ରାଜକୋଟ୍,୨୧।୩: ଗୁଜରାଟର ରାଜକୋଟ୍ ସହରରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଜଣେ ହୋମିଓପାଥିକ ଡାକ୍ତର ନିଜର ସାଥୀ ଆର୍ୟୁବେଦ ଡାକ୍ତରଙ୍କ କ୍ଲିନିକ୍ରେ ସ୍ପାଏ କ୍ୟାମେରା ଲଗାଇ ବ୍ଲାକମେଲ୍ କରୁଥିଲେ। ଏହି ମାମଲାରେ ରାଜକୋଟ୍ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ୍ ଡାକ୍ତର କମଲ ନନ୍ଦା ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଅର୍ଥ ଆଦାୟ,ଜୀବନରେ ମାରିବାର ଧମକ ଏବଂ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।
ରାଜକୋଟ୍ ସହରର ଜଣାଶୁଣା ୪୯ ବର୍ଷୀୟ ଡାକ୍ତର ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ, ଡାକ୍ତର କମଲ ସାଧୁ ଭାସୱାନୀ ରୋଡ୍ରେ ଥିବା ତାଙ୍କ ନିଜ କ୍ଲିନିକରେ ଗୁପ୍ତ ଭାବରେ କ୍ୟାମେରା ଲଗାଇଥିଲେ। ଅଭିଯୋଗକାରୀ ଡାକ୍ତର ଓ ତାଙ୍କ ମହିଳା ମିତ୍ରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ତିଆରି କରିଥିଲେ। ଏହି ଭିଡିଓକୁ ସେ ସ୍ଥାନୀୟ କିଛି ସାମ୍ବାଦିକଙ୍କୁ ଦେଇଥିଲେ।
ଡିସିପି କ୍ରାଇମ୍ ଜଗଦୀଶ ବାଙ୍ଗରବା କହିଛନ୍ତି, ଅଭିଯୁକ୍ତ ଡାକ୍ତର କମଲ ନନ୍ଦାଙ୍କ ପାଖରେ ବିଏଚ୍ଏମଏସ୍ର ଡିଗ୍ରୀ ରହିଛି। ସେ ସାଧୁ ଭାସୱାନୀ ରୋଡ୍ରେ ଥିବା ଏକ କ୍ଲିନିକ୍ର ବଲ୍ବ ହୋଲ୍ହରରେ ସ୍ପାଏ କ୍ୟାମେରା ଲଗାଇଥିଲେ। ଏହି କ୍ୟାମେରାରେ ସେ ଏକ ମେମୋରୀ କାର୍ଡ ଲୁଚାଇ ରଖିଥିଲେ। ମେମୋରୀ କାର୍ଡରେ ରେକର୍ଡ କରାଯାଉଥିବା ଭିଡିଓ ସେଭ୍ କରାଯାଉଥିଲା। ଡକ୍ଟର କମଲଙ୍କୁ ଯେତେବେଳେ ସୁଯୋଗ ମିଳୁଥିଲା,କ୍ୟାମେରାରେ ଲାଗିଥିବା ମେମୋରୀ କାର୍ଡ ବଦଳାଇ ଦେଉଥିଲେ।
ଡାକ୍ତର କମଲ ୨୦୨୩ ମସିହାରୁ ସ୍ପାଏ କ୍ୟାମେରା ବ୍ୟବହାର କରି ଭିଡିଓ ରେକର୍ଡିଂ କରୁଥିଲେ। ଏହା ମଧ୍ୟ ଜଣାପଡିଛି ଯେ ସେ ଏପର୍ଯ୍ୟନ୍ତ ସ୍ପାଏ କ୍ୟାମେରା ବ୍ୟବହାର କରି ପ୍ରାୟ ୩୦୦୦ ରୁ ୪୦୦୦ ଭିଡିଓ ରେକର୍ଡ କରିଛନ୍ତି। ରାଜକୋଟ ପୋଲିସ ସହରରେ ଅଶାନ୍ତି ସୃଷ୍ଟି କରୁଥିବା ଏବଂ ବେଆଇନ୍ ଟଙ୍କା ଦାବି କରି ଲୋକଙ୍କୁ ବ୍ଲାକମେଲ୍ କରୁଥିବା ସାମ୍ବାଦିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟଙ୍କା ଆଦାୟ,ଧମକ ଦେବା ଅଭିଯୋଗରେ ଡାକ୍ତର କମଲଙ୍କ ସମେତ ୧୨ ଜଣଙ୍କ ବିରୋଧରେ ରାଜକୋଟ ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରାଯାଇଛି।
ରାଜକୋଟର ଜଣେ ଜଣାଶୁଣା ଡାକ୍ତରଙ୍କ କ୍ଲିନିକ୍ର ଡେଲିଭରି ରୁମ୍ରେ ଗୁପ୍ତ ସିସି ଟିଭି କ୍ୟାମେରା ଲଗାଯାଇଥିଲା। ଏହା ପରେ, ଡାକ୍ତରଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ୍ କରିବାର ଧମକ ଦେଇ ୨୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଅଭିଯୁକ୍ତମାନେ ୫୦ ହଜାର ଟଙ୍କା ନେଇଥିଲେ। ୨୦୨୪ ରୁ ଲଗାତାର ଅଭିଯୋଗକାରୀ ଡାକ୍ତରଙ୍କୁ କମଲ ବଦନାମ କରିବାର ଭୟ ଦେଖାଇ ଟଙ୍କା ମାଗୁଥିଲେ। ଧମକରେ ଅତିଷ୍ଠ ହୋଇ ଶେଷରେ ଆର୍ୟୁବେଦ ଡାକ୍ତର ଜଣକ କମଲଙ୍କ ନାଁରେ ମାମଲା ରୁଜୁ କରିଥିଲେ। କମଲ ଅଭିଯୋଗକାରୀ ଡାକ୍ତରଙ୍କ ମହିଳା ମିତ୍ରଙ୍କୁ ଏକତରଫା ପ୍ରେମ କରୁଥିଲେ। ଅଭିଯୋଗକାରୀ ଡାକ୍ତର ଓ ମହିଳା ଡାକ୍ତରଙ୍କ ପ୍ରେମ ସମ୍ପର୍କକୁ ସେ ସହି ପାରିନଥିଲେ। କ୍ଲିନିକ୍ରେ ସ୍ପାଏ କ୍ୟାମେରା ଲଗାଇ ଦୁହିଁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ବାଦିକଙ୍କୁ ପଠାଇ ଦେଉଥିଲେ। ପୋଲିସ ଡାକ୍ତରଙ୍କ ସହ ସାମ୍ବାଦିକ ଏବଂ ମୋଟ ୧୨ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।