ମସ୍କୋ,୨୩।୧୨: ଋଷର କଜନା ସହର ଉପରେ ନିକଟରେ ୟୁକ୍ରେନ୍ କରିଥିଲା ଘାତକ ଆକ୍ରମଣ। ଏବେ ଏହି ଘଟଣା ପରେ ଆକ୍ସନ‌ ମୋଡ୍‌ରେ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍। ୟୁକ୍ରେନ୍‌ ଉପରେ ଜୋରଦାର ହମଲା କରିବାର ଯୋଜନାରେ ପୁଟିନ୍। ସେ କହିଛନ୍ତି ଋଷରେ ଯେତିକି କ୍ଷତି ହୋଇଛି ତା’ର ଦୁଇଗୁଣା ଆକ୍ରମଣ ୟୁକ୍ରେନ୍ ଉପରେ ହେବ। ନିଜେ କରିଥିବା ଭୁଲ ପାଇଁ ଅନୁତାପ କରିବ ୟୁକ୍ରେନ୍।  

ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍। କଜାନ ସହର ଉପରେ ହୋଇଥିବା ଆକ୍ରମଣର ଦେବେ ପାଲଟା ଜବାବ୍। ୟୁକ୍ରେନ୍‌କୁ ନିଜର ଭୁଲ ପାଇଁ ଭୋଗିବାକୁ ହେବ ପରିଣାମ। ଏଭଳି ଚରମ ଚେତାବନୀ ଦେଇଛନ୍ତି ପୁଟିନ୍। ସେ କହିଛନ୍ତି, ଋଷ ଉପରେ ଯେତେ ବି ଆକ୍ରମଣ ହେଉ, ଆମେ  ଏହାର ମୁକାବିଲା କରିବୁ। ତେ‌ବେ ୟୁକ୍ରେନ୍‌କୁ ନିଜର ଭୁଲ ପାଇଁ ଏବେ ଅନୁତାପ କରିବ। ଆମେ ଦୁଇଗୁଣା ଆକ୍ରମଣ କରି, ୟୁକ୍ରେନ୍‌କୁ ମାଟିରେ ମିଶାଇ ଦେବୁ।

ଗତ ୨୧ ତାରିଖ ସକାଳେ କାଜାନ ସହରର ତିନୋଟି ବଡ଼ ବିଲ୍ଡିଂକୁ ୮ଟି ଡ୍ରୋନ୍‌ ମାଡ଼ କରିଥିଲା ୟୁକ୍ରେନ୍।  ଏଥିରେ ୬ ଜଣଙ୍କର ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ୟୁକ୍ରେନ୍‌ର କିଲର୍‌ ଡ୍ରୋନ୍‌ ମାଡ଼ରେ ବହୁ ବିଲ୍ଡିଂ ମଧ୍ୟ ହୋଇଥିଲା କ୍ଷତିଗ୍ରସ୍ତ। ଏହି ଘଟଣାକୁ ଆମେରିକା ୯/୧୧ ଆକ୍ରମଣ ଘଟଣା ସହ କରାଯାଇଥିଲା ତୁଳନା। 

ଏହା ମଧ୍ୟରେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟୁକ୍ରେନ୍‌କୁ ଏହାର ପରିଣାମ ଭୋଗିବାକୁ ହେବ। ଆମେ ଆଗାମୀ ରଣନୀତି ପ୍ରସ୍ତୁତ କରିସାରିଛୁ। ୟୁକ୍ରେନ୍ ସେନା ପକ୍ଷରୁ ଶନିବାର ଓ ରବିବାର ମାଡ କରିଥିବା ୪୨ ଡ୍ରୋନ୍‌କୁ ନଷ୍ଟ କରିଛୁ। ସବୁଠୁ ଅଧିକ ଡ୍ରୋନ୍‌ ଓରିୟୋଲ ଅଞ୍ଚଳରେ ନଷ୍ଟ କରାଯାଇଛି। ଅନ୍ୟପକ୍ଷେ ଡ୍ରୋନ୍ ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛି। ୟୁକ୍ରେନ୍ କହିଛି ଋଷ ପକ୍ଷରୁ ୧୦୩ ଡ୍ରୋନ୍ ରୁ ୫୨ଟିକୁ ଆକ୍ରମଣ କରି ଆମେ ନଷ୍ଟ କରିଛୁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜୋରଦାର ହୋଇଥିବା ବେଳେ ପୁଟିନ୍ କିନ୍ତୁ ପ୍ରତିଶୋଧ ନିଆଁରେ ଜଳୁଛନ୍ତି। ଆଗାମୀ ଦିନରେ ୟୁକ୍ରେନ୍‌ରେ କରି ପାରନ୍ତି ବଡ଼ ହମଲା।