ଭୁବନେଶ୍ୱର, ୧୪/୦୩: କଂଗ୍ରେସର ୮ ବିଧାୟକ କର୍ଣ୍ଣାଟକରେ । ୬ ବିଧାୟକ କର୍ଣ୍ଣାଟକ ଯାଇନାହାନ୍ତି । ସେଥିରୁ ୨/୩ ଜଣଙ୍କୁ ନେଇ ଦଳ ଭିତରେ ଓ ବାହାରେ ନାନା ଚର୍ଚ୍ଚା ଓ ଆଶଙ୍କା । କ୍ରସ ଭୋଟିଂ ହେବନି ତ? ଲକ୍ଷ୍ମଣରେଖା ଡେଇଁବେ କି ବିଧାୟକ ? ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଇଁ ଆଜି ଥିଲା ରାଜ୍ୟସଭା ମତଦାନ ପ୍ରକ୍ରିୟା ନେଇ ପାଠଶାଳାର ପ୍ରଥମ ଦିନ । ପ୍ରଥମ ଦିନ ତାଲିମକୁ ୪୨ ଜଣ ଆସିଥିବାବେଳେ ଆସିଲେନି ୬ ବିଧାୟକ । ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳରେ କ୍ରସ ଭୋଟିଂ ଡର ଆହୁରି ବଢ଼ିଛି ।

ସେପଟେ ବିଜେପି ନିଜ ବିଧାୟକଙ୍କୁ ଆସନ୍ତା ୧୬ ତାରିଖରେ ରାଜ୍ୟସଭା ଭୋଟ ଦିନ ବିଧାନସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ସୂତ୍ର ଅନୁସାରେ ବିଜେପି ମଧ୍ୟ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ରିସୋର୍ଟ ରାଜନୀତି ଆପଣାଇଛି । ପାରାଦୀପର ଏକ ତାରକା ହୋଟେଲରେ ପ୍ରାୟ ୧୦୦ ରୁମ୍ ବୁକ୍ ହୋଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦଳର ୩୦ ବିଧାୟକ ପାରାଦୀପରେ ପହଞ୍ଚି ସାରିଛନ୍ତି । ବାକି ବିଧାୟକମାନେ ରାତିରେ କିମ୍ବା ସକାଳ ସୁଦ୍ଧା ପହଞ୍ଚିବେ । ଯେଉଁ ବିଧାୟକ ଚାହିଁବେ, ନିଜ ପରିବାର ସହ ମଧ୍ୟ ଯାଇପାରିବେ । ଶନିବାର ବିଜେପି ବିଧାୟକଙ୍କୁ ରାଜ୍ୟସଭା ମତଦାନ ପଦ୍ଧତି, ନିୟମ ବାବଦରେ ତାଲିମ ଦିଆଯିବ । ଶନିବାର ମକ୍ ପୋଲ୍ ମଧ୍ୟ ହେବ । କିଏ କାହାକୁ ପ୍ରଥମ ପସନ୍ଦ ଓ କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ, ସେ ବାବଦରେ ସେମାନଙ୍କୁ ଜଣାଇ ଦିଆଯିବ । ବିଧାୟକମାନେ ପାରାଦୀପରୁ ସୋମବାର ସକାଳେ ସିଧା ବିଧାନସଭା ଆସିବେ ।

ମଙ୍ଗଳବାର ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରହିଲା । ମଝିରେ ଆଉ ଦୁଇଦିନ । ସୋମବାର ରାଜ୍ୟସଭାର ୪ ଆସନ ପାଇଁ ହେବ ମତଦାନ । ସବୁ ଦଳ, ୫ ପ୍ରାର୍ଥୀ ପୂରା ଦମ୍ ଲଗାଇ ଲାଗି ପଡ଼ିଛନ୍ତି । ବିଶେଷ କରି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ଘଡ଼ିକେ ଏଠି ଘୋଡ଼ା ଛୁଟୁଛି ।

ବିରୋଧୀ ଦଳ ଶିବିରରେ କେବଳ ଗୋଟିଏ ଆଶଙ୍କା-ଘୋଡ଼ା ବେପାର, କ୍ରସ ଭୋଟିଂ । ଅପରପକ୍ଷରେ ୩ଟି ଯାକ ଆସନରେ ଜିତାପଟ ପାଇଁ ବିଜେପି ରଣନୀତି ଚଳାଇଛି । ଦଳର ବରିଷ୍ଠ ନେତୃମଣ୍ଡଳୀ ଘନଘନ ବୈଠକ କରୁଥିବା ସୂଚନା ମିଳିଛି । ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଠଶାଳାର ପ୍ରଥମ ଦିନରେ ଆସିଲେନି ୬ ବିଧାୟକ । ଦଳୀୟ ସୂତ୍ର କହୁଛି, ବିଧାୟକ ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ସୁଦର୍ଶନ ହରିପାଲ, ବରିଷ୍ଠ ଶାରଦା ନାୟକ, ମନୋହର ରାନ୍ଧାରୀ ଓ ଚକ୍ରମଣି କହଁର ଅନୁପସ୍ଥିତ ଥିଲେ । ସୌଭିକଙ୍କୁ ନେଇ ପ୍ରଥମରୁ ଦଳ ସନ୍ଦେହରେ । ବାକି ୫ଜଣଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳ ପକ୍ଷରୁ କୁହାଯାଉଛି, ମନୋହରଙ୍କୁ ଜ୍ୱର ଓ ଶାରଦା ବାଟରେ ଅଛନ୍ତି । ଶନିବାର ସମସ୍ତେ ଆସିବେ । ବିଜେପି ନେତା ରବୀନ୍ଦ୍ର ଜେନାଙ୍କ ପତ୍ନୀ ବସ୍ତା ବିଧାୟିକା ସୁବାସିନୀ ଆଜି ବି ନବୀନ ନିବାସ ପହଞ୍ଚିଥିଲେ ।

କଂଗ୍ରେସ ବି ଟେନସନରେ । ଦଳର ୮ ବିଧାୟକ ବାଙ୍ଗାଲୋର ରିସୋର୍ଟରେ ଡେରା ପକାଇଛନ୍ତି । ବିଧାୟକମାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ହେପାଜତରେ ରଖିଛନ୍ତି । ହେଲେ ଦଳର ୬ ବିଧାୟକ କର୍ଣ୍ଣାଟକ ଯାଇନାହାନ୍ତି । ଭକ୍ତଙ୍କ ସହ ବିଧାୟକ ସିଏସ ରାଜନ ଏକ୍କା, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା, କ୍ରାଡାକା ଆପାଲା ସ୍ୱାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ କର୍ଣ୍ଣାଟକରେ ଅଛନ୍ତି । କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିବା କର୍ଣ୍ଣାଟକର ପ୍ରଭାବଶାଳୀ ନେତା ଶିବ କୁମାର ଏବେ ଓଡ଼ିଶା ବିଧାୟକଙ୍କ ସୁରକ୍ଷା ଦାୟିତ୍ୱ ନେଇଛନ୍ତି ।

ବିଧାନସଭାରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୋଫିଆ ଫିର୍ଦ୍ଦୋଷ ଆସିଥିଲେ । ହେଲେ କର୍ଣ୍ଣାଟକ ଯାଇନଥିବା ବାକି ୩ଜଣ ବିଧାୟକ ବିଧାନସଭା ମଧ୍ୟ ଆସିନଥିଲେ । ଭକ୍ତଙ୍କ ପୁଅ ଭବାନୀପାଟଣା ବିଧାୟକ ସାଗର ଦାସଙ୍କର ନିକଟରେ ପୁତ୍ର ସନ୍ତାନ ହୋଇଥିବାରୁ ସେ କର୍ଣ୍ଣାଟକ ଯାଇନଥିବା କୁହାଯାଉଛି । ସାନ୍ତଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ କର୍ଣ୍ଣାଟକ ନ ଯିବା ଓ ବିଧାନସଭା ନ ଆସିବା ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଅଧିକ ପଢ଼ନ୍ତୁ : - ନବୀନ ନିବାସରେ ଚାଲିଛି ବିଜେଡିର ରାଜ୍ୟସଭା ରଣନୀତି

ବିଧାୟକ ଦଳ ନେତା କାଡାମ କହିଛନ୍ତି, ଆମେ କଂଗ୍ରେସ, ବିଜେଡି ଓ ସିପିଆଇଏମ ଏକାଠି ଅଛୁ । ଆମ ସଂଖ୍ୟା ୩୩ । ମାତ୍ର ସଂଖ୍ୟା ନଥାଇ ବି ଶାସକ ଦଳ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଚେଷ୍ଟା ଚଳାଇଛି । ସେଥିପାଇଁ ଆମେ ଆମ ବିଧାୟକଙ୍କୁ ଏକାଠି ରଖିବାକୁ ପଦକ୍ଷେପ ନେଇଛୁ । କେହି ବି କ୍ରସ ଭୋଟିଂ କରିବେ ନାହିଁ ।

କଂଗ୍ରେସ ବିଧାୟକଙ୍କ କର୍ଣ୍ଣାଟକ ରହଣିକୁ ନାପସନ୍ଦ କରି ସୋଫିଆ କହିଛନ୍ତି, ଏ କଥା ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ମୋତେ କିଛି କୁହାଯାଇନି । ଆମେ ନିର୍ବାଚିତ ଜନପ୍ରତିନିଧି । କୁଆଡ଼େ ଯିବାର ଆବଶ୍ୟକତା କ’ଣ ଅଛି? ଆମେ କାହିଁକି ଯିବୁ? କଟକ ଭଳି ଉଚ୍ଚଶିକ୍ଷିତ ସହରରୁ ଆମେ ନିର୍ବାଚିତ ହୋଇ ଆସିଛୁ । ଆମେ ଆମ ନିଜ ନିଷ୍ପତ୍ତି ନେଇଛୁ । ସୋଫିଆଙ୍କ ଏଭଳି ମନ୍ତବ୍ୟ ଦଳରେ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ବରିଷ୍ଠ ବିଧାୟକ ତାରା କହିଛନ୍ତି, ଆମ ବିଧାୟକମାନେ ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି । ସାଂପ୍ରତିକ ସ୍ଥିତିକୁ ନେଇ ଦଳୀୟ ମହଲରେ ଆଶଙ୍କା- ଦାଶରଥୀ, ରମେଶ, ସୋଫିଆ କଂଗ୍ରେସର ନିଷ୍ପତ୍ତି ସହ ରହିବେ ନା ଭିନ୍ନ ବାଟ ଆପଣାଇବେ?

ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ନବୀନ ନିବାସରେ ଆରମ୍ଭ ହୋଇଥିଲା ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ । ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜୟୀ କରାଇବାକୁ ନବୀନ ସଭିଙ୍କୁ ନିବେଦନ କରିଥିଲେ । ଦୁଇ ପ୍ରାର୍ଥୀ ବି ଉପସ୍ଥିତ ଥିଲେ । ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାର ନିର୍ବାଚନ ପ୍ରକ୍ରିୟା ବୁଝାଇଥିଲେ । ମତଦାନ କେନ୍ଦ୍ରକୁ କ’ଣ ନେବେ, କ’ଣ ନେବେନି, କ’ଣ କରିବେ, ବାଲାଟ ପେପରକୁ କିଭଳି ଭାଙ୍ଗିବେ, ବୁଝାଇଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେତେକ ପରାମର୍ଶ ଦେଇଥିଲେ । ଦଳର ୪/୫ଜଣ ବିଧାୟକଙ୍କୁ ବାଦ୍ ଦେଲେ ପ୍ରାୟତଃ ବିଧାୟକ କେବେ ରାଜ୍ୟସଭା ଭୋଟ ଦେଇନାହାନ୍ତି । ଶନିବାର ୧୧ଟା ୩୦ରେ ବିଧାନସଭା ପରିସରସ୍ଥିତ ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକମାନଙ୍କର ମକ୍ ପୋଲ୍ କରାଯିବ । ଶନିବାର ସନ୍ଧ୍ୟାରେ ହିଁ ସ୍ଥିର ହେବ- କିଏ କାହାକୁ ପ୍ରଥମ ପସନ୍ଦ, କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ ।

ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବା ପରଠାରୁ ସୋରର ବିଜେଡି ବିଧାୟକ ମାଧବ ଧଡ଼ାଙ୍କ ଦେଖା ମିଳୁନଥିଲା । ସେ ବିଧାନସଭା ନ ଆସିବାରୁ ଭିନ୍ନ ଚର୍ଚ୍ଚା ତେଜିଥିଲା । ମାଧବ ଆଜି ବିଧାନସଭା ଆସିଥିବାବେଳେ ନବୀନ ତାଙ୍କ ସହ ସିଧା କଥା ହୋଇଥିଲେ । ମାଧବ ଗଣମାଧ୍ୟମକୁ କହିଛନ୍ତି, ମୁଁ ଦଳର ସଚ୍ଚୋଟ କର୍ମୀ । ଭାଣିଜୀ ବିବାହ ପାଇଁ ଆସିନଥିଲି । ଦଳ ନିଷ୍ପତ୍ତି ଅନୁସାରେ କାମ କରିବି ।