ନୂଆଦିଲ୍ଲୀ,୨୮/୦୭: ଆଇପିଏଲ୍-୨୦୨୫ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ରଜତ ପାତିଦାର ଆଗାମୀ ଦୁଲୀପ ଟ୍ରଫିରେ ଖେଳିବେ ନାହିଁ । ସେ ଆହତ ଅଛନ୍ତି । ଆଗାମୀ ରଣଜୀ ଟ୍ରଫି ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ଆଶା କରାଯାଉଛି ।
ଟିଓଆଇ ରିପୋର୍ଟ ଅନୁଯାୟୀ, ପାତିଦାରଙ୍କ ହାତ ଏବଂ ପାଦ ଗୋଇଠିରେ ଯନ୍ତ୍ରଣା ରହିଛି । ତେଣୁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସେ ମଧ୍ୟପ୍ରଦେଶ ଦଳର ପ୍ରସ୍ତୁତି ଶିବିରରେ ସାମିଲ ରହିଛନ୍ତି । ମାତ୍ର ଅଭ୍ୟାସରୁ ଦୂରେଇ ରହିଛନ୍ତି ।’ ପାତିଦାର ଫିଟ୍ ଥିଲେ କେନ୍ଦ୍ରାଞ୍ଚଳ ଦଳର ନେତୃତ୍ୱ ନେଇଥାନ୍ତେ । ତାଙ୍କ ଅନୁପସ୍ଥିତିରେ ବିଦର୍ଭର ଭେଟେରାନ ୱିକେଟ୍ କିପର ବ୍ୟାଟର ଅକ୍ଷୟ ୱାଦକରଙ୍କୁ ଅଧିନାୟକ ନିଯୁକ୍ତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଗତ ବର୍ଷ ତାଙ୍କ ନେତୃତ୍ୱରେ ବିଦର୍ଭ ରଣଜୀ ଟ୍ରଫି ଚାମ୍ପିଅନ୍ ଚାମ୍ପିଅନ୍ ହୋଇଥିଲା । ସେ ୧୦ଟି ମ୍ୟାଚ୍ ଖେଳି ୪୫.୨୨ ଆଭରେଜ୍ରେ ମୋଟ ୭୨୨ ରନ୍ ସଂଗ୍ରହ କରିଥିଲେ ।