ରାଇରଙ୍ଗପୁର, ୧୪।୧: ମୟୂରଭଞ୍ଜକୁ ସରକାରଙ୍କ ମକର ଭେଟି । କାର୍ଯ୍ୟକ୍ଷମ ହେଲା ରାଇରଙ୍ଗପୁର ପୁଲିସ ଜିଲ୍ଲା । ଏଥିରେ ଜିଲ୍ଲାର ଦୁଇଟି ଉପଖଣ୍ଡ ବାମନଘାଟି ଓ ପଞ୍ଚପିଢ ସାମିଲ ରହିଛି । ଏହି ଦୁଇ ଅଞ୍ଚଳରେ ଏବେ ଗଣପର୍ବ ମକର ପାଳିତ ହେଉଥିବାରୁ, ଏ ଅବସରରେ ଉପଖଣ୍ଡବାସୀଙ୍କୁ ମକର ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହାଛଡ଼ା ଏଠାରେ ଖୁବ୍ ଶୀଘ୍ର ଆରକ୍ଷୀ ଅଧିକ୍ଷକ ନିଯୁକ୍ତ ହୋଇ କାର୍ଯ୍ୟଭାର ଗ୍ରହଣ କରିବେ । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

କିଛି ମାସ ପୂର୍ବରୁ ରାଇରଙ୍ଗପୁର ପୁଲିସ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ଆଜି ଏହା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି । ସେପଟେ​​​​​​​ ଏସ୍‌ପି କାର୍ଯ୍ୟ ଭାର ସମ୍ଭାଳିବା ପୂର୍ବରୁ ଅସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ନେଇ ସମୀକ୍ଷା କରିଥିଲେ ଡିଆଇଜି । ପ୍ରଥମେ ରାଇରଙ୍ଗପୁର ଏସ୍‌ଡିପିଓ କାର୍ଯ୍ୟାଳୟ ଆସିବା ପରେ ଏସ୍‌ପି ରେକର୍ଡ ରୁମ୍, ଏସପିଙ୍କ କାର୍ଯ୍ୟାଳୟ, ହୋମଗାର୍ଡ କାର୍ଯ୍ୟାଳୟ, ପୁଲିସ ବ୍ୟାରେକ୍ ଏବଂ ଏସପିଙ୍କ ନିମନ୍ତେ ବାସସ୍ଥଳୀ ପ୍ରଭୃତି ପରିଦର୍ଶନ କରିଥିଲେ । ଉକ୍ତ ରିପୋର୍ଟ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀଙ୍କ ପାଖକୁ ପଠାଯିବା ପରେ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଏସ୍‌ପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଥିଲେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ତେବେ ଆସନ୍ତା ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ବେଳେ ନୂତନ ଏସ୍‌ପି ନିଯୁକ୍ତ ହେବାର ସମ୍ଭାବନା ରହିଛି ।

ରାଇରଙ୍ଗପୁର ପୁଲିସ ଜିଲ୍ଲାର ଦୁଇ ଉପଖଣ୍ଡରେ ମୋଟ୍ ୧୨ଟି ବ୍ଲକ୍ ଥିବା ବେଳେ ସେଥିରେ ୧୪ଟି ଥାନା, ୫ଟି ଫାଣ୍ଡି ଓ ଦୁଇଟି ପୁଲିସ ବିଟ୍ ରହିଛି । ଆଗାମୀ ଦିନରେ କିଛି ନୂତନ ଥାନା ଓ ଫାଣ୍ଡି ସ୍ଥାପିତ ହେବ ବୋଲି ସୂଚନା ମିଳିଛି । ଆଜିଠାରୁ ପୁଲିସ ଜିଲ୍ଲା କାର୍ଯ୍ୟକ୍ଷମ ହେଉଥିବାରୁ ରାଇରଙ୍ଗପୁର ଅଞ୍ଚଳରେ ମକର ଉତ୍ସବ ସହିତ ପୁଲିସ୍ ଜିଲ୍ଲା ପାଇବା ନେଇ ଡବଲ ଉତ୍ସବ ପାଳନ କରାଯାଉଛି । ଦୁଇ ଉପଖଣ୍ଡବାସୀଙ୍କୁ ମକର ଭେଟି ଦେଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନସାଧାରଣ ।