ନୂଆଦିଲ୍ଲୀ: ରକ୍ତରେ ଭିଜିଲା ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସରୱାଡି ଗାଁ ନିକଟ ଜାତୀୟ ରାଜପଥ। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିପାଇଁ ସାରା ଅଂଚଳ ଏବେ ଶୋକାକୂଳ ପରିବେଶରେ ପରିଣତ ହୋଇଛି। ରାଜପଥରେ ଯାତ୍ରା କରୁଥିବା ଏକ ସ୍ଲିପର ବସ୍ ହଠାତ୍ ଆଗରେ ଥିବା ଏକ ଟ୍ରେଲରକୁ ଧକ୍କା ଦେଇଛି। ଧକ୍କା ଏତେ ତୀବ୍ର ଥିଲା ଯେ ବସ୍ର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବସରୁ କିଛି ମୃତଦେହ ଝୁଲୁଥିବା ଦେଖାଯାଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୁର୍ଘଟଣାର ତୁରନ୍ତ ପରବର୍ତ୍ତୀ ଚିତ୍ର ଗୁଡ଼ିକରୁ ରକ୍ତ ଜୁଡୁବୁଡୁ ମୃତଦେହ ବସରୁ ଝୁଲୁଥିବା ଦେଖାଯାଉଛି। ବର୍ତ୍ତମାନ, ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।

ପୋଲିସ ଟ୍ରେଲର ଡ୍ରାଇଭରଙ୍କୁ ପଚରାଉଚରା କରୁଛି…

ରିପୋର୍ଟ ମୁତାବକ ଧକ୍କା ଏତେ ତୀବ୍ର ଥିଲା ଯେ, ବସର ଡ୍ରାଇଭର ପାର୍ଶ୍ୱ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ରାଜପଥରେ ଆତଙ୍କ ସୃଷ୍ଟି ହୋଇଥିଲା, ଉଭୟ ପାର୍ଶ୍ୱରେ ଯାନବାହାନର ଲମ୍ବା ଧାଡ଼ି ଲାଗିଥିଲା। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ହସ୍ପିଟାଲ ଶବଗୃହରେ ଛଅ ଜଣଙ୍କ ମୃତଦେହ ରଖାଯାଇଛି। ସେମାନଙ୍କ ଚିହ୍ନଟ ପରେ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରହିଛି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ଏବଂ ଟ୍ରଲର ଡ୍ରାଇଭରଙ୍କୁ ପଚରାଉଚରା କରୁଛି ।