ପୁରୀ,୦୮/୦୪: ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ‘ସାହିଯାତ’ର ଦ୍ୱିତୀୟ ସନ୍ଧ୍ୟା । ବୀରବାଦ୍ୟରେ କମ୍ପୁଥିଲା ଶ୍ରୀମନ୍ଦିର ପାର୍ଶ୍ବ ପୁରୁଣା ସାହି ଓ ବଡ଼ଦାଣ୍ଡ । ଶ୍ରୀମନ୍ଦିର ପରମ୍ପରାକ୍ରମେ ସମ୍ପନ୍ନ ହୋଇଥିଲା ରାମଲୀଳାର ଯଜ୍ଞରକ୍ଷା ପ୍ରସ୍ତାବ । ହରଚଣ୍ଡୀ ସାହି ପକ୍ଷରୁ ଅସୁର ସୁବାହୁ ଓ ମାରିଚ(ନାକ ଓ କାନ) ବାହାରିଥିଲେ । କ୍ରିଷ୍ଣା ମହାପାତ୍ର ଓ ସୋମନାଥ ବେହେରା ସୁବାହୁ ଓ ମାରିଚ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ । ପଟୁଆରରେ ବିଶ୍ୱାମିତ୍ର ଋଷିଙ୍କ ସହ ଥିଲେ ଶ୍ରୀରାମ ଓ ଲକ୍ଷ୍ମଣ । ରାମ ଭୂମିକାରେ ବଳିଆ ସାହୁ, ଲକ୍ଷ୍ମଣ ଭୂମିକାରେ ଇନ୍ଦ୍ର ବରାଳ, ବିଶ୍ୱାମିତ୍ର ଭୂମିକାରେ ଅମ୍ଳାନ କୁମାର ନନ୍ଦ ସଜ୍ଜିତ ହୋଇ ନୀତି ସମ୍ପାଦନ କରିଥିଲେ ।

ହରଚଣ୍ଡୀ ସାହି ଆଖଡ଼ା ଧ୍ୱଜାଗଡ଼ ଜାଗା ପକ୍ଷରୁ ଯାତ ବାହାରିଥିଲା । ଏହି ପଟୁଆର ସାହି ପରିଭ୍ରମଣ କରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚି ହରଚଣ୍ଡୀ ସାହିଆଙ୍କ ପକ୍ଷରୁ ଯଜ୍ଞରକ୍ଷା ପ୍ରସ୍ତାବ ସମ୍ପନ୍ନ ହୋଇଥିଲା । ବୀରବାଦ୍ୟର ତାଳେ ନାକ ଓ କାନ ନୃତ୍ୟ ପରିବେଷଣ କରିଥିଲେ । ଶହ ଶହ ଦର୍ଶକ ସାହିଯାତ୍ରାର ମଜ୍ଜା ନେଇଥିଲେ । ହରଚଣ୍ଡୀ ସାହି ପ୍ରଦକ୍ଷଣ ପରେ ବାଲିସାହି ହୋଇ ଶେଷରେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିଥିଲା ପଟୁଆର । ସେଠାରେ ଠାକୁରଙ୍କ ଚଳନ୍ତି ପ୍ରତିମା ବିଜେ ହୋଇଥିଲେ । ଶ୍ରୀରାମଲୀଳାର ଯଜ୍ଞରକ୍ଷା ନୀତି ସମ୍ପନ୍ନ ହୋଇଥିଲା । ତ୍ରେତୟା ଯୁଗରେ ଅସୁରଙ୍କ ଉତ୍ପାତରେ ମୁନିଋଷିଙ୍କ ଯଜ୍ଞ ଭଙ୍ଗ ହେଉଥିଲା । ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣ ଜଙ୍ଗଲକୁ ଯାଇ ସୁବାହୁ ଓ ମାରିଚଙ୍କୁ ନିହତ କରି ଯଜ୍ଞରକ୍ଷା କରିଥିଲେ । ହରଚଣ୍ଡୀ ସାହି ଆଖଡ଼ାର ସଭାପତି ସାଗର ଦୀନବନ୍ଧୁ ପ୍ରତିହାରୀ, ସମ୍ପାଦକ କୋଠାରୀ ନାରାୟଣ ମେକାପ, ପରିଚାଳକ ଜିତେଶ କୁମାର ସାହୁ ଓ ଅନ୍ୟ ଜାଗା ଆଖଡ଼ା କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଠାକୁରଙ୍କ ନୀତି ସମ୍ପାଦନରେ ସହଯୋଗ କରିଥିଲେ ।

ଅନ୍ୟପକ୍ଷରେ ମାଟିମଣ୍ଡପ ସାହିରୁ ନିଶାଣ ଯାତ୍ରା ବାହାରି କାଳିକାଦେବୀ ସାହି ଭ୍ରମଣ କରିଥିଲା । ସେଥିପାଇଁ ଉଜ୍ଜ୍ୱଳ ଆଲୋକମାଳାରେ ସଜ୍ଜିତ ହୋଇଥିଲା କାଳିକାଦେବୀ ସାହି । ପାରମ୍ପରିକ ନୃତ୍ୟକଳାର ରଙ୍ଗମଞ୍ଚ ପାଲଟିଥିଲା ଉଭୟ ସାହି । ହଜାର ହଜାର ଦର୍ଶକ ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ଦେଖିଥିଲେ । ମାଟିମଣ୍ଡପ ସାହି ଆଖଡ଼ା ପକ୍ଷରୁ ବାହାରିଥିବା ଭୁଆଷିକ କାକୁଡ଼ିଖାଇ ମନ୍ଦିର, ଦକ୍ଷିଣକାଳୀଙ୍କ ମନ୍ଦିର ହୋଇ କାଳିକାଦେବୀ ସାହିରୁ ପୁନଃ ଆଖଡ଼ାରେ ପହଞ୍ଚିଥିଲେ । ଯାତ ସମ୍ମୁଖରେ ଯାଇଥିଲା ନିଶାଣ । ସପ୍ତଶିରା ଓ ଦଶାବତାର ଭଳି ବିଭିନ୍ନ ପୌରାଣିକ ଚରିତ୍ର ନିଜର ଶୌର୍ଯ୍ୟ ଦେଖାଇଥିଲେ