ଚେନ୍ନାଇ ୧୭/୦୫: ତାମିଲ ସୁପରଷ୍ଟାର ରଜନୀକାନ୍ତ ରବିବାର ସକାଳେ ତାଙ୍କ ପୋଏସ୍ ଗାର୍ଡେନ୍ ସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାମିଲନାଡୁ ନିର୍ବାଚନ ଫଳାଫଳ ଘୋଷଣା ପରେ ତାଙ୍କର ନୀରବତା ଏବଂ ଲୋକଙ୍କ ସମାଲୋଚନା ପରେ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ଟିଭିକେ ଏବଂ ସି. ଜୋସେଫ ବିଜୟ ବିଜୟୀ ହୋଇଥିଲେ। ଲୋକଙ୍କ ଅନୁଯାୟୀ ରଜନୀକୀନ୍ତ କାଳେ ନିର୍ବାଚନ ଫଳାଫଳରେ ଅସନ୍ତୁଷ୍ଟ ଥିଲେ, ଏବଂ ସେ ଦଳଗୁଡ଼ିକୁ ମିଶ୍ରଣ କରିବାକୁ ଚେଷ୍ଟା କରୁଥିଲେ। ଏବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ସୁପରଷ୍ଟାର୍ ରଜନୀକାନ୍ତ।

ରଜନୀକାନ୍ତ କହିଥିଲେ ନିର୍ବାଚନ ସମ୍ପର୍କରେ ତାଙ୍କ ବିଷୟରେ ଅନେକ ଗୁଜବ ପ୍ରସାରିତ ହେଉଥିବାରୁ ସେ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଥିଲେ, "ଯଦି ମୁଁ ଏହି ଗୁଜବର ଉତ୍ତର ନଦିଏ, ତେବେ ସେଗୁଡ଼ିକୁ ସତ୍ୟ ଭାବରେ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ପରେ, ମୁଁ ଏମ୍.କେ. ଷ୍ଟାଲିନଙ୍କୁ ଭେଟିବାକୁ ଯାଇଥିଲି, ଏବଂ ଏହା ସମାଲୋଚନାର ବିଷୟ ହୋଇଗଲା। ଆମର ବନ୍ଧୁତା ରାଜନୀତିଠୁ ଉପରେ। ଏମ୍.କେ. ଷ୍ଟାଲିନ କୁଲାଥୁରରୁ ହାରିଯାଇଥିବାରୁ ମୁଁ ଦୁଃଖିତ।"

 

ରଜନୀକାନ୍ତଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଥିଲା ଯେ ଟିଭିକେର ବହୁମତ ବିଜୟ ପରେ ସେ ବିଜୟଙ୍କୁ ଅଭିନନ୍ଦନ ଜଣାଇ ନଥିଲେ। ଏହା ଉପରେ ସେ କହିଥିଲେ, "ଗୁଜବ ପ୍ରଚାର ହେବା ଆରମ୍ଭ ହୋଇଥିଲା ଯେ ମୁଁ କାଳେ କହିଥିଲି ବିଜୟ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ ନୁହେଁ କିମ୍ବା ମୁଁ ଦୁଇଟି ଦଳକୁ ମିଶ୍ରଣ କରିବାକୁ ଚେଷ୍ଟା କରୁଛି। କିଛି ଲୋକ କହୁଥିଲେ ଯେ ମୁଁ ତାଙ୍କୁ ବିମାନବନ୍ଦରରେ ଅଭିନନ୍ଦନ ଜଣାଇ ନଥିଲି, କିନ୍ତୁ ମୁଁ ତାଙ୍କୁ X ରେ ଅଭିନନ୍ଦନ ଜଣାଇଥିଲି। ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି। ସେ ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲି।"

“ରଜନୀକାନ୍ତ ଜଣେ ଶସ୍ତା କିମ୍ବା ନୀଚ ବ୍ୟକ୍ତି ନୁହେଁ ଯିଏ ଅନାବଶ୍ୟକ ଭାବରେ କୌଣସି ବିଷୟରେ ମନ୍ତବ୍ୟ ଦେବ। ମୁଁ ରାଜନୀତିରେ ନାହିଁ, ତେଣୁ ମୁଁ ବିଜୟଙ୍କ ପ୍ରତି କାହିଁକି ଈର୍ଷା କରିବି? ହୁଏତ କମଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଁ ଈର୍ଷା କରିଥାନ୍ତି। ବିଜୟ ଏବଂ ମୋ ମଧ୍ୟରେ ୨୫ ବର୍ଷ ବୟସର ପାର୍ଥକ୍ୟ ଅଛି। ଯଦି ମୁଁ ଏହା କରିବି, ତେବେ ଏହା ମୋତେ ଶୋଭା ପାଇବନି।“

ଏଥିସହିତ ରଜନୀକାନ୍ତ ବିଜୟଙ୍କୁ ପ୍ରଶଂସା କରି କହିଛନ୍ତି, "୫୨ ବର୍ଷ ମଧ୍ୟରେ ସେ MGR ଏବଂ NTRଙ୍କଠାରୁ ଅଧିକ ଉପଲବ୍ଧି ହାସଲ କରିଛନ୍ତି। ସେ କେନ୍ଦ୍ରରେ ବିଜେପି ଏବଂ ଏଠାରେ ଅନ୍ୟ ଦୁଇଟି ଦଳ ବିରୁଦ୍ଧରେ ନିର୍ବାଚନ ଲଢ଼ି ଜିତିଛନ୍ତି। ଏହା ମୋ ପାଇଁ ଏକ ସୁଖଦ ଏବଂ ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ଥିଲା। ମୋର କୌଣସି ଈର୍ଷା ନାହିଁ। ମୋର ବିଜୟଙ୍କଠାରୁ ବହୁତ ଆଶା ଅଛି, ଏବଂ ମୋର ଶୁଭକାମନା ତାଙ୍କ ସହିତ ରହିଛି।"

ଆହୁରି ପଢ଼ନ୍ତୁ...ଆନ୍ଧ୍ରରେ ଅଧିକ ପିଲା ଜନ୍ମ କଲେ ପୁରସ୍କାର, ମୁଖ୍ୟମନ୍ତ୍ରୀ କହିଲେ ସନ୍ତାନ ବୋଝ ନୁହନ୍ତି ସମ୍ପତ୍ତି

ତେବେ, ରାଜ୍ୟପାଳଙ୍କ ସମ୍ମୁଖରେ ବିଜୟଙ୍କ ଟିଭିକେ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସଂଘର୍ଷ କରୁଥିବା ବେଳେ ମନ୍ତବ୍ୟ ନ ଦେବା ଏବଂ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ନ ଦେବା ପାଇଁ ରଜନୀକାନ୍ତ ସମାଲୋଚନା କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଜନୀକାନ୍ତ କହିଥିଲେ, "ମୁଁ କେବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନାହିଁ। ଆପଣ କେବେ ମୋତେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିଛନ୍ତି କି?"