ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ବଡ଼ ବିଜୟ । ଲକ୍ଷ୍ନୌକୁ ୪୦ ରନରେ ହରାଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଲା ରାଜସ୍ଥାନ । ୧୬୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୧୯ ରନରେ ଅଲଆଉଟ୍ ହୋଇଛି ଲକ୍ଷ୍ନୌ । ଦଳ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ଲକ୍ଷ୍ନୌ ପକ୍ଷରୁ ମାର୍ଶ ସର୍ବାଧିକ ୫୫ ରନ କରିବାରେ ସକ୍ଷମ ହୋଇଥିଲେ ।

୧୬୦ ରନକୁ ପିଛା କରୁଥିବା ଲକ୍ଷ୍ନୌ ପ୍ରଥମରୁ ବ୍ୟାଟିଂ ବିର୍ପର୍ଯ୍ୟୟର ସାମ୍ନା କରିଥିଲା । ମିଚେଲ ମାର୍ଶ ଏକାକି ଦଳ ପାଇଁ ଲଢ଼ୁଥିବାବେଳେ ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବଦୋନି, ପନ୍ତ ଏବଂ ମାକ୍ରମ ଖାତା ଖୋଲି ପାରିନଥିଲେ । ପରେ ପୂରନ ୨୨ ରନ କରିଥିବାବେଳେ ହିମତ ସିଂହ ୧୫ ରନ କରିଥିଲେ । ବାକି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ସେପଟେ ରାଜସ୍ଥାନ ପକ୍ଷରୁ ବର୍ଗର ଏବଂ ବ୍ରିଜେଶ ଶର୍ମା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଏହାସହ ଦୁଇ ସ୍ପିନର ଜାଡେଜା ଏବଂ ରବି ବିଷ୍ନୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍ କରିଥିଲା । ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ଅପରାଜିତ ୪୩ ରନ୍ କରିଥିଲେ । ସେପଟେ ଲକ୍ଷ୍ନୌ ପକ୍ଷରୁ ମହମ୍ମଦ ସାମି, ପ୍ରୀନ୍ସ ଯାଦବ ଏବଂ ମୋହସିନ୍ ଖାନ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ବାକି ବୋଲର ଓ୍ବିକେଟ ଲେସ୍ ରହିଥିଲେ ।

ଆଜିର ମ୍ୟାଚରେ ରାଜସ୍ଥାନର ଦୁଇ ଓପନର ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ଜୟସ୍ବାଲ ୨୨ ରନ୍ କରିଥିବାବେଳେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୬ ରନ କରିବାରେ ସକ୍ଷମ ହୋଇଥିଲେ । ପରେ ଧ୍ରୁବ ଜୁରେଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରାଗ ୨୦, ହେଟମାୟାର ୨୨ ଏବଂ ଡେଭନ ଫେରିରିଆ ୨୦ ରନ କରିଥିଲେ । ଏହାସହ ଶେଷ ସମୟରେ ଶିଭମ ଦୁବେ ୧୧ ବଲରୁ ୧୯ ରନ୍ କରିପାରିଥିଲେ । ସେ ଜାଡେଜାଙ୍କ ସାଥ୍ ଦେଇଥିବାବେଳେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।

ଏହାସହ ପଢ଼ନ୍ତୁ : OTTରେ RRRକୁ ପଛରେ ପକାଇଲା ଧୁରନ୍ଧର-୨