ହାଇଦ୍ରାବାଦ,୨୬/୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଏନ୍‌ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ ଅଡୁଆରେ ପଡିଛନ୍ତି ଫିଲ୍ମ ନିର୍ମାତା  ରାମଗୋପାଳ ବର୍ମା । ତାଙ୍କୁ ଗିରଫ କରିବା ଲାଗି ଆନ୍ଧ୍ରପ୍ରଦେଶର ଏକ ପୁଲିସ ଟିମ୍‌ ହାଇଦ୍ରାବାଦସ୍ଥିତ  ରାମଗୋପାଳଙ୍କ ଘରେ ପହଞ୍ଚିଥିଲେ । ମାତ୍ର ସେ  ଘରେ ନଥିବାରୁ ପୁଲିସକୁ ଖାଲି ହାତରେ ଫେରିବାକୁ  ପଡିଛି । ପୂର୍ବରୁ ତାଙ୍କୁ ଦୁଇଥର ପୁଲିସ ପଚରାଉଚୁରା  କରିବା ଲାଗି ସମନ୍‌ ଜାରି କରିଥିଲା । କିନ୍ତୁ ସେ ଥାନାକୁ  ଆସି ନଥିଲେ । କୁହାଯାଉଛି କି ତାଙ୍କୁ ପୁଲିସ ଗିରଫ  କରିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଗିରଫଦାରୀରୁ  ବଞ୍ଚିବା ପାଇଁ ସେ ତାମିଲନାଡୁର କୋଏମ୍ବାଟୁର ପଳାଇଛନ୍ତି ।  ରାମଗୋପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ  ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ପାର୍ଟିର ଜଣେ ପ୍ରଶଂସକ ।  ତେଣୁ ସେ ଚନ୍ଦ୍ରବାବୁ ଓ ତାଙ୍କ ଦଳ ଟିଡିପି ବିରୋଧରେ  ସୋସିଆଲ ମିଡିଆରେ ଅନେକ ସମୟରେ ଆପତ୍ତିଜନକ  ବୟାନ ପୋଷ୍ଟ କରି ବିବାଦରେ ରହିଆସିଛନ୍ତି । ଟିଡିପି  ନେତା ରାମଲିଙ୍ଗମ୍‌ ଗତ ୧୧ ତାରିଖରେ ରାମଗୋପାଳଙ୍କ  ବିରୋଧରେ ଏଫଆଇଆର ଦାୟର କରିଥିଲେ ।