଛି । ଆଲୁଅ ସୁବିଧା ନାହିଁ ।  ପ୍ରଶାସନର ଆନ୍ତରିକତା ଅଭାବରୁ ପୁଞ୍ଜିସିଲ୍‌  ବିକାଶଠାରୁ ବହୁ ଦୁରରେ ଥିବା ଗାଁ ଲୋକେ  କ୍ଷୋଭର କହିଛନ୍ତି । ଜିଲ୍ଲା ପ୍ରଶାସନ ଓ  ପର୍ଯ୍ୟଟନ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି  ଦେଇ ପାନୀୟଜଳ ସୁବିଧା କରିବା ସହ  ସୁରକ୍ଷା ପାଇଁ ଗାଁ ଲୋକଙ୍କୁ ଦାୟିତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି । ଏହା ହେଲେ ଏଠାରେ  ଅଧିକ ପର୍ଯ୍ୟଟକ ଆସିପାରିବେ । ଏ ସମ୍ପର୍କରେ  ଆମେ ବିଡିଓ ମିଲନ କୁମାର ଝାଙ୍କରଙ୍କୁ ପଚାରିବାରୁ କହିଛନ୍ତି, ପର୍ଯ୍ୟଟନସ୍ଥଳୀକୁ ସ୍ଥିତି  ଅନୁଧ୍ୟାନ କରିବେ । ତା’ପରେ କ'ଣ କଲେ  ସୁବିଧା ହେବ, ଗାଁ ଲୋକଙ୍କୁ ନେଇ ଆଲୋଚନା  ପରେ ଆବଶ୍ୟକ ପଦକ୍ଷେପ ନେବେ।