ଉତ୍ତରପ୍ରଦେଶ, ୮।୭: ରାମ ମନ୍ଦିର ଚଢ଼ାଉ ଚୋରି ମାମଲାରେ ପ୍ରତିଦିନ ନୂଆ ନୂଆ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ଅଭିଯୁକ୍ତଙ୍କ କଳାକାରନାମା ସେତିକି ପଦାରେ ପଡ଼ୁଛି । ବର୍ତ୍ତମାନ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ହୋଇଛି । ଗିରଫ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଲିସ 'ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ' ନାଁରେ ତିଆରି ହୋଇଥିବା ପୁରୁଣା ନକଲି ଚାନ୍ଦା ରସିଦ ବହି ଜବତ କରିଛି । ସୂତ୍ର ଅନୁସାରେ, ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ସେମାନେ କେବଳ ଦାନ ବାକ୍ସରୁ ଟଙ୍କା ଚୋରି କରୁନଥିଲେ, ବରଂ ଶ୍ରଦ୍ଧାଳୁମାନଙ୍କୁ ନକଲି ରସିଦ କାଟି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ଟିନ୍ନୁ ଯାଦବ, ଲଭ୍ କୁଶ, କରୁଣେଶ ଏବଂ ଅନୁକଳ୍ପ ପ୍ରାରମ୍ଭିକ ପର୍ଯ୍ୟାୟରେ ଦାନ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଏହି ନକଲି ରସିଦ ପ୍ରଦାନ କରୁଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନକଲି ରସିଦରେ ଟ୍ରଷ୍ଟର ଅବିକଳ ଲୋଗୋ ମଧ୍ୟ ବ୍ୟବହାର କରାଯାଇଥିଲା । ଏହା ଦେଖିବାକୁ ପୂରା ଅସଲି ରସିଦ ଭଳି ହୋଇଥିବାରୁ ଶ୍ରଦ୍ଧାଳୁମାନେ ସହଜରେ ବିଶ୍ୱାସ କରିନେଉଥିଲେ ଏବଂ ଏଭଳି ଠକାମିର ଶିକାର ହେଉଥିଲେ ।

ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଅନଲାଇନ୍ ରସିଦ ବ୍ୟବସ୍ଥା ଲାଗୁ ହେବା ପରେ ଅଭିଯୁକ୍ତମାନେ ଏହି କାଗଜ ରସିଦ ବ୍ୟବହାର କରିବା ବନ୍ଦ କରିଦେଇଥିଲେ । କାଗଜ ରସିଦ ବନ୍ଦ ହେବା ପରେ ଶ୍ରଦ୍ଧାଳୁମାନେ ସିଧାସଳଖ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ କିମ୍ବା ମନ୍ଦିର ପରିସରରେ ଥିବା ସରକାରୀ ଦାନ କାଉଣ୍ଟରରୁ ରସିଦ୍ ନେବା ଆରମ୍ଭ କରିଥିଲେ । ଏହି ସମଗ୍ର ଚୋରି ମାମଲା ସାମ୍ନାକୁ ଆସିବା ପରେ ଟ୍ରଷ୍ଟର ତତ୍କାଳୀନ ମହାସଚିବ ଚମ୍ପତ ରାୟ ଏବେ ସନ୍ଦେହ ଘେରରେ ଅଛନ୍ତି । ଅଭିଯୋଗ ହୋଇଛି ଯେ, ଚମ୍ପତ ରାୟ ଗତ ଜୁନ୍ ୫ ତାରିଖରେ ହିଁ ଚୋରି ବିଷୟରେ ଜାଣିପାରିଥିଲେ ଏବଂ ପୁଲିସ ସହାୟତାରେ ଚୋରି ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଥିଲେ । କିନ୍ତୁ, ସେହି ସମୟରେ କୌଣସି ଆନୁଷ୍ଠାନିକ ଏଫଆଇଆର୍ ଦାୟର କରାଯାଇନଥିଲା, ଯାହାକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି ।

ଏହା ବି ପଢ଼ନ୍ତୁ... କୃଷ୍ଣ ମୋହନ କିଏ ? ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟର କରିବେ ତଦାରଖ

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ବୈଠକରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ଆଲୋଚନା ହୋଇଛି । ଯଦି ସେହି ସମୟରେ ମାମଲା ରୁଜୁ କରାଯାଇଥାନ୍ତା, ତେବେ ବିବାଦ ଏତେ ବଢ଼ିନଥାନ୍ତା ବୋଲି ଟ୍ରଷ୍ଟ ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି । ବୈଠକରେ ଚମ୍ପତ ରାୟଙ୍କ ଭୂମିକାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଯାଇଛି । ଚମ୍ପତ ରାୟଙ୍କୁ ନିଜ ସ୍ତରରେ ଯାଞ୍ଚ କରିବା ଏବଂ ଟଙ୍କା ଜବତ କରିବାର ଅଧିକାର କିଏ ଦେଇଥିଲା ? ଟଙ୍କା ଉଦ୍ଧାର ହେବା ପରେ ମଧ୍ୟ ଏଫଆଇଆର୍ କାହିଁକି ଦେବାରେ ବିଳମ୍ବ ହେଲା ? ଚଢ଼ାଉର ସୁରକ୍ଷା ଓ ଗଣତି ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ?

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୭ ତାରିଖରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ମାମଲାକୁ ସାର୍ବଜନୀନ କରିବା ପରେ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା । ରାମ ମନ୍ଦିର ନିର୍ମାଣ ଏବଂ ପ୍ରାଣ ପ୍ରତିଷ୍ଠା ପରେ ଚମ୍ପତ ରାୟ ଜାତୀୟ ସ୍ତରରେ ବେଶ୍ ପ୍ରଭାବଶାଳୀ ଥିଲେ, ହେଲେ ଏହି ଚଢ଼ାଉ ଚୋରି ମାମଲା ପରେ ତାଙ୍କ ଭାବମୂର୍ତ୍ତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂତ୍ର ଅନୁସାରେ, ଯଦି ଟ୍ରଷ୍ଟର ପଦାଧିକାରୀମାନେ ନିଜ ଦାୟିତ୍ୱରେ ଅବହେଳା କରିଥିବା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇପାରେ ।