ମୁମ୍ବାଇ ୨୬/୦୧: ସମସାମୟିକ  ଅଭିନେତ୍ରୀମାନଙ୍କ ମଧ୍ୟରୁ  ଅନେକେ ଇତି ମଧ୍ୟରେ ଘର  ସଂସାର କରିସାରିଲେଣି ।  କିନ୍ତୁ ଶ୍ରଦ୍ଧା କପୁର ଏବେ ବି ‘ସିଙ୍ଗଲ୍‌’ । ବିଭିନ୍ନ ସମୟରେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଛି । କେବେ ବି ଏହି ପ୍ରଶ୍ନର  ସିଧା ଜବାବ ଦେଇନାହାନ୍ତି ଶ୍ରଦ୍ଧା । ଚତୁରତାର ସହ ଏଡ଼ାଇ ଯାଇଛନ୍ତି । ଶ୍ରଦ୍ଧାଙ୍କ ତଥାକଥିତ ପ୍ରେମିକମାନଙ୍କୁ  ନେଇ ବି ବଲିଉଡରେ କିଛି କମ୍‌ ଚର୍ଚ୍ଚା ହୋଇନି । ଏକ ସମୟରେ ଅଭିନେତା ଆଦିତ୍ୟ ରୟ କପୁରଙ୍କଠାରୁ   ଫରହାନ ଅଖତରଙ୍କ ଯାଏ ଶ୍ରଦ୍ଧାଙ୍କ ପ୍ରେମିକ ଥିଲେ ବୋଲି ଶୁଣିବାକୁ ମିଳୁଥିଲା । ଏହା ବି ଚର୍ଚ୍ଚା ହୋଇଥିଲା  ମୁମ୍ବାଇର ଜଣେ ଖ୍ୟାତନାମା ଫଟୋଗ୍ରାଫର୍‌ଙ୍କ ସହ କାଳେ ଶ୍ରଦ୍ଧା ସଂପର୍କରେ ଥିଲେ । ଏଥର ଶ୍ରଦ୍ଧାଙ୍କ ଫୋନ୍‌ର  ୱାଲପେପର୍‌ରେ ତାଙ୍କ ନୂଆ ପ୍ରେମିକଙ୍କ ଫଟୋ ଦେଖିବାକୁ ମିଳିଛି । 

ପାପ୍ପାରାଜ୍ଜିଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଶ୍ରଦ୍ଧାଙ୍କ ଫୋନ୍‌ର ୱାଲପେପର୍‌ରେ ଜଣେ ଯୁବକଙ୍କ ଫଟୋ । ସେହି ଫଟୋ ଶ୍ରଦ୍ଧାଙ୍କ ନୂଆ ପ୍ରେମିକ ରାହୁଲ ମୋଦିଙ୍କର ବୋଲି ଶୁଣିବାକୁ ମିଳୁଛି । ତେବେ ଶ୍ରଦ୍ଧାଙ୍କ କହିବା ହେଲା  ସେ ଏବେ ବି ଜୀବନସାଥୀ ସନ୍ଧାନରେ ଅଛନ୍ତି । ତାଙ୍କୁ ଏଯାଏ ମନଲାଖି ଜୀବନସାଥୀ ମିଳିନାହାନ୍ତି ।  ଏମିତିକି ନିନ୍ଦୁକମାନଙ୍କ ଉଦ୍ଦେଶ୍ୟରେ ତାଙ୍କ କହିବା ହେଲା ସେମାନେ ଜୀବନସାଥୀ ଖୋଜିବାରେ  ତାଙ୍କୁ ସାହାଯ୍ୟ କଲେ ଭଲ ହୁଅନ୍ତା।