ଭୁବନେଶ୍ୱର,୦୯/୦୮: ରାକ୍ଷୀର ସୂତାରେ ବନ୍ଧା ବିଶ୍ୱାସ...ଭାଇ-ଭଉଣୀଙ୍କ ସମ୍ପର୍କ ସବୁଠୁ ଖାସ୍...ଜନ୍ମ ଜନ୍ମର ଏ ବନ୍ଧନ ସ୍ନେହ ଓ ବିଶ୍ୱାସର, ଅଧିକ ମଜବୁତ୍ ହୁଏ ସମ୍ପର୍କ ଯେବେ ବନ୍ଧାହୁଏ ସୂତା ସମ୍ପର୍କର..ଶ୍ରାବଣର ଝିପିଝିପି ବର୍ଷାରେ ରକ୍ଷାବନ୍ଧନର ପର୍ବ, ଏହା ଭାଇ ଭଉଣୀଙ୍କ ଖଟାମିଠା ଝଗଡ଼ା, ପ୍ରେମ ଏବଂ ଖୁସିର ପର୍ବ । ଚନ୍ଦନ ଟିପା, ରେଶମ ସୂତା...ଭାଇର ଆଶା, ଭଉଣୀର ଭଲ ପାଇବା ନେଇ ଆସିଛି ରାକ୍ଷୀ ପୂର୍ଣିମା । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଉଭଣୀଙ୍କ ଏହି ଉତ୍ସବକୁ ନେଇ ଚଳଚଞ୍ଚଳ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛି ଭଉଣୀ ।
ରାକ୍ଷୀ...ସମ୍ପର୍କର ଡ଼ୋର- ସୂତା ଖିଅରେ ରହିଥାଏ ଅତୁଟ ସମ୍ପର୍କ । ଯାହାର କେନ୍ଦ୍ରବିନ୍ଦୁ ପାଲଟନ୍ତି ଭାଇ ଭଉଣୀ । ଏଇ ସମ୍ପର୍କରେ ଭରି ରହିଥାଏ ରାଗରୁଷା, ମାନ ଅଭିମାନ ପୁଣି ଭଲ ପାଇବା । ଭଉଣୀ ପାଇଁ ଭାଇ ହେଉଛି ତା’ର ବଳ । ସବୁ ବ୍ୟତିକ୍ରମକୁ ଅତିକ୍ରମ କରି ଭଉଣୀଟିଏ କନକ ଆଞ୍ଜୁଳି ଟେକିଦିଏ ସତ, ହେଲେ ବାପଘର ମୋହର ମୁଖ୍ୟ କାରଣ ଭାଇକୁ କେବେ ଭୁଲେନି । ତା'ର ପ୍ରତିଟି ନିଃଶ୍ୱାସକୁ ବିଶ୍ୱାସ ଥାଏ ଅସୁବିଧାରେ ଭାଇ ନିଶ୍ଚୟ ଛିଡ଼ା ହେବ । ସମୟ ସ୍ରୋତରେ ଯୁଗ ବଦଳିବା ସହିତ ବଦଳିଛି ରାଖୀର ପରିଭାଷା । ହେଲେ ଭଲ ପାଇବା ଆଜିବି ସେମିତି ରହିଛି । ରକ୍ଷା ବନ୍ଧନ ପାଇଁ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ଦୋକାନ ବଜାରରେ ବି ଗହଳି ଲାଗିଛି । ଭଉଣୀମାନେ ସକାଳୁ ଭାଇଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଛନ୍ତି ।
ଭଉଣୀ ପାଇଁ ଉପହାର- ରାଖୀରେ ପ୍ରତ୍ୟେକ ଭଉଣୀର ମନ ଉପହାରରେ ଥାଏ । ଭାଇକୁ କ’ଣ ମାଗିବି ବୋଲି ଆଗୁଆ ଯୋଜନା କରିସାରିଥାଏ । ସେହିକଥାକୁ ଧ୍ୟାନରେ ରଖି ଭାଇମାନେ ମଧ୍ୟ ଭଉଣୀ ପାଇଁ କିଣିଛନ୍ତି ଭଳିକି ଭଳି ଉପହାର । ସେଥିପାଇଁ ଉପହାର ଦୋକାନ, ଝିଅଙ୍କ ପୋଷାକ ଦୋକାନ, ଅଳଙ୍କାର ଦୋକାନରେ ଦେଖିବାକୁ ପ୍ରବଳ ଗହଳି ବି ଲାଗିଛି । ନିଜର ସାମର୍ଥ୍ୟ ଅନୁଯାୟୀ ଭାଇମାନେ ଭଉଣୀ ପାଇଁ ଉପହାର କିଣିଛନ୍ତି । ଦୂରରେ ଥିବା ଭାଇମାନେ ଭଉଣୀ ପାଇଁ ଅନ୍ଲାଇନ୍ କିମ୍ବା ସପିଙ୍ଗ୍ ଆପ୍ ମାଧ୍ୟମରେ ଆଗୁଆ ଉପହାର ଦେଇସାରିଲେଣି ।
ଠାକୁରଙ୍କ ଗହ୍ମା ପୂର୍ଣ୍ଣିମା- ଆଜି ଗହ୍ମା ପୂର୍ଣ୍ଣିମା । କୃଷ୍ଣାଗ୍ରଜ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି । ଗହ୍ମା ପୂର୍ଣ୍ଣିମାରେ ତୁଳସୀ କ୍ଷେତ୍ରରେ ବଳଭଦ୍ରଙ୍କ ଜନ୍ମଉତ୍ସୋବ ପାଳନ ଅନୁଷ୍ଠିତ ହୁଏ । ଯେମିତି ଭାଇଠାରୁ ସୁରକ୍ଷା ଆଶା ନେଇ ଭଉଣୀ ରାକ୍ଷୀ ଭିଡ଼ିଥାଏ ଠିକ୍ ସେମିତି ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ।