ନୂଆଦିଲ୍ଲୀ, ୧୫/୫: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସରଗୋଦା ଜିଲ୍ଲାସ୍ଥିତ କିରାନା  ହିଲ୍ସରେ ଥିବା ଏହାର ପରମାଣୁ ମିସାଇଲ ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା ଭାରତ!  ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେ ଏଠାରୁ  ରେଡିଏସନ୍‌ (ବିକିରଣ) ଲିକ୍‌ ହେବାରେ  ଲାଗିଛି । ଫଳରେ ପାର୍ଶ୍ୱବର୍ତ୍ତୀ  ଅଞ୍ଚଳରୁ ଲୋକମାନେ ଘରଦ୍ୱାର ଛାଡ଼ି ପଳାଉଛନ୍ତି । 

ସୋସିଆଲ ମିଡିଆରେ ଏବେ  ଏଭଳି ଚର୍ଚ୍ଚା ଜୋରଦାର ହେଉଛି । କିନ୍ତୁ କିରାନା ହିଲ୍ସ ଉପରେ ଆକ୍ରମଣ କରିଥିବା ଖବରକୁ  ଭାରତ ପୂର୍ବରୁ ଖଣ୍ଡନ କରିଦେଇଛି । ସେହିଭଳି  ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ)  ମଧ୍ୟ ପାକ୍‌ ଆଣବିକ କେନ୍ଦ୍ରରୁ ବିକିରଣ ଲିକ୍‌ ହେବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି । ଗତ ୧୨ ତାରିଖରେ  ଭାରତର ଏୟାର ମାର୍ଶଲ ଏ କେ ଭାରତୀ ସାମ୍ବାଦିକ  ସମ୍ମିଳନୀରେ କହିଥିଲେ, ଆମ ସେନା କିରାନା ହିଲ୍ସ  ଉପରେ ହମଲା କରିନାହିଁ । ଏମିତି କି କିରାନା ହିଲ୍ସରେ  ପାକିସ୍ତାନର ଆଣବିକ କେନ୍ଦ୍ର ଥିବା ଆମେ ଜାଣିନାହୁଁ । 

ଉଲ୍ଲେଖଯୋଗ୍ୟ, ‘ଅପରେସନ ସିନ୍ଦୂର’ରେ  ଭାରତ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଉପରେ  ପ୍ରଚଣ୍ଡ ଆକ୍ରମଣ କରିଥିଲା । ତନ୍ମଧ୍ୟରେ ଥିବା  ସରଗୋଦା ଘାଟି କିରାନା ହିଲ୍ସ ଠାରୁ ପ୍ରାୟ ୨୦  କିଲୋମିଟର ଦୂର । ସରଗୋଦାରେ ଥିବା ମୁଶାଫ  ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା  ଭାରତ । କୁହାଯାଉଛି ଯେ ଏହି ସମୟରେ କିରାନା  ହିଲ୍ସରେ ଥିବା ପାକ୍‌ର ଆଣବିକ କେନ୍ଦ୍ର ଉପରେ ମଧ୍ୟ  ଆକ୍ରମଣ ହୋଇଥାଇପାରେ । ଏହାର କେତେକ ପାଶ୍ୱର୍  ପ୍ରତିକ୍ରିୟା ବି ଦେଖିବାକୁ ମିଳିଲାଣି । ଉକ୍ତ ଅଞ୍ଚଳରେ  ୨-୩ ଥର ଭୂମିକମ୍ପ ଅନୁଭୂତ ହେଲାଣି। ରିକ୍ଟର  ସ୍କେଲରେ ଏହାର ତୀବ୍ରତା ୪.୬ ପର୍ଯ୍ୟନ୍ତ ହେବ । 

ସୂଚନାଥାଉ କି କିରାନା ହିଲ୍ସକୁ ପାକିସ୍ତାନର  ଏକ ଶକ୍ତିଶାଳୀ ସାମରିକ ଘାଟି  ବିବେଚନା କରାଯାଉଛି । ଏଠାରେ  ୧୦ରୁ ଅଧିକ ଭୂତଳ ଆଣବିକ ସୁଡ଼ଙ୍ଗ  ରହିଥିବା ଅନୁମାନ କରାଯାଉଛି ।  ଏଠାରେ ଆଣବିକ ଅସ୍ତ୍ର ପରୀକ୍ଷଣ  ବି କରାଯାଏ । ଖୁସାବ ଆଣବିକ ସ୍ଥଳୀଠାରୁ ଏହାର  ଦୂରତା ପ୍ରାୟ ୭୫ କିଲୋମିଟର ହେବ । କିରାନା  ହିଲ୍ସ ଆଣବିକ କେନ୍ଦ୍ରରେ ସମ୍ଭାବ୍ୟ ବିକିରଣ  ଲିକ୍‌ର ଯାଞ୍ଚ ପାଇଁ ଆମେରିକୀୟ ଟିମ୍‌ ଆସିପାରେ  ବୋଲି କୁହାଯାଉଛି । କିନ୍ତୁ ଆମେରିକାର ବିଦେଶ  ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ ।