ନୂଆଦିଲ୍ଲୀ,୩/୧୨ : ରାୟପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତର ପରାଜୟ । ୪ ଓ୍ଵିକେଟ୍ରେ ଜିତିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଥିଲା । ଯାହାକୁ ଭ୍ରମଣକାରୀ ଦଳ ୪୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି । ଆଡନ ମାରକ୍ରମଙ୍କ ୧୧୦ ରନ ସହ ମାଥ୍ୟୁ ବ୍ରିଟଜକେ ଓ ଡିଓ୍ଵାର୍ଲ୍ଡ ବ୍ରେଭିସଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛି। ଫଳରେ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି । ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡିସେମ୍ବର ୬ରେ ବିଶାଖାପଟନମରେ ଖେଳାଯିବ।
୩୫୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ୨୬ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । କ୍ଵିଣ୍ଟନ ଡିକକ୍(୮) ପୁଣି ଥରେ ନିରାଶ କରିଥିଲେ । ଏହାପରେ ଆଡନ ମାରକ୍ରମ ଓ ଅଧିନାୟକ ତେମ୍ବା ବାଭୁମା ଭାରତୀୟ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୧ ରନ ଯୋଡ଼ିଥିଲେ। ତେମ୍ବା ବାଭୁମା ୪୬ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଗୋଟିଏ ପଟୁ ଆଡନ ମାରକ୍ରମ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଏବଂ ମାଥ୍ୟୁ ବ୍ରିଟଜକେ ଦ୍ରୁତ ଗତିରେ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଆଡନ ମାରକ୍ରମ ଦମଦାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରିଥିଲେ। ସେ ଓ ବ୍ରିଟଜକେ ୭୦ ରନ ଯୋଡ଼ିଥିଲେ। ମାରକ୍ରମ ୯୮ ବଲରୁ ୧୦ ଚୌକା ଓ ୪ ଛକା ସହ ୧୧୦ ରନ କରିଥିଲେ।
ଏହାପରେ ପୁଣି ବ୍ରିଟଜକେ ଓ ଡିଓ୍ଵାର୍ଲ୍ଡ ବ୍ରେଭିସ ୯୨ ରନ ଯୋଡ଼ି ଦକ୍ଷିଣ ଆଫ୍ରିକାର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ବିଶେଷ କରି ବ୍ରେଭିସ ଦ୍ରୁତ ବ୍ୟାଟିଂ କରି ୩୪ ବଲରୁ ୧ ଚୌକା ଏବଂ ୫ ଛକା ସହ ୫୪ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ବିଜୟର ନିକଟତର କରାଇଥିଲେ। ଏହା ପରେ କ୍ରିଜରେ ଜମିଥିବା ମାଥ୍ୟୁ ବ୍ରିଟଜକେଙ୍କୁ ଆଉଟ୍ କରି ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ବ୍ରିଟଜକେ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। କୋର୍ବିନ ବୋଶ ୨୯ ରନ କରି ମ୍ୟାଚକୁ ଜିତାଇଛନ୍ତି। ଦକ୍ଷିଣ ଆଫ୍ରିକା ମ୍ୟାଚକୁ ୪ ଓ୍ଵିକେଟରେ ଜିତିବା ସହ ଇତିହାସ ରଚିଛି।