ପୁରୀ, ୧୧/୬ : ବର୍ଷାରେ ସ୍ନାନ କଲେ ଠାକୁର, ତିନ୍ତିଲେ ଭକ୍ତ। ଶ୍ରୀଜିଉଙ୍କ ସ୍ନାନ ଯାତ୍ରାରେ ବଡ଼ଦାଣ୍ଡରେ ଅନନ୍ୟ ଦୃଶ୍ୟ। ସୂର୍ଯ୍ୟଦେବଙ୍କୁ ଲୁଚାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ କଲେ ଇନ୍ଦ୍ରରାଜ। ଭିଜିଲେ ଠାକୁର, ଭିଜିଲା ବଡ଼ଦାଣ୍ଡ। ଇନ୍ଦ୍ର ଦେବଙ୍କ କୃପା ବୃଷ୍ଟିରେ ଓଦାହେଲେ ଶ୍ରଦ୍ଧାଳୁ। ପ୍ରଭୁଙ୍କ ଲୀଳା ଅପରାମ୍ପାର। ଆମ ଠାକୁର ସ୍ନାନ କଲେ, ଆମେ ଓଦା ହେଲୁ। ଏହା ଇନ୍ଦ୍ର ଦେବଙ୍କ କୃପା ନା ମହାପ୍ରଭୁଙ୍କ ନିର୍ଦ୍ଦେଶ ? ମହାପ୍ରଭୁଙ୍କ ବିନା ଇଚ୍ଛାରେ ଏଠି ପତ୍ରଟିଏ ବି ହଲେନି। ତେଣୁ ପ୍ରଚଣ୍ଡ ରୌଦ୍ରତାପରୁ ନିଜ ଭକ୍ତଙ୍କ କଷ୍ଟ ଲାଘବ ଲାଗି ବୋଧେ ଇନ୍ଦ୍ର ଦେବଙ୍କୁ ନିର୍ଦ୍ଦେଶ ଦେଲେ ସାଆନ୍ତେ। ଭାବ ବିନୋଦିଆ ଠାକୁର କେମିତି ବା ନବୁଝିବେ ତା' ଭକ୍ତଙ୍କ ମନର ବ୍ୟଥା।
ଅର୍ପଣ, ତର୍ପଣ ଓ ସମର୍ପଣର ଦେବଭୂମି ଉତ୍କଳ। ଏଠି ନେତା ନିଜେ ନାରାୟଣ। ଆଜି ସେହି ବିଶ୍ଵ ନିୟନ୍ତାଙ୍କ ଜନ୍ମୋତ୍ସବ। ଏହି ପାବନ ତିଥିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଶାସ୍ତ୍ର ଆନୁସାରେ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବାକୁ ଆସନ୍ତି ତେତିଶ କୋଟି ଦେବାଦେବୀ। ଏଇ ଯେମିତି ସିନ୍ଦୂରା ଫାଟିବା ପରେ ପ୍ରଚଣ୍ଡ କିରଣ ଦେଇ ଆକାଶରେ ଦେଖା ଦେଇଥିଲେ ସୂର୍ଯ୍ୟ ଦେବ। ଲାଗୁଥିଲା ଯେମିତି ମହାପ୍ରଭୁଙ୍କ ପାଇଁ ସୂର୍ଯ୍ୟ ଦେବ ପୃଥିବୀ ପାଖକୁ ଚାଲି ଆସିଛନ୍ତି।
୮ଟା ୪୨ରେ ପହଣ୍ଡି ଶେଷ ପରେ ସ୍ନାନ ମଣ୍ଡପର ଶୋଭା ବର୍ଦ୍ଧନ କରିଥିଲେ ତିନି ଠାକୁର। ଠିକ୍ ପୂର୍ବାହ୍ନ ୯ଟାରେ ହଠାତ୍ ପୁରୀ ଆକାଶ ହୋଇଥିଲା ମେଘାଛନ୍ନ। ସୂର୍ଯ୍ୟଦେବଙ୍କୁ ଲୁଚାଇ ଶ୍ରୀଅଙ୍ଗ ସ୍ପର୍ଶ କରିଥିଲେ ଇନ୍ଦ୍ରରାଜ। କିଛି ସମୟ ପାଇଁ ବଡ଼ଦାଣ୍ଡ ଓଦା କରି ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଜଳ ବୃଷ୍ଟି କରି ଇଦ୍ରଦେବ ଚାଲି ଯାଇଥିଲେ ସମୁଦ୍ର ଆଡ଼କୁ। ଲାଗିଲା ଯେମିତି ଭାବାବେଗର ସମର୍ପଣ ସ୍ଵରୂପ ଜଳବୃଷ୍ଟି କରିଛନ୍ତି ଇନ୍ଦ୍ର ଦେବ। ଆଉ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣକୁ ଭେଦ କରି ଠାକୁର ଓ ଭକ୍ତଙ୍କ ଉପରେ କରିଛନ୍ତି କୃପାବର୍ଷା। ଏ ଦୃଶ୍ୟ ସମସ୍ତଙ୍କୁ ଭବବିହ୍ୱଳ କରିଛି।