ନୂଆଦିଲ୍ଲୀ, ୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ଏକ ବଡ଼ ବୈଠକରେ ସାକ୍ଷାତ କରିବାକୁ ଯାଉଛନ୍ତି । ଦୁଇ ଦେଶ ମଧ୍ୟରେ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିବ ୟୁକ୍ରେନ ଯୁଦ୍ଧ । ଏହାରି ମଧ୍ୟରେ, ଟ୍ରମ୍ପ ଏବଂ ପୁଟିନ ଆଲୋଚନା ପୂର୍ବରୁ କିଛି ବିବୃତ୍ତି ଦେଇଛନ୍ତି ।
କ'ଣ କହିଲେ ରୁଷ ରାଷ୍ଟ୍ରପତି ?
ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ପୁଟିନ । ପୁଟିନଙ୍କ କ୍ରେମଲିନ ପକ୍ଷରୁ ଜାରି ଏକ ଭିଡିଓରେ ପୁଟିନ କହିଛନ୍ତି, ଟ୍ରମ୍ପ ପ୍ରଶାସନ ଶତ୍ରୁତା ଶେଷ କରିବା ପାଇଁ ଜୋରସୋରରେ ଚେଷ୍ଟା ଜାରି ରଖିଛି । ପରମାଣୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଉପରେ ଆମେରିକା ସହିତ ଏକ ଚୁକ୍ତି ମାଧ୍ୟମରେ "ଆମ ଦେଶ ସମେତ ୟୁରୋପରେ ଏବଂ ସମଗ୍ର ବିଶ୍ୱରେ ଶାନ୍ତି ସ୍ଥିତି" ସ୍ଥାପନ କରିହେବ ବୋଲି ପୁଟିନ ପରାମର୍ଶ ଦେଇଛନ୍ତି ।
କ’ଣ କହିଲେ ଆମେରିକା ରାଷ୍ଟ୍ରପତି ?
ଆଲାସ୍କାରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଟ୍ରମ୍ପ କହିଥିଲେ, ପୁଟିନ ତାଙ୍କ ସହିତ ମେଣ୍ଟ କରିବେ ନାହିଁ । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ, ପୁଟିନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାକୁ ଚାହାଁନ୍ତି । ତଥାପି, ସେ କହିଛନ୍ତି ଯେ ସେ ଆମେରିକା ରାଷ୍ଟ୍ରପତି ଥିବା ସମୟରେ ଏହା ଘଟିବ ନାହିଁ । ଟ୍ରମ୍ଫ କହିଛନ୍ତି, "ମୁଁ ଭାବୁଛି ରାଷ୍ଟ୍ରପତି ପୁଟିନ ଏକ ସମାଧାନ ଦେଖିବାକୁ ଚାହାଁନ୍ତି । ଏହା ଏକ ଏଭଳି ଯୁଦ୍ଧ ଯାହା କେବେ ହେବା ଉଚିତ୍ ନୁହେଁ । ମୋ ମତରେ, ଯଦି ମୁଁ ରାଷ୍ଟ୍ରପତି ନଥାନ୍ତି, ତେବେ ପୁଟିନ ସମଗ୍ର ୟୁକ୍ରେନକୁ ଦଖଲ କରିଥାନ୍ତେ । କିନ୍ତୁ ମୁଁ ରାଷ୍ଟ୍ରପତି ଅଛି ତେଣୁ ସେ ମୋ ସହିତ ମେଣ୍ଟ କରିବେ ନାହିଁ ।"
କେବେ ହେବ ଆଲୋଚନା ?
ଏହାରି ମଧ୍ୟରେ, ଆମେ ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ, କ୍ରେମଲିନ୍ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଶୁକ୍ରବାର ସ୍ଥାନୀୟ ସମୟ ସକାଳ ୧୧:୩୦ରେ ଆରମ୍ଭ ହେବ । ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଟ୍ରମ୍ପ ଏବଂ ପୁଟିନ ପ୍ରଥମେ ପରସ୍ପର ସହିତ ଏକ ବୈଠକରେ ସାକ୍ଷାତ କରିବେ । ଯାହା ପରେ ଦୁଇ ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରାଯିବ । ଏହା ପରେ, ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହେବ ।