ନୂଆଦିଲ୍ଲୀ ୧୮/୦୫: ଫିଲ୍ମ ‘ଆର୍ଆର୍ଆର୍’ର ସଫଳତା ପରେ ଗ୍ଲୋବାଲ୍ ଷ୍ଟାର୍ ପାଲଟି ଯାଇଛନ୍ତି ସାଉଥ୍ ସୁପରଷ୍ଟାର୍ ରାମଚରଣ। ଏବେ ତାଙ୍କ ସଫଳ କ୍ୟାରିୟରରେ ଆଉ ଏକ ଉପଲବ୍ଧି ଯୋଡି ହୋଇଛି। ଲଣ୍ଡନର ଫେମସ୍ ୱାକ୍ସ ମ୍ୟୁଜିୟମ୍ ମାଡାମ ତୁସାଦରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ପୂର୍ବରୁ ମଧ୍ୟ ବହୁ ଭାରତୀୟ ସେଲିବ୍ରିଟିଙ୍କ ମହମ ପ୍ରତିମା ତିଆରି ହୋଇସାରିଛି। ହେଲେ ରାମଚରଣଙ୍କ ପ୍ରତିମାଟି ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। କାରଣ ଏହା ହେଉଛି କୌଣସି ସେଲିବ୍ରିଟିଙ୍କର ପ୍ରଥମ ମହମ ପ୍ରତିମା, ଯେଉଁଥିରେ ସାଥିରେ ତାଙ୍କ ପୋଷାପ୍ରାଣୀ ଶୋଭା ପାଉଛି। ଏହା ପୂର୍ବରୁ କୌଣସି ଭାରତୀୟ ସେଲିବ୍ରିଟିଙ୍କର ଏଭଳି ମହମ ପ୍ରତିମା ତିଆରି କରାଯାଇ ନଥିଲା।
ଲଣ୍ଡନରେ ଅନୁଷ୍ଠିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ରାମଚରଣ, ତାଙ୍କ ପରିବାର ଓ ବନ୍ଧୁବର୍ଗ ଯୋଗ ଦେଇଥିଲେ। ଏହି ଉନ୍ମୋଚନ ସମୟରେ ଅଭିନେତାଙ୍କ ପରିବାର ଭାବବିହ୍ୱଳ ହୋଇପଡିଥିଲେ। ତେବେ ଏହି ମହମ ପ୍ରତିମୂର୍ତ୍ତିରେ ରାମଚରଣଙ୍କର ଓସ୍କାର୍ ପୁରସ୍କାର ସମାରୋହରେ ଯୋଗ ଦେବା ସମୟର ଲୁକ୍ ରହିଛି।