ନୂଆଦିଲ୍ଲୀ: ଦମଦାର ବିଜୟ ସହ ପ୍ଲେଅଫରେ ଚତୁର୍ଥ ଦଳ ଭାବେ ସ୍ଥାନ ପକ୍କା କରିଛି ରାଜସ୍ଥାନ ରୟାଲ୍ସ । ନିଜର ଅନ୍ତିମ ଲିଗ୍ ମ୍ୟାଚରେ ମୁମ୍ବାଇକୁ ୩୦ ରନରେ ପରାସ୍ତ କରିଛି । ୨୦୬ ରନର ଲକ୍ଷ୍ୟ ରହିଥିବାବେଳେ ମୁମ୍ବାଇ ୯ ଓ୍ବିକେଟରେ ୧୭୫ ରନ କରିବାରେ ସକ୍ଷମ ହୋଇଛି । ତେବେ ଏହି ବିଜୟ ପରେ ପଞ୍ଜାବ ଏବଂ କୋଲକାତାର ପ୍ଲେଅଫ୍ ଆଶା ଅଧାରେ ରହିଯାଇଛି ।

୨୦୬ ରନକୁ ମୁମ୍ବାଇ ପିଛା କରୁଥିବାବେଳେ ପ୍ରଥମରୁ ଦଳକୁ ଲାଗିଥିଲା ବଡ଼ ଝଟକା । ହିଟମ୍ୟାନ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ଫେରିଥିଲେ । ରିକଲଟନ ୧୨, ନମନ ଧିର ୬ ରନ କରିଥିଲେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫ୍ଲପ ହୋଇଥିଲେ । ତେବେ ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୦ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ହାର୍ଦ୍ଦିକ ୩୪ ଏବଂ ଓ୍ବିଲ୍ ଜ୍ୟାକ୍ସ ୩୩ ରନ କରିଛନ୍ତି ।

ମୁମ୍ବାଇର ଅଧିକାଂଶ ବ୍ୟାଟ୍ସମ୍ୟାନ ଫ୍ଲପ୍ ହେବା ସହ ଶେଷ ମ୍ୟାଚ ପରାଜୟରେ ଶେଷ ହୋଇଛି । ସେପଟେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ ଓ୍ବିକେଟ ନେଇଥିବାବେଳେ ବର୍ଗର, ବ୍ରିଜେଶ ଶର୍ମା ଏବଂ ୟଶରାଜ ପୁଞ୍ଜା ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଟସ୍ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳ ୮ ଓ୍ବିକେଟରେ ୨୦୫ ରନ କରିଥିଲା ।। ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୩୮ ରନ କରିଥିଲେ । ଜୟସ୍ବାଲ ୨୭ ରନ କରିଥିବାବେଳେ ସୂର୍ଯବଂଶୀଙ୍କ ବ୍ୟାଟ୍ ଚାଲିନଥିଲା । ସେ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୁରେଲ ୩୮, ପରାଗ ୧୪, ସନାକା ୨୯, ଆାର୍ଚନ ୩୨ ରନ କରିଥିଲେ । ଶେଷ ଓଭର ଗୁଡ଼ିକରେ ବର୍ଗର ଏବଂ ଜାଡେଜା ଭଲ ସ୍କୋର କରିଥିଲେ । ଜାଡେଜା ୧୯ ରନ କରିଥିବାବେଳେ ବର୍ଗର ୩ ବଲରେ ୧୦ ରନ କରିଥିଲେ । ସେପଟେ ମୁ୍ମ୍ବାଇ ପକ୍ଷରୁ ଚହର ଏବଂ ସାର୍ଦ୍ଧୁଲ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ ।