ନୂଆଦିଲ୍ଲୀ,୨୬/୦୭: ଆଜି ୨୭ତମ କାର୍ଗିଲ ବିଜୟ ଦିବସ । ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । କାର୍ଗିଲ ଭାରତମାତର ମୁକୁଟରେ ହୀରା ପରି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । କାର୍ଗିଲ ଦିବସରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ରାଜନାଥ ସିଂହ । ସେ କହିଛନ୍ତି ଏବେ କେବଳ ପିଓକେ ଉପରେ ଆଲୋଚନା ହେବ । ପିଓକେ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରାଯିବ ନାହିଁ । ପାକିସ୍ତାନ ଅବୈଧ ଭାବେ ଭାରତୀୟ ଭୂମିକ ହଡ଼ପ କରିଛି ତାକୁ ଏହାକୁ ଛାଡିବାକୁ ପଡିବ ବୋଲି କହି କଡ଼ା ସମୋଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, '' ଦେଶର ସୁରକ୍ଷା ଦେବା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସମସ୍ତ ସାହସୀ ସୈନିକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 'ଅପରେସନ ବିଜୟ'ର ୨୭ତମ ବାର୍ଷିକୀରେ ସେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ । କାର୍ଗିଲ ଭାରତ ମାତାର ଏକ ମୂଲ୍ୟବାନ ମଣି ଏବଂ ସେ ଦ୍ରାସର ମାଟିରେ ସୈନିକମାନଙ୍କ ମଧ୍ୟରେ ଠିଆ ହୋଇ ଗର୍ବ ଅନୁଭବ କରୁଛନ୍ତି । ପାକିସ୍ତାନ ଛଳନା,ବିଶ୍ୱାସଘାତକତା କରି ଏହାକୁ କବଜା କରିଥିଲା । କିନ୍ତୁ ଭାରତୀୟ ସେନା ଜବାବ ଦେଇଥିଲା । ଭାରତୀୟ ସୈନିକମାନେ କେବଳ ଦୁର୍ଗମ ଶିଖର ଚଢ଼ି ନଥିଲେ, ବରଂ ମାନବୀୟ ସହନଶୀଳତାର ପ୍ରତ୍ୟେକ ସୀମା ଅତିକ୍ରମ କରି ଶତ୍ରୁକୁ ଉପଯୁକ୍ତ ଜବାବ ଦେଇଥିଲେ ଏବଂ କାରଗିଲ ଶିଖରରେ ତ୍ରିରଙ୍ଗାକୁ ଉଡ଼ାଇଥିଲେ । କାର୍ଗିଲ ଯୁଦ୍ଧ କେବଳ ଏକ ସାମରିକ ବିଜୟ ନୁହେଁ ବରଂ ଭାରତ ପାଇଁ ଏକ କୂଟନୈତିକ ବିଜୟ ଥିଲା । ପାକିସ୍ତାନ ଅବୈଧ ଭାବେ କବଜା କରିଥିବା ଭୂମିକୁ ଛାଡିବାକୁ ପଡିବ । ଏବେ ପିଓକେ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋନଚା ହେବ ନାହିଁ । ଅପରେସନ୍ ସିନ୍ଦୂରରେ ଦେଖିବାକୁ ମିଳିଛି ଆତଙ୍କବାଦରେ ସାମିଲ ଥିବା ଲୋକଙ୍କ ପରିଣାମ କଣ ହୁଏ । ପାକିସ୍ତାନର ପ୍ରତିଟି ଭୁଲ୍ କାର୍ଯ୍ୟ ପାଇଁ ଜବାବ ମିଳିବ । ଭାରତ ଡାଟା ସେଣ୍ଟର ନିର୍ମାଣ କରୁଥିବା ବେଳେ ପାକିସ୍ତାନ ''କଟ୍ରାପଲିଜେଶନ ସେଣ୍ଟର'' ନିର୍ମାଣ କରୁଛି ।'' 

କାର୍ଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି,'' ଭବିଷ୍ୟତ ପିଢି କାର୍ଗିଲ ବୀରମାନଙ୍କ ସାହସିକତା କାହାଣୀରୁ ପ୍ରେରଣା ପାଇବେ । ଆମେ ଆମ ସୈନିକ ଏବଂ ସେମାନଙ୍କ ସାହସକୁ ସଲାମ୍ କରୁଛୁ । କାର୍ଗିଲ ବିଜୟ ଭାରତ ମାତର ମୁକୁଟରେ ସନ୍ନିହିତ ଏକ ହୀରା ପରି । କ୍ୟାପଟେନ୍ ବିକ୍ରମ ବାତ୍ରା କହିଥିଲେ, "ୟେ ଦିଲ୍ ମାଙ୍ଗେ ମୋରେ,"। ଏହା ଆମ ସୈନିକମାନଙ୍କର ସ୍ୱଭାବ । ସମଗ୍ର ବିଶ୍ୱ ଏହାକୁ ବୁଝିବା ଉଚିତ୍‌, ଏବଂ ଆମର ପଡ଼ୋଶୀ ମଧ୍ୟ ଏହାକୁ ବୁଝିବା ଉଚିତ । '' 

କାର୍ଗିଲ ବିଜୟ ଦିବସ- ଦେଶ ପାଳୁଛି ୨୭ ତମ କାର୍ଗିଲ ବିଜୟ ଦିବସ । ଜାତି ପାଇଁ ଜୀବନ ଅର୍ପଣ କରିଥିବା ଅମର ବୀର ସୈନିକମାନଙ୍କ ଶୌର୍ଯ୍ୟ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାର୍ଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ । ଏହି ଦିନଟି ୧୯୯୯ ମସିହାରେ 'ଅପରେସନ ବିଜୟ'ରେ ଅଂଶଗ୍ରହଣ କରିଥିବା ଭାରତୀୟ ସେନାର ଅଦମ୍ୟ ସାହସ, ସର୍ବୋଚ୍ଚ ବଳିଦାନ ଏବଂ ଅଟଳ ସଂକଳ୍ପକୁ ସମ୍ମାନ ଜଣାଇବାର ଏକ ପବିତ୍ର ଅବସର । ମେ' ୧୯୯୯ରେ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ନିୟନ୍ତ୍ରଣ ରେଖା ପାର କରି କାର୍ଗିଲ ଅଞ୍ଚଳର ପ୍ରମୁଖ ଉଚ୍ଚ ଶିଖରଗୁଡ଼ିକରେ ଥିବା ଭାରତୀୟ ପୋଷ୍ଟଗୁଡ଼ିକୁ ଅବୈଧ ଭାବରେ ଦଖଲ କରିଥିଲେ। ଶତ୍ରୁପକ୍ଷର ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଭାରତ ଆରମ୍ଭ କରିଥିଲା 'ଅପରେସନ ବିଜୟ'। ଦୁଇ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଥିଲା । ଭାରତୀୟ ସୈନିକମାନେ ଅତ୍ୟନ୍ତ ଦୁର୍ଗମ ବରଫାବୃତ ପର୍ବତମାଳା ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ ।