ପୁରୀ,୦୭/୧୧: ବଡ଼ଦାଣ୍ଡରେ ଦାରୁଣ ଦୃଶ୍ୟ । ଦିବ୍ୟାଙ୍ଗମାନେ  ବଡ଼ଦାଣ୍ଡରେ ଗଡ଼ିଗଡ଼ି ଭିକ୍ଷା ମାଗିବା  ଦେଖେଣାହାରିଙ୍କୁ ଚକିତ କରିଛି । ଭିକ୍ଷା ମାଗୁଥିବା ଦିବ୍ୟାଙ୍ଗକୁ ଉଦ୍ଧାର  କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର  ସାମାଜିକ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ କଡ଼ା  ନିର୍ଦ୍ଦେଶ ରହିଛି । ମାତ୍ର ପ୍ରତିଦିନ ଲକ୍ଷାଧିକ ଯାତ୍ରୀଙ୍କ  ଭିଡ଼ ଜମୁଥିବା ପୁରୀର ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗମାନେ  ରାସ୍ତାରେ ଗଡ଼ିଗଡ଼ି ଭିକ୍ଷା ମାଗିବା ସମସ୍ତଙ୍କୁ ଦୁଃଖିତ  କରିଛି । ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରିବା ପରେ ଭିକ୍ଷା ମାଗିବାରେ  ବାଧ୍ୟ କରୁଥିବା ବ୍ୟକ୍ତିଙ୍କୁ ଧରିବା ଓ ଦିବ୍ୟାଙ୍ଗଙ୍କୁ ଥଇଥାନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କଡ଼ା  ନିର୍ଦ୍ଦେଶ ରହିଛି । ମାତ୍ର ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବାରୁ  ବଡ଼ଦାଣ୍ଡରେ ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । 

ସେହିପରି ପୁରୀ ସହରରେ ନିରାଶ୍ରୟଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । ଦିନରେ ଯେନତେନ ମାଗି ଖାଇ  କଷ୍ଟରେ ଜୀବନ କାଟୁଥିବା ନିରାଶ୍ରୟମାନେ ରାତି କାଟିବାକୁ  ବଡ଼ଦାଣ୍ଡ ମଝିରେ ଶୋଇଯାଉଛନ୍ତି । ମାନସିକ ବିକାରଗ୍ରସ୍ତ,  ଜରି ଗୋଟାଳି, ରିକ୍ସବାଲାଙ୍କ ସଂଖ୍ୟା ଏହା ଭିତରେ ଅଧିକ ।  ବଡ଼ଦାଣ୍ଡ ମଝିରେ ଶୋଇ ଯାଉଥିବାରୁ ଏମାନଙ୍କ ଜୀବନ ପ୍ରତି  ବିପଦ ସଦା ବେଳେ ରହିଛି । ମାତ୍ର ଏମାନଙ୍କୁ ଉଠାଇ ଥଇଥାନ  କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀ କିମ୍ବା ସାମାଜିକ  ସୁରକ୍ଷା କାର୍ଯ୍ୟାଳୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି । ଫଳରେ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । 

ଶ୍ରୀକ୍ଷେତ୍ରର  ଖ୍ୟାତି ବିଶ୍ୱବ୍ୟାପୀ ହୋଇଥିବାରୁ ଦେଶବିଦେଶର ଲୋକେ  ଏଠାକୁ ପରିଦର୍ଶନରେ ଅସୁଛନ୍ତି । ତେଣୁ ଏହି ଧାର୍ମିକ  ସହରରେ ମାନବିକ ଅଧିକାର ମାଟିରେ ଲୋଟିବାର ଦୃଶ୍ୟ ବନ୍ଦ  କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏନେଇ ଜିଲ୍ଲା  ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ ମହାରଣା କହିଛନ୍ତି,  ନିଶ୍ଚିତ ଭାବେ ଅଭିଯୋଗ ଆସିବା ମାତ୍ରେ ଭିକ୍ଷା ମାଗୁଥିବା  ଦିବ୍ୟାଙ୍ଗ ଓ ନିରାଶ୍ରୟଙ୍କ ଉଦ୍ଧାର କରିବାକୁ ପଦକ୍ଷେପ ନିଆଯିବ।