ନୂଆଦିଲ୍ଲୀ : ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା । ୪ ବର୍ଷ ହେବ ଅନ୍ୟ ଜଣଙ୍କ ରହୁଥିଲେ ଲିଭ୍ ଇନରେ । ୩ ଛୁଆର ମାଆ ହୋଇଥିବା ମହିଳାଙ୍କ ହତ୍ୟା । ଲିଭ୍ ଇନରେ ରହୁଥିବା ପାର୍ଟନର ମଙ୍ଗଳସୂତ୍ରରେ ଚାପି କରିଛନ୍ତି ହତ୍ୟା । ଛତିଶଗଡ଼ର ରାୟଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ମୃତକ ଜଣକ ହେଲେ ଧନେଶ୍ବରୀ ବିଶ୍ବକର୍ମା । ପ୍ରଥମେ ଏହା ସାଧାରଣ ମୃତ୍ୟୁ ବୋଲି କୁହାଯାଇଥିଲା । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସତ ଜଣାପଡ଼ିଥିଲା ।
ପୁଲିସ ତଦନ୍ତ କରୁଥିବାବେଳେ ଜଣା ପଡ଼ିଛି କି, ଧନେଶ୍ବରୀ ମନୋଜଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନିଟି ଛୁଆ ରହିଛି । ଝଗଡ଼ା ହେବାକୁ ୪ ବର୍ଷ ହେବ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ । ସେ ଶ୍ବଶୁର ଘର ଛାଡ଼ି ବାପଘରେ ରହୁଥିଲେ । ଏବେ ତାଙ୍କର ସମ୍ପର୍କ ବିକାଶଙ୍କ ସହ ରହିଥିଲା । ଉଭୟ ବିବାହ ନକରି ମଧ୍ୟ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ । ପ୍ରଥମେ ବେଶ ଖୁସିରେ ଚଳୁଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା । ସବୁବେଳେ ତାଙ୍କ ଭିତରେ ମତଭେଦ ରହିଥିଲା ବୋଲି ପରିବାର ଲୋକେ କହିଛନ୍ତି ।
ଛୋଟ ଝଗଡ଼ାରୁ ହତ୍ୟା
ଘଟଣା ଦିନ ବିକାଶଙ୍କ ଜେଜେମାଆ ତାଙ୍କ ଘରକୁ ଆସିଥିଲେ । ରାତ୍ରୀ ଭୋଜନରେ ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଛୋଟ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା । ପରେ ବିକାଶ ରାଗି ଯାଇ ଧନେଶ୍ବରୀଙ୍କୁ ଦୁଇ ଚାପୁଡ଼ା ମାରିଥିଲେ । ରାଗି ଯାଇ ଧନେଶ୍ବରୀ କହିଲେ ମୁଁ ମୋ ଘରକୁ ଚାଳିଯିବି । ସେ ଘରକୁ ଯାଉଥିବାବେଳେ ବିକାଶ ତାଙ୍କ ମଙ୍ଗଳସୂତ୍ରକୁ ଟାଣି ରଖିଥିଲେ । ଏତେ ଜୋରରେ ଟାଣିଥିଲେ କି, ଧନେଶ୍ବରୀ ସେଠାରେ ଚେତାଶୂନ୍ୟ ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ଦେହାନ୍ତ ହୋଇଥିଲା । ବିକାଶ ଭୟଭୀତ ହୋଇଥିବାବେଳେ ଘଟଣାକୁ ଲୁଚାଇବା ପାଇଁ ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ମାତ୍ର ଯେତେବେଳେ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ପୁଲିସ ବିକାଶଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିବାବେଳେ ସେ ସବୁ ସତ ମାନିଥିଲେ । ସେ କହିଥିଲେ କି, ମୁଁ ଧନେଶ୍ବରୀଙ୍କୁ ବିବାହ କରିବା ପାଇଁ ଚାହୁଁଥିଲି । ମାତ୍ର ତାଙ୍କର ପୂର୍ବ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇନାହିଁ । ଯେଉଁ କାରଣରୁ ବିବାହ ହୋଇନଥିଲା । ଏହି କାରଣରୁ ମଧ୍ୟ ଝଗଡ଼ା ଅନେକ ସମୟରେ ଦେଖିବାକୁ ମିଳୁଥିଲା । ତେବେ ଛୋଟ ଝଗଡ଼ାରୁ ଏତେ ବଡ଼ ଅଘଟଣ ଘଟିଯିବ ମୁଁ କେବେ ମଧ୍ୟ ଭାବିନଥିଲି । ପୁଲିସ ଅଭିଯୁକ୍ତ ବିକାଶକୁ ଗିରଫ କରିଥିବାବେଳେ କୋର୍ଟ ଚାଲାଣ କରିଛି ।
ଏହାସହ ପଢ଼ନ୍ତୁ : ଧରା ପଡ଼ିଲା ସ୍ତ୍ରୀର ମିଛ ନାଟକ, ସ୍ବାମୀକୁ ମାରିବାକୁ ପ୍ରେମିକ ଦେଇଥିଲା ସୁପାରୀ