ପୁରୀ,୧୫/୦୭: ପୁରୀ ମହାନଗର ନିଗମ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୁରୀ ସହରକୁ ଲାଗିଥିବା ୮ ପଞ୍ଚାୟତର ୪୪ଟି ଗାଁର ନାମକୁ ପୁରୀ ପୌରସଂସ୍ଥା ପ୍ରସ୍ତାବରେ ଯୋଡ଼ି ସରକାରଙ୍କୁ ପଠାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ପାଇବା ପରେ ମହାନଗର ନିଗମ କରିବା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଭିତ୍ତିଭୂମି ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛି । ବୀରହରେକୃଷ୍ଣପୁର, ବାଲିଗୁଆଳି, ଗୋପୀନାଥପୁର, ସମଙ୍ଗ, ଶାସନ ଦାମୋଦରପୁର, ଗୋପାଳପୁର, ବାଲୁଖଣ୍ଡ, କାଶିହରିପୁର, ଗୋରୁଆଳ ପଞ୍ଚାୟତ ପୁରୀ ପୌରାଞ୍ଚଳ ସହ ମିଶିବାକୁ ପ୍ରସ୍ତାବରେ ସ୍ଥିର ହୋଇଛି ।
ପୁରୀ ପୌରକୁ ମହାନଗର ନିଗମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ପୁରୀ ବିଧାୟକ ସୁନୀଲ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକର ଫଟୋ ସେ ସେୟାର କରିଛନ୍ତି ।
ଏଥିରେ ସେ ଉଲ୍ଲେଖ କରିଛନ୍ତି, ଗତ ବିଧାନସଭା ଅଧିବେଶନରେ ପୁରୀକୁ ମହାନଗର ନିଗମରେ ପରିଣତ କରିବା ପାଇଁ ସେ ଦାବି କରିଥିଲେ । ନିକଟରେ ରାଜ୍ୟ ସରକାର ଏହାକୁ ଘୋଷଣା କରିବା ପରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ସୋମବାର ବିଧାନସଭାର ସ୍ୱତନ୍ତ୍ର କକ୍ଷରେ ନଗର ଉନ୍ନୟନ ବିଭାଗ ସହ ଜଡ଼ିତ ବିଧାନସଭା କମିଟିର ଅଧକ୍ଷ, ସଦସ୍ୟଗଣ, ନଗର ଉନ୍ନୟନ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ, ଓଡ଼ିଶା ପୌରପାଳିକା ପ୍ରଶାସନିକ ନିର୍ଦ୍ଦେଶକ ଓ କଟକ ମହାନଗର ନିଗମ ଆୟୁକ୍ତ, ବିଡିଏ ଉପାଧ୍ୟକ୍ଷ ଏବଂ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏନେଇ ପୁରୀ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ମୁତାବକ ମହାନଗର ନିଗମ ନିମନ୍ତେ ଆବଶ୍ୟକ ସମସ୍ତ ତଥ୍ୟ ଦିଆଚାଲିଛି । ଆଗକୁ ମଧ୍ୟ ଆଦେଶ ଯାହା ଆସିବ କରାଯିବ । ଖୁବ୍ଶୀଘ୍ର ପ୍ରସ୍ତାବିତ ଅଞ୍ଚଳର ଅନୁଧ୍ୟାନ କରାଯିବ ।
ପୁରୀ ମହାନଗର ପ୍ରସ୍ତାବ କାର୍ଯ୍ୟକାରୀ ନିମନ୍ତେ ଅତିକମ୍ରେ ୩ ଲକ୍ଷରୁ ଅଧିକ ଜନସଂଖ୍ୟା ଆବଶ୍ୟକ । ଏବେ ପୁରୀ ପୌରାଞ୍ଚଳରେ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ତେଣୁ ସଦର ଓ ବ୍ରହ୍ମଗିରିର ୮ ପଞ୍ଚାୟତ ଅନ୍ତର୍ଗତ ୪୪ ଗାଁ ପୁରୀ ସହରରେ ମିଶିବା ପରେ ଏହାର ଜନସଂଖ୍ୟା ମହାନଗର ନିଗମ ମାନଦଣ୍ଡ ସହ ସମତୁଲ ହୋଇପାରିବ । ସିପସରୁବାଲି ଅଞ୍ଚଳକୁ ନେଇ ଶାମୁକା ପ୍ରକଳ୍ପ ଓ ବିମାନବନ୍ଦର ପ୍ରକଳ୍ପ କରିବାକୁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ମଧ୍ୟ ମହାନଗର ନିଗମ ଅଞ୍ଚଳ ପରିସରଭୁକ୍ତ କରାଯାଇଛି ।
ପ୍ରସ୍ତାବିତ ଗ୍ରାମାଞ୍ଚଳଗୁଡ଼ିକ ସଦର ଥାନା, ତାଳବଣିଆ ଥାନା ପରିସରରେ ବିଶେଷ ଭାବେ ଯାଉଛି । ବୀରହରେକୃଷ୍ଣପୁର ପଞ୍ଚାୟତର ହରେକୃଷ୍ଣପୁର, ବାଟଗାଁ, ଜଗନ୍ନାଥ ବଲ୍ଲଭ, ପୁରୁଷୋତ୍ତମ ବଲ୍ଲଭ, ରାହାଙ୍ଗିଆ, ରେଣ୍ଡୁଅ, ଉତ୍ତରସରପଡ଼ା ପର୍ଯ୍ୟନ୍ତ ସହର ବ୍ୟାପିବ । ସେହିପରି ସମଙ୍ଗର କାଶୀଜଗନ୍ନାଥପୁର, ଖରିପଡ଼ା, ରେବତିରମଣ, ସମଙ୍ଗ, ସିରେଇକୋଣା, ଶଙ୍କରପୁର ପର୍ଯ୍ୟନ୍ତ ଅପରପାଶ୍ୱର୍ ସୀମା ବଢ଼ିବ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।