ନୂଆଦିଲ୍ଲୀ, ୧୫/୫: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସରଗୋଦା ଜିଲ୍ଲାସ୍ଥିତ କିରାନା ହିଲ୍ସରେ ଥିବା ଏହାର ପରମାଣୁ ମିସାଇଲ ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ! ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେ ଏଠାରୁ ରେଡିଏସନ୍ (ବିକିରଣ) ଲିକ୍ ହେବାରେ ଲାଗିଛି । ଫଳରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକମାନେ ଘରଦ୍ୱାର ଛାଡ଼ି ପଳାଉଛନ୍ତି ।
ସୋସିଆଲ ମିଡିଆରେ ଏବେ ଏଭଳି ଚର୍ଚ୍ଚା ଜୋରଦାର ହେଉଛି । କିନ୍ତୁ କିରାନା ହିଲ୍ସ ଉପରେ ଆକ୍ରମଣ କରିଥିବା ଖବରକୁ ଭାରତ ପୂର୍ବରୁ ଖଣ୍ଡନ କରିଦେଇଛି । ସେହିଭଳି ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ) ମଧ୍ୟ ପାକ୍ ଆଣବିକ କେନ୍ଦ୍ରରୁ ବିକିରଣ ଲିକ୍ ହେବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି । ଗତ ୧୨ ତାରିଖରେ ଭାରତର ଏୟାର ମାର୍ଶଲ ଏ କେ ଭାରତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆମ ସେନା କିରାନା ହିଲ୍ସ ଉପରେ ହମଲା କରିନାହିଁ । ଏମିତି କି କିରାନା ହିଲ୍ସରେ ପାକିସ୍ତାନର ଆଣବିକ କେନ୍ଦ୍ର ଥିବା ଆମେ ଜାଣିନାହୁଁ ।
ଉଲ୍ଲେଖଯୋଗ୍ୟ, ‘ଅପରେସନ ସିନ୍ଦୂର’ରେ ଭାରତ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ତନ୍ମଧ୍ୟରେ ଥିବା ସରଗୋଦା ଘାଟି କିରାନା ହିଲ୍ସ ଠାରୁ ପ୍ରାୟ ୨୦ କିଲୋମିଟର ଦୂର । ସରଗୋଦାରେ ଥିବା ମୁଶାଫ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ଭାରତ । କୁହାଯାଉଛି ଯେ ଏହି ସମୟରେ କିରାନା ହିଲ୍ସରେ ଥିବା ପାକ୍ର ଆଣବିକ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥାଇପାରେ । ଏହାର କେତେକ ପାଶ୍ୱର୍ ପ୍ରତିକ୍ରିୟା ବି ଦେଖିବାକୁ ମିଳିଲାଣି । ଉକ୍ତ ଅଞ୍ଚଳରେ ୨-୩ ଥର ଭୂମିକମ୍ପ ଅନୁଭୂତ ହେଲାଣି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ପର୍ଯ୍ୟନ୍ତ ହେବ ।
ସୂଚନାଥାଉ କି କିରାନା ହିଲ୍ସକୁ ପାକିସ୍ତାନର ଏକ ଶକ୍ତିଶାଳୀ ସାମରିକ ଘାଟି ବିବେଚନା କରାଯାଉଛି । ଏଠାରେ ୧୦ରୁ ଅଧିକ ଭୂତଳ ଆଣବିକ ସୁଡ଼ଙ୍ଗ ରହିଥିବା ଅନୁମାନ କରାଯାଉଛି । ଏଠାରେ ଆଣବିକ ଅସ୍ତ୍ର ପରୀକ୍ଷଣ ବି କରାଯାଏ । ଖୁସାବ ଆଣବିକ ସ୍ଥଳୀଠାରୁ ଏହାର ଦୂରତା ପ୍ରାୟ ୭୫ କିଲୋମିଟର ହେବ । କିରାନା ହିଲ୍ସ ଆଣବିକ କେନ୍ଦ୍ରରେ ସମ୍ଭାବ୍ୟ ବିକିରଣ ଲିକ୍ର ଯାଞ୍ଚ ପାଇଁ ଆମେରିକୀୟ ଟିମ୍ ଆସିପାରେ ବୋଲି କୁହାଯାଉଛି । କିନ୍ତୁ ଆମେରିକାର ବିଦେଶ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ ।